ଗଞ୍ଜାମ, ୧୨ ଅଗଷ୍ଟ – କିଛିଦିନର ନିରବତା ପରେ କେ. ଦୀପିକା ପୁଣି ଥରେ ଦେଶି ବେହେରା ସାହି ସ୍ଥିତ କେ. ଦିନେଶଙ୍କ ଘର ବାରଣ୍ଡାରେ ଧାରଣା ଆରମ୍ଭ କରିଛନ୍ତି । ଗତ ୪ ଦିନ ଧରି ସେ ଦିନେଶଙ୍କ ଘର ସମ୍ମୁଖ ବାରଣ୍ଡାରେ ଧାରଣା ଦେଇଥିବା ବେଳେ ଏବେ ତାଙ୍କୁ ମିଳିଥିବା ଡିଏନଏ ଟେଷ୍ଟ ରିପୋର୍ଟର ଏକ ଫ୍ଲେକ୍ସ ଲଗାଇ ବସିଛନ୍ତି । ଜନ୍ମିତ ପୁଅକୁ ବାପାର ଅଧିକାର ଓ ତାଙ୍କୁ ପତ୍ନୀର ମାନ୍ୟତା ଦାବି କରି ଦୀପିକା ଏହି ଧାରଣା ଦେଇଥିବା ପ୍ରକାଶ କରିଛନ୍ତି ।
ଏନେଇ ବଡ଼ବଜାର ଥାନା ଅଧିକାରୀଙ୍କୁ ପଚାରିବାରେ ଡିଏନଏ ରିପୋର୍ଟ ମିଳିବା ତାଙ୍କର ଅଧିକାର ରହିଛି । ଏବେ ସେ ଏହି ରିପୋର୍ଟକୁ ଧରି ଧାରଣା ଦେଉଛନ୍ତି । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଘଟଣାସ୍ଥଳରେ ୬ ଜଣ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିବା ସେ ସୂଚନାର ଦେଇଛନ୍ତି ।
ପ୍ରକାଶ ଥାଉକି, ଉପରୋକ୍ତ ଦାବି ନେଇ ଦୀପିକା ଗତବର୍ଷ ଠାରୁ ଦିନେଶଙ୍କ ଘର ଆଗରେ ଧାରଣା ଦେଇ ଆସୁଥିଲେ । କିଛି ଦିନ ସେ ଏଥିରୁ ନିବୃତ ରହିବା ପରେ ଗତ ୪ ଦିନ ହେଲା ପୁଣି ଧାରଣା ଆରମ୍ଭ କରିଛନ୍ତି । ଡିଏନଏ ରିପୋର୍ଟରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଥିବା ବେଳେ ଆଜି ପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ମିଳିପାରିଲା ନାହିଁ । ତେଣୁ ନ୍ୟାୟ ପାଇଁ ପୁଣି ସେ ଧାରଣା ଆରମ୍ଭ କରିଥିବା ଗଣମାଧ୍ୟମକୁ କହିଛନ୍ତି । ଧାରଣାର ପ୍ରଥମ ଦିନ ତାଙ୍କ ଉପରେ ଦିନେଶଙ୍କ ମାଆ ଓ ଜେଜେମା ଲଙ୍କାଗୁଣ୍ଡ ପାଣି ପକାଇଥିବା ନେଇ ସେ ବଡ଼ବଜାର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତି କରି ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ କରିଛି । ଏଥିପୂର୍ବରୁ ଦୀପିକା ଧାରଣା ଦେବା ସମୟରେ ବିଭିନ୍ନ ବିବାଦ ଉପୁଜିଥିଲା । ଦୀପିକା ଓ ଦିନେଶ ପରସ୍ପର ବିରୋଧରେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜ୍ଜୁ କରିଛି ।