ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ଶନିବାର ଦିନ କୋହିମାରେ ନାଗାଲାଣ୍ଡ ଆୟୁର୍ବିଜ୍ଞାନ ଏବଂ ଅନୁସନ୍ଧାନ ସଂସ୍ଥାନର ଉଦଘାଟନ କରିଛନ୍ତି । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ନାଗାଲାଣ୍ଡର ମୁଖ୍ୟମନ୍ତ୍ରୀ ନେଫ୍ୟୁ ରିୟୋ, ଉପମୁଖ୍ୟମନ୍ତ୍ରୀ ଟି.ଆର ଜେଲିୟାଙ୍ଗ ଓ ନାଗାଲାଣ୍ଡର ସ୍ୱାସ୍ଥ୍ୟମନ୍ତ୍ରୀ ପି ପୈୱାଙ୍ଗ କୋନ୍ୟାକ ଉପସ୍ଥିତ ଥିଲେ ।
ଏହି ଅବସରରେ ଡକ୍ଟର ମନସୁଖ ମାଣ୍ଡଭ୍ୟ କହିଥିଲେ ଯେ, ଏନଆଇଏମଏସଆର କେବଳ ଏକ ମେଡିକାଲ କଲେଜ ନୁହେଁ, ଏହା ଏକ ଶୋଧ ସଂସ୍ଥାନ ଅଟେ । ଏହା କେବଳ ଚିକିତ୍ସା ଶିକ୍ଷା ପ୍ରଦାନ କରିବ ନାହିଁ ଏହା ନାଗାଲାଣ୍ଡର ଲୋକଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସମାଧାନ କରିବ । କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତା ଉପରେ ଆଲୋକପାତ କରି ସେ କହିଛନ୍ତି ଯେ, କେବଳ 9ବର୍ଷର ଅବଧିରେ ଏମବିବିଏସ ସିଟ୍ 64ହଜାରରୁ ବୃଦ୍ଧି ପାଇ 1,60,000ରେ ପହଞ୍ଚିଛି । ସେହିପରି ପିଜି ସିଟ ମଧ୍ୟ ଗତ 9ବର୍ଷରେ ଦୁଇଗୁଣା ହୋଇଛି ।
ରାଜ୍ୟରେ ଆଜି ପ୍ରଥମ ମେଡିକାଲ କଲେଜ ଉଦଘାଟନ ହୋଇଥିବାରୁ ଏହା ନାଗାଲାଣ୍ଡ ପାଇଁ ଏକ ଐତିହାସିକ ଦିନ ବୋଲି ମାଣ୍ଡଭ୍ୟ କହିଛନ୍ତି ।