ଭୁବନେଶ୍ୱର, ୨୨ ଅକ୍ଟୋବର – ବାତ୍ୟା ପୂର୍ବରୁ କଳାବଜାରୀ ରୋକିବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ନବନିର୍ମାଣ କୃଷକ ସଂଗଠନ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଏକ ପ୍ରେସ୍ ବିବୃତିରେ ଅଭିଯୋଗ କରିଛନ୍ତି। ଶ୍ରୀ ନନ୍ଦ କହିଛନ୍ତି ଯେ, ଯୋଗାଣ ବିଭାଗ ଆଦୌ କାମ କରୁନାହିଁ। ଗଣମାଧ୍ୟମରେ ବୟାନ ଦେବା ମନ୍ତ୍ରୀଙ୍କ ଏକମାତ୍ର କାମ ହୋଇଛି। ଦୂରଦୂରାନ୍ତ ଆଭ୍ୟନ୍ତରିଣ ଗ୍ରାମାଂଚଳ କଥା ଛାଡ଼ନ୍ତୁ ଖୋଦ୍ ରାଜଧାନୀ ଛାତି ଉପରେ ବ୍ୟବସାୟୀମାନେ ବିନା କାରଣରେ ଲଗାମ ଛଡ଼ା ଭାବେ ଆଳୁ ୫୦ ଟଙ୍କା ଓ ପିଆଜ ୭୦ ଟଙ୍କା ବିକିଛନ୍ତି। ଗ୍ରାମାଂଚଳରେ ଆଳୁ ୬୫ ଟଙ୍କା ଓ ପିଆଜ ୮୦ ଛୁଇଁଛି। ଏସବୁ ସତ୍ୱେ ଆରଡ଼ିସି, ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଯୋଗାଣ ବିଭାଗର ସ୍ୱାର୍ଡ କେଉଁଠି ଶୋଇଛି ବୋଲି ଶ୍ରୀ ନନ୍ଦ ପ୍ରଶ୍ନ ଉଠାଇଛନ୍ତି। ଗଣତାନ୍ତ୍ରୀକ ବ୍ୟବସ୍ଥାରେ ମନ୍ତ୍ରୀ ଅମଲା ଲୋକଙ୍କ ପଇସାରେ ଗାଡ଼ି, ଘୋଡ଼ା, ବଙ୍ଗଳା ପାଇ ଯଦି ଲୋକଙ୍କ ଲୋକଙ୍କୁ ବିପର୍ଯ୍ୟୟ ସମୟରେ କଳାବଜାରୀଙ୍କ ଠାରୁ ରକ୍ଷା ନକଲେ ସରକାର ଥାଇ ଲାଭ କଣ । ଲୋକେ ଗଲା ୪ ମାସରେ ଦର ବୃଦ୍ଧିର ଢେର କଷଣ ସହିଛନ୍ତି। ପରିବା ଦର୍ ଆକାଶ ଛୁଆଁ ରହିଛି। ଏତେ ସମସ୍ୟା ପରେ ଯଦି ବିନା କାରଣରେ ଲୋକେ କଳା ବଜାରୀର ଶୀକାର ହେଉଛନ୍ତି। ତେବେ ଜାଣିବାକୁ ପଡ଼ିବ ରାଜ୍ୟରେ ଶାସନ ବ୍ୟବସ୍ଥା ଭୁଷୁଡ଼ିଲାଣି। ବିରୋଧି ଦଳରେ ଥିବା ବେଳେ ପୂର୍ବ ଶାସକଙ୍କୁ ସମାଲୋଚନା କରିଥିବା ନୂଆ ଶାସକ ଲୋକଙ୍କୁ ସର୍ବନିମ୍ନ ସେବା ଯୋଗାଇ ନପାରିବା ଚରମ ଅପାରଗତାର ନମୁନା ବୋଲି ଶ୍ରୀ ନନ୍ଦ କହିଛନ୍ତି।