ଓଡ଼ିଶାରୁ ଭାଗନେବେ ସର୍ବମୋଟ୍ ୭୮ଜଣ କ୍ରୀଡ଼ାବିତ୍
ଭୁବନେଶ୍ୱର, 07 ଡିସେମ୍ବର – ଆଜି ଠାରୁ ୧୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ୍ ଠାରେ ୩୯ତମ ଜାତୀୟ ଜୁନିୟର ଆଥଲେଟିକ୍ସ ଚମ୍ପିୟାନସିପ୍ ଅନୁଷ୍ଠିତ ହେବ । ପାଂଚ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ପ୍ରାୟ ୨୦୦୦ କ୍ରୀଡ଼ାବିତ୍ ଭାଗ ନେଉଥିବାର ସୂଚନା ମିଳିଛି ।
ହରିୟାଣାରୁ ସର୍ବାଧିକ ୧୫୦ ଜଣ କ୍ରୀଡ଼ାବିତ୍ ଏହି ପ୍ରତିଯୋଗିତାରେ ଭାଗନେବେ । ସେହିପରି ଓଡ଼ିଶାରୁ ସର୍ବମୋଟ ୭୮ ଜଣ କ୍ରୀଡ଼ାବିତ୍ ପ୍ରତିଯୋଗିତାରେ ଭାଗ ନେବେ । ଓଡ଼ିଶାରୁ ଭାଗ ନେଉଥିବା କ୍ରୀଡ଼ାବିତ୍ ମାନଙ୍କ ମଧ୍ୟରୁ ୪୩ ଜଣ ପୁରୁଷ କ୍ରୀଡ଼ାବିତ୍ ରହିଥିବା ବେଳେ ୩୫ ଜଣ ମହିଳା କ୍ରୀଡ଼ାବିତ୍ ରହିଛନ୍ତି ।
ପ୍ରକାଶଯୋଗ୍ୟ ଯେ, ଚଳିତ ବର୍ଷ ଓଡ଼ିଶାରେ ୨୭ତମ ନ୍ୟାସନାଲ ଫେଡେରେସନ ସିନିୟର ଆଥଲେଟିକ୍ସ, ୭୦ତମ ଓଡ଼ିଶା ରାଜ୍ୟ ସିନିୟର ଓ ଜୁନିୟର ଆଥଲେଟିକ୍ସ ଚମ୍ପିୟାନସିପ୍ ଏବଂ ୩୫ତମ ଇଷ୍ଟଜୋନ୍ ଜୁନିୟର ଆଥଲେଟିକ୍ସ ଚାମ୍ପିୟାନସିପ୍ ଆଦି କ୍ରୀଡ଼ା ପ୍ରତିଯୋଗିତା ମଧ୍ୟ ଆଗରୁ ଅନୁଷ୍ଠିତ ହୋଇସାରିଛି ।