ଭୁବନେଶ୍ୱର, 25 ଜୁଲାଇ – ପୁଣି ବିଧାନସଭାରେ ଶାସକ-ବିରୋଧୀ ମୁହାଁମୁହିଁରୁ ହଟ୍ଟଗୋଳ ଦେଖାଦେଇଛି । ଶୂନ୍ୟକାଳରେ ବିଧାନସଭା ଓ ସଂସଦର ରୁଲ ଏବଂ ପ୍ରୋସିଡ୍ୟୋୟର ନେଇ ମୁହାଁମୁହିଁ ହୋଇଛନ୍ତି ବିଜେଡ଼ି ବିଧାୟକ ଅରୁଣ ସାହୁ ଏବଂ ସଂସଦୀୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ବିରୋଧୀଦଳ ନେତାଙ୍କୁ ଗିରଫ ଶବ୍ଦ ପ୍ରୋସିଡିଂରୁ ହଟାଇବା ଦାବି କରି ବିଜେଡି ବିଧାୟକ ମାନେ ହୋହାଲ୍ଲା କରିଛନ୍ତି । ଏହି ପ୍ରସଙ୍ଗରେ ପଏଂଟ ଅଫ୍ ଅର୍ଡର ମାଗିଛି ବିରୋଧୀ ବିଜେଡି ।
ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି ଗୃହରେ ଗୋଟେ ଅସଙ୍ଗତି ହୋଇଛି । ତାକୁ ଦୂର କରିବାର ଆବଶ୍ୟକତା ରହିଛି । ବିଧାନସଭା ଆଲୋଚନା ପ୍ରୋସିଡିଂ ଭିତରେ ରୁହେ । ଯଦି ଏଭଳି ଅସଙ୍ଗତି ପ୍ରୋସିଡିଂ ଭିତରେ ରହିବ ତେବେ ଆଗାମୀ ଭବିଷ୍ୟତ ପିଢ଼ି ପାଇଁ ଭୁଲ ଉଦାହରଣ ହୋଇ ରହିବ । ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ହସ୍ତକ୍ଷେପ କରିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ତେବେ ୨୩ ତାରିଖ ଦିନ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ବେଳେ ବିରୋଧୀ ଦଳ ନେତାଙ୍କ ଉପରେ କିଛି ମନ୍ତବ୍ୟ ରଖାଯାଇଛି । ଯାହା ପ୍ରୋସିଡିଂରେ ରହିଛି । ଜୁଲାଇ ୨୩ ତାରିଖ ଦିନ ବିରୋଧୀ ଦଳ ନେତାଙ୍କୁ ‘ଗିରଫ କରାଯାଉ’ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଥିଲେ । ଏହି ବକ୍ତବ୍ୟକୁ ପ୍ରୋସିଡିଂରୁ ବାଦ ଦିଆଯାଉ ବୋଲି ଦାବି କରିଛନ୍ତି ଅରୁଣ ସାହୁ । ଏହାସହ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଦୁଃଖ ପ୍ରକାଶ କରନ୍ତୁ ବୋଲି ଦାବି କରିଛନ୍ତି ଅରୁଣ । ନଚେତ ଯଦି ସାହସ ଅଛି, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଗିରଫ କରନ୍ତୁ ବୋଲି କହିଛନ୍ତି ଅରୁଣ ।
ସେହିପରି ଅରୁଣଙ୍କୁ କାଉଂଟର କରି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ମୁଁ କୌଣସି ଅସାମ୍ବିଧାନିକ ଶବ୍ଦ ବ୍ୟବହାର କରିନାହିଁ । ବିରୋଧୀ ଦଳ ନେତାଙ୍କ ସମ୍ମାନ ହାନି ହେଲା ଭଳି କିଛି କଥା କହିନାହିଁ । ମୋର କୌଣସି ମନ୍ଦ ଉଦ୍ଦେଶ୍ୟ ନଥିଲା । ଗୃହ ଏହାକୁ ବିଚାର କରୁ ବୋଲି କହିଥିଲି । ବିଜେଡ଼ି ସରକାର ଥିବା ବେଳେ ପୂର୍ବତନ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କୁ ପାଗଳ ଏବଂ ରାଂଚି ପଠାଇବା କଥା କହିଥିଲେ । ବିରୋଧୀ ଦଳ ମୁଖ୍ୟ ସଚେତକ ବାଚସ୍ପତିଙ୍କୁ ଲିଖିତ ଭାବେ କହିଛନ୍ତି, ବିଧାନସଭାର ନିୟମାବଳୀରେ ରାଜ୍ୟପାଳ ଅଭିଭାଷଣ ଦେବା ବେଳେ ପଏଂଟ ଅଫ ଅର୍ଡର ମାଗିବାର ବ୍ୟବସ୍ଥା ନାହିଁ । ରାଜ୍ୟପାଳ କହିବା ବେଳେ ପଏଂଟ ଅଫ ଅର୍ଡର ଦିଆଯାଏ କି ବୋଲି ପ୍ରଶ୍ନ କରିଛନ୍ତି ମୁକେଶ ମହାଲିଙ୍ଗ ।