ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ୬୩ତମ ବୈଠକ ଲୋକ ସେବା ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ମୋଟ ୧୯ଟି ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଛି ।
ରାଜ୍ୟ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ସଂପର୍କରେ ପ୍ରଥମେ ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ରାଜ୍ୟରେ ବ୍ୟାଙ୍କି ସୁବିଧା ନଥିବା ସମସ୍ତ ୪୩୭୩ ଗ୍ରାମ ପଂଚାୟତରେ ଏହି ସୁବିଧା ସଂପର୍କରେ କ୍ୟାବିନେଟ ନିଷ୍ପତ୍ତିର ସୂଚନା ଦେଇଥିଲେ ।
ଏହା ପରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଅନ୍ୟ ସମସ୍ତ ୧୮ ଟି ପ୍ରସ୍ତାବ ରାଜ୍ୟ କ୍ୟାବିନେଟ ଦ୍ୱାରା ସ୍ୱୀକୃତି ଲାଭ କରିଥିବା ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଆଜିର କ୍ୟାବିନେଟ ବୈଠକରେ ୧୨ଟି ବିଭାଗର ମୋଟ ୧୯ ଟି ପ୍ରସ୍ତାବ ଆଗତ କରାଯାଇଥିବା ବେଳେ ସଦୟ ବିଚାର ପୂର୍ବକ ସମସ୍ତ ପ୍ରସ୍ତାବ ଗୁଡିକ ସ୍ୱୀକୃତି ଲାଭ କରିଛି ।
ରାଜ୍ୟ କ୍ୟାବିନେଟ ରାଜ୍ୟର ରାଜ୍ୟରେ ବ୍ୟାଙ୍କି ସୁବିଧା ନଥିବା ସମସ୍ତ ୪୩୭୩ ଗ୍ରାମ ପଂଚାୟତରେ ୫ ଶହ କୋଟି ଟଙ୍କା ବଜେଟ ସହାୟତାରେ ୬ଟି ପବ୍ଲିକ ସେକ୍ଟର ବ୍ୟାଙ୍କ ସହ ସମନ୍ୱୟ ରକ୍ଷା କରି ସିଏସିପି ପ୍ଲସ ବ୍ୟାଙ୍କିଂ ଆଉଟଲେଟ ଖୋଲିବା ସମ୍ପର୍କିତ ପ୍ରସ୍ତାବକୁ ମଂଜୁରୀ ପ୍ରଦାନ କରିଛନ୍ତି ।
ଓଡିଶା ମିଲେଟ ମିଶନ ପାଇଁ ୨୦୨୩-୨୪ରୁ ୨୦୨୬-୨୭ ଚାରି ବର୍ଷ ଯାଏ ୨୬୮୭. ୪୫୮୭ କୋଟି ଟଙ୍କାର ଅର୍ଥ ବ୍ୟବସ୍ଥା କରିବାକୁ ଆସିଥିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମଂଜୁରୀ ପ୍ରଦାନ କରିଛି ।
ବୈଠକରେ ଓଡିଶା ମୋବାଇଲ ଟାୱାର ଓ ଟେଲିଗ୍ରାଫ ଲାଇନ. ଓଏଫସି ଲାଇନ ଓ ରିଟେଲଡ ଟେଲିକମ ଇନଫ୍ରାଷ୍ଟ୍ରକଚର ପଲିସି ୨୦୧୭ର କିଛି ଅଂଶକୁ ସଂଶୋଧନ କରିବାକୁ ଆସିଥିବା ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରାଯାଇଛି ।
ସେହିପରି ଓଡିଶା ଅଧସ୍ତନ ମତ୍ସସେବା (ନିଯୁକ୍ତି ସର୍ତାବଳୀ) ନିୟମ ୨୦୧୩ରେ ସଂଶୋଧନ କରିବାକୁ ଆସିଥିବା ପ୍ରସ୍ତାବକୁ ବୈଠକରେ ଅନୁମୋଦନ କରାଯାଇଛି ।
ଏଥିମଧ୍ୟରେ ନୂତନ ଉନ୍ନତ ଅଭିଳାଷ ବା ନୂଆ ଓଡ଼ିଶା ଯୋଜନାକୁ ମଞ୍ଜୁରି ମିଳିଛି । ଆସନ୍ତା ୩ ବର୍ଷ ମଧ୍ୟରେ ୧ ଲକ୍ଷ ଯୁବକଯୁବତୀଙ୍କୁ ଦକ୍ଷ କରାଯିବା ନେଇ ଏଥିରେ ପ୍ରସ୍ତାବ ରହିଛି । ଏହି ପାଇଁ ୩୮୫ କୋଟି ଟଙ୍କା ଖର୍ଚ୍ଚ ହେବ । ଉନ୍ନତ ମାନର ପ୍ରଶିକ୍ଷଣ, ଶିଳ୍ପ ସଂଯୋଗ କୁ ପ୍ରୋତ୍ସାହିତ, ନିଯୁକ୍ତି ଦକ୍ଷତା କ୍ଷେତ୍ରରେ ଏହା ସହାୟକ ହେବ । ଯୁବ ବର୍ଗଙ୍କ ପାଇଁ ନୂତନ ଦକ୍ଷତା ଏବଂ ଛାତ୍ର ଛାତ୍ରୀଙ୍କ ପାଇଁ ଆଡ ଅନ ସ୍କିଲ ପାଠ୍ୟକ୍ରମ, ଉଚ୍ଚ ଶିକ୍ଷିତ ଯୁବକ ଯୁବତୀମାନଙ୍କ ପାଇଁ ଡିଜିଟାଲ- ଇ ପାଠ୍ୟକ୍ରମ ରଖାଯିବ ।
ଏହାଛଡ଼ା ରାଜ୍ୟର ୩୦ଟି ଜିଲ୍ଲାରେ କାର୍ଯ୍ୟକାରୀ ହେବାକୁ ଥିବା ଦକ୍ଷତା ବିକାଶ ପାଇଁ ସୁଯୋଗ ଦିଆଯିବ । ନାଇଜର ପରିସରରେ ଟାଟା ମେମୋରିଆଲ ପକ୍ଷରୁ କ୍ୟାନ୍ସର ହସ୍ପିଟାଲ ପ୍ରତିଷ୍ଠା ହେବ । ଏଥିଲାଗି ସରକାର ୪୮.୮୪୨ ଏକର ଜମି ପ୍ରଦାନ କରିବେ । ଅସ୍ତରଙ୍ଗ, ଗୋପ, କାକଟପୁର, ଡେଲାଙ୍ଗ, ପୁରୀ ସଦର ଓ ସତ୍ୟବାଦୀରେ ହେବ ପାନୀୟ ଜଳ ପ୍ରକଳ୍ପ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରାଯାଇଛି ।