ଭୁବନେଶ୍ୱର, 26 ଜୁଲାଇ – ରାଜ୍ୟରେ ଆଳୁ ସଙ୍କଟକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ନବୀନ ଚିଠିରେ ଲେଖିଛନ୍ତି ଯେ ଓଡିଶାବାସୀଙ୍କ ପାଇଁ ଆଳୁ ଅତ୍ୟାବଶ୍ୟକ ଦ୍ରବ୍ୟ । କମ ବର୍ଷା ଯୋଗୁଁ ବଜାରକୁ ଅଳ୍ପ ଆଳୁ ହିଁ ଆସିପାରିଛି । ଯାହାଦ୍ୱାରା ମୂଲ୍ୟ ବଢିଛି । ଏହି ମୂଲ୍ୟ ବଢିବା ଦ୍ୱାରା ସାଧାରଣ ଲୋକ ପ୍ରଭାବିତ ହେବେ । ଓଡିଶା-ପଶ୍ଚିମବଙ୍ଗ ସୀମାରେ ବହୁ ସଂଖ୍ୟାରେ ଆଳୁ ଟ୍ରକ ଅଟକି ରହିଛି । ଓଡିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଦୃଢ ସାଂସ୍କୃତିକ ବନ୍ଧନ ଅଛି ଓ ଆମେ ସମସ୍ତେ ମହାପ୍ରଭୁ ଜଗନ୍ନାଥଙ୍କ ଭକ୍ତ । ତେଣୁ ଆପଣ ଏ ନେଇ ପଦକ୍ଷେପ ନିଅନ୍ତୁ ଓ କିଭଳି ଆଳୁ ଯୋଗାଣ ହୋଇପାରିବ ସେଦିଗରେ ଦୃଷ୍ଟି ଦିଅନ୍ତୁ ।
ଉଲ୍ଲେଖ ଥାଉ କି ପଶ୍ଚିମବଙ୍ଗରୁ ଆମଦାନି ବନ୍ଦ ହେବା ଫଳରେ ଓଡ଼ିଶାରେ ଆଳୁ ବଜାରରେ ଦର ଆକାଶ ଛୁଆଁ ହେବାରେ ଲାଗିଛି । ବର୍ତମାନ ରାଜଧାନୀରେ ଆଳୁ ଦର ୫୦ ଟଙ୍କା ରହଥିବା ବେଳେ ଏହା ଆହୁରି ବଢ଼ିବାର ଆଶଙ୍କା ରହିଛି । ତେଣୁ ଏବେ ଠୁ ଆଳୁ କିଣିବା ପାଇଁ ଲୋକେ ଭିଡ଼ ଜମାଇଲେଣି । ଆଳୁ ସାଧାରଣ ଲୋକଙ୍କ ଅତ୍ୟାବଶକୀୟ ଖାଦ୍ୟ ସାମଗ୍ରୀ ହୋଥିବାରୁ ଏହାର ଦର ବୃଦ୍ଧି ସାଧାରଣ ଖାଉଟିଙ୍କ ପାଇଁ ଚିନ୍ତା ବଢ଼ାଇଛି ।ହିନ୍ଦୁସ୍ଥାନ ସମାଚାର