ଭୁବନେଶ୍ୱର, 26 ଜୁଲାଇ – ରାଜ୍ୟରେ ଆଳୁ ଦର ହୁହୁ ହୋଇ ବଢ଼ି ଚାଲିଛି । ଆଳୁ ଦର ଏବେ କିଲୋ ପିଛା ୫୦ ଟଙ୍କା ଛୁଇଁଲାଣି । ଆଳୁ ଦର ଏବେ ଉପରମୁହାଁ ଥିବା ବେଳେ ପଶ୍ଚିମବଙ୍ଗ ଓଡ଼ିଶାକୁ ଆଳୁ ଗାଡ଼ି ଛାଡ଼ୁନି । ସୀମାରେ ଶହ ଶହ ଗାଡ଼ି ଅଟକି ରହିଛି । ଏପରି ସ୍ଥିତିର ମୁକାବିଲା କରିବା ନିମନ୍ତେ ଉତରପ୍ରଦେଶରୁ ଆଳୁ ମଗାଯିବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
ଅନ୍ୟପକ୍ଷରେ ଆଳୁର ଏ ଅହେତୁକ ଦର ବୃଦ୍ଧି ପରେ ଶୁକ୍ରବାର ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଭୁବନେଶ୍ୱର ଆଇଗିଣିଆ ଆଳୁ ଗୋଦାମକୁ ଯାଇ ସ୍ଥିତି ଯାଂଚ କରିଛନ୍ତି । ମନ୍ତ୍ରୀ କହିଛନ୍ତି, ଏବେ ଯେତିକି ଆଳୁ ମହଜୁଦ ଅଛି, ତାହା ସାତ ଦିନ ଯାଏଁ ରାଜ୍ୟରେ ଆଳୁ ଚାହିଦାକୁ ପୂରଣ କରିପାରିବ । ଆବଶ୍ୟକ ପଡ଼ିଲେ ଉତରପ୍ରଦେଶରୁ ଆମଦାନୀ କରାଯିବ । ଏଥିସହ ସେ ପୂର୍ବ ସରକାରଙ୍କ ଯୋଗୁଁ ମଧ୍ୟ ରାଜ୍ୟରେ ଦର ବୃଦ୍ଧି ହେଉଛି । ଆଳୁ, ପିଆଜ ଉତ୍ପାଦନ ସହ ଶୀତଳ ଭଣ୍ଡାର ହୋଇନଥିବାରୁ ଏପରି ସ୍ଥିତି ଉପୁଜିଥିବା ସେ କହିଛନ୍ତି । ସେହିପରି କଳାବଜାରୀ କଲେ ବ୍ୟବସାୟୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ମନ୍ତ୍ରୀ । ସ୍ଥିତିର ସମୀକ୍ଷା ନିମନ୍ତେ ଆଜି ଅପରାହ୍ନ ୩ଟା ବେଳେ ଜରୁରୀ ବୈଠକ ବସିବା ନେଇ ସୂଚନା ଦେଇଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ।