ଭୁବନେଶ୍ୱର, ୦୧ ନଭେମ୍ବର – କେନ୍ଦ୍ର ସରକାର ଦୀର୍ଘ ୧୧ ବର୍ଷ ହେଲା ଖାଦ୍ୟ ସୁରକ୍ଷା ଯୋଜନା ଲାଗୁ କରିଛନ୍ତି । ରାଜ୍ୟ ସରକାର ମଧ୍ୟ ନିଜସ୍ୱ ପାଣ୍ଠିରୁ ଖାଦ୍ୟ ସୁରକ୍ଷା ଯୋଜନା କାର୍ଯ୍ୟକାରୀ କରିଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ୮୦ କୋଟି ଲୋକଙ୍କୁ ମାସକୁ ୫ କି.ଗ୍ରା. ଚାଉଳ ୨୦୨୮ ପର୍ଯ୍ୟନ୍ତ ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । କିନ୍ତୁ ଏତେସବୁ ଖାଦ୍ୟ ସୁରକ୍ଷା ଯୋଜନା, ଅନ୍ତଃଦ୍ୱୟ ଯୋଜନା ଓ ସାମାଜିକ ସୁରକ୍ଷା ଯୋଜନା କାର୍ଯ୍ୟକାରୀ ହେଉଥିବା ସମୟରେ କନ୍ଧମାଳ ଜିଲ୍ଲାର ଦାରିଙ୍ଗିବାଡି ବ୍ଲକ ଅନ୍ତର୍ଗତ ମାଣ୍ଡିପୁଙ୍କା ଗାଁରେ ୨୦ଜଣ ଆଦିବାସୀ ପରିବାର ଆମ୍ବଟାକୁଆ ଯାଉ କରି ଖାଇବା ସମସ୍ତ ସାମାଜିକ ସୁରକ୍ଷା ଯୋଜନା ପ୍ରତି ଚରମ ଉପହାସ ଓ ଗଣତନ୍ତ୍ର ପ୍ରତି ଚରମ ଆହ୍ୱାନ ବୋଲି ଓଡ଼ିଆ ଅସ୍ମିତା ପରିଷଦ ପକ୍ଷରୁ ଆବାହକ ରବି ବେହେରା ଅଭିଯୋଗ କରିଛନ୍ତି । ଦାରିଦ୍ର୍ୟ ସୀମାରେଖା ତଳେ ଥିବା ସମସ୍ତ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ପରିବାରକୁ ତୁରନ୍ତ ଖାଦ୍ୟ ସୁରକ୍ଷା ଯୋଜନାରେ ରେସନ୍କାର୍ଡ ଯୋଗାଇଦେବା ସହିତ ମନରେଗାରେ ରେଜେଷ୍ଟ୍ରିଭୁକ୍ତ ସବୁ ଶ୍ରମିକଙ୍କୁ ମଧ୍ୟ ରେସନକାର୍ଡ ଯୋଗାଇ ଦେବାକୁ ଶ୍ରୀ ବେହେରା ଦାବି କରିଛନ୍ତି । ଗରିବ ଲୋକଙ୍କର ଖାଦ୍ୟ ସୁରକ୍ଷା ଯୋଜନାକୁ ନିଶ୍ଚିତ କରିବା ସହିତ ଆମ୍ବଟାକୁଆ ଯାଉ ଖାଇ ମୃତ୍ୟୁବରଣ କରିଥିବା ପରିବାରକୁ ସର୍ବନିମ୍ନ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ, ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ମହିଳାମାନଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇଦେବା ସହିତ ପ୍ରତ୍ୟେକଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ସେ ଦାବି କରିଛନ୍ତି । ଏହାବ୍ୟତୀତ ରେସନକାର୍ଡ ଥାଇ ମଧ୍ୟ ଯେଉଁମାନେ ଦୀର୍ଘ ତିନି ମାସ ହେଲା ରେସନ୍ରୁ ବଂଚିତ ହୋଇଛନ୍ତି, ସେମାନଙ୍କୁ ତୁରନ୍ତ ଅନ୍ତଦ୍ୱୟ ଯୋଜନା ଓ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ଯୋଗାଇ ଦେବାକୁ ଓନିଆ ଅସ୍ମିତା ପରିଷଦ ଦାବି କରିଛି । ଯେତେବେଳେ ଭାରତର ରାଷ୍ଟ୍ରପତି ଜଣେ ଆଦିବାସୀ ମହିଳା ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମଧ୍ୟ ଜଣେ ଆଦିବାସୀ, ସେତେବେଳେ ଆମ୍ବ ଟାକୁଆର ଯାଉ ଭଳି ଅଖାଦ୍ୟ ଖାଇ ଆଦିବାସୀ ମହିଳାମାନେ ମୃତ୍ୟୁବରଣ କରିବା ଓଡ଼ିଶା ସରକାରଙ୍କ ପାଇଁ ଏକ ଆହ୍ୱାନ ସୃଷ୍ଟି କରିଛି ବୋଲି ଶ୍ରୀ ବେହେରା କହିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ତୁରନ୍ତ ବଳିଷ୍ଠ ପଦକ୍ଷେପ ଗ୍ରହଣ କରି ସବୁ ଗରିବ ଲୋକଙ୍କର ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ଶ୍ରୀ ବେହେରା ଦାବି କରିଛନ୍ତି ।
Related Stories
December 7, 2024