ଗଞ୍ଜାମ : ଋଷିକୁଲ୍ୟା ଜିଲ୍ଲା ଗଠନ ଦାବିରେ ଆଜି ଆସିକାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ସକାଳ ୬ଟା ଠାରୁ ସଂନ୍ଧ୍ୟା ୬ଟା ଯାଏଁ ଏହି ବନ୍ଦ ପାଳନ କରାଯାଉଛି । ଶେରେଗଡ଼, ଆସିକା ଓ ଧରାକୋଟ ସମେତ ମୋଟ୍ ୮ଟି ବ୍ଲକର ଜନସାଧାରଣ ଏଥିରେ ସାମିଲ୍ ହୋଇଛନ୍ତି । ବନ୍ଦ ଫଳରେ ବ୍ରହ୍ମପୁରରୁ ଆସିକା, ଫୁଲବାଣୀରୁ ଆସିକା ଦେଇ ବ୍ରହ୍ମପୁର, ଆସିକାରୁ ନୟାଗଡ଼ ରୁଟ୍ ରେ ଯାନବାହନ ଚଳାଚଳ ବ୍ୟାହତ ହୋଇଛି । ଫଳରେ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । କାଁ ଭାଁ ଦୁଇଚକିଆ ଚଳାଚଳ କରୁଥିବା ଦେଖିବାକୁ ମିଳିଛି । ତେବେ ସମସ୍ତ ଅତ୍ୟାବଶ୍ୟକ ସେବାକୁ ଏଥିରୁ ବାଦ୍ ଦିଆଯାଇଛି । ଆସିକା ଓକିଲ ସଂଘ ଓ କାର୍ଯ୍ୟାନୁଷ୍ଠାନ କମିଟି ସମେତ ୪୦ଟି ସଂଗଠନ ଓ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତା ଆନ୍ଦୋଳନରେ ସାମିଲ୍ ହୋଇଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ, ଦୀର୍ଘ ଦିନ ହେଲା ଆସିକା ଜିଲ୍ଲା ଗଠନ ଦାବିରେ ଆନ୍ଦୋଳନ ଜାରି ରହିଛି । ଯଦି ତୁରନ୍ତ ଜିଲ୍ଲା ଘୋଷଣା କରାନଯାଏ, ତାହେଲେ ଆଗାମି ଦିନରେ ଆନ୍ଦୋଳନକୁ ଜୋରଦାର୍ କରାଯିବ ବୋଲି ଆନ୍ଦୋଳନକାରୀମାନେ କହିଛନ୍ତି ।