ସମ୍ବଲପୁର, ୧୦ ଅକ୍ଟୋବର – ପୋଲିସ କନଷ୍ଟେବଳଙ୍କୁ ଆକ୍ରମଣ କରି ପାପୁଲି ଛିଣ୍ଡାଇଥିବା ଅଭିଯୁକ୍ତ କମଲୁ ପ୍ରଧାନ ପୋଲିସ ଏନକାଉଣ୍ଟରେ ଗୁରୁତର ଆହତ ହୋଇଛି। ତାକୁ ଚିକିତ୍ସା ନିମନ୍ତେ ଭିମସାରରେ ଭର୍ତ୍ତି କରାଯାଇଛି। କନ୍ଷ୍ଟେବଳ ସରୋଜ ପ୍ରଧାନଙ୍କୁ ଆକ୍ରମଣ କରି ପାପୁଲି ଛିଣ୍ଡାଇଥିବା କମଲୁକୁ ଧରିବା ପାଇଁ ବୁର୍ଲା ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିଲା। ଏହି ସମୟରେ କମଲୁ ଆମସଢ଼ା କଣ୍ଟାପାଲି ଜଙ୍ଗଲରେ ଲୁଚିଥିବା ପୋଲିସକୁ ଖବର ମିଳିଥିଲା। ଖବର ପାଇ ବୁର୍ଲା ଥାନା ଅଧିକାରୀ ଅନିଲ ପ୍ରଧାନଙ୍କ ନେତୃତ୍ବରେ ପୋଲିସ ଦଳ ଅଭିଯୁକ୍ତ କମଲୁ ପ୍ରଧାନକୁ ଧରିବା ପାଇଁ ଉକ୍ତ ଜଙ୍ଗଲରେ ଚଢ଼ଉ କରିଥିଲା। ଏହାଦେଖି କମଲୁ ପୋଲିସକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ପୁଣି ଜଙ୍ଗଲ ମଧ୍ୟରେ ଲୁଚି ଯାଇଥିଲେ। କମଲୁର ଆକ୍ରମଣରେ ବୁର୍ଲା ଥାନାର ପୋଲିସ ଏସଆଇ ଦେବାଶିଷ ଖିଲାର ଗୁରୁତର ଆହତ ହୋଇଛନ୍ତି। ତେବେ ପୋଲିସ ତାକୁ ଆତ୍ମସମର୍ପଣ ପାଇଁ ବାରମ୍ବାର ଆହ୍ବାନ ଦେଇଥିଲା। ମାତ୍ର କମଲୁ ଏହାକୁ କର୍ଣପାତ କରିନଥିଲେ। ଫଳରେ ପୋଲିସ ବାଧ୍ୟ ହୋଇ ଜଙ୍ଗଲ ଭିତରେ ତାକୁ ଏନକାଉଣ୍ଟର କରିଥିଲା। ଫଳରେ ପୋଲିସର ଗୁଳି ତାର ଗୋଡରେ ବାଜିଥିଲା। ସେଠାରୁ କମଲୁକୁ ଗୁରୁତର ଆହତ ଅବସ୍ଥାରେ ପୋଲିସ ଉଦ୍ଧାର କରିଥିଲା। ପରେ ଉଭୟ କମଲୁ ଓ ଏସଆଇ ଖିଲାରଙ୍କୁ ଗୁରୁତର ଆହତ ଅବସ୍ଥାରେ ଭିମସାରରେ ଭର୍ତ୍ତି କରିଛି ପୋଲିସ। ବର୍ତ୍ତମାନ ଉଭୟ ବିପଦମୁକ୍ତ ଥିବା ପୋଲିସ କହିଛି।
ସୂଚନାଯୋଗ୍ଯ ଯେ, ଗତ ୪ ତାରିଖରେ ଝରାପାଲି ଗ୍ରାମର ଏକ ପାରିବାରିକ କଳହର ସମାଧାନ ପାଇଁ ବୁର୍ଲା ଥାନାର କନଷ୍ଟେବଲ ସରୋଜ ପ୍ରଧାନ ଯାଇଥିଲେ। ଏହି ସମୟରେ କମଲୁର ଆକ୍ରମଣରେ ସରୋଜଙ୍କ ହାତ ପାପୁଲି କଟିଯାଇଥିଲା। ବର୍ତ୍ତମାନ ସରୋଜ କଟକର କୌଣସି ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।