ଭୁବନେଶ୍ୱର, 25 ଜୁଲାଇ – ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତଙ୍କ ଘରେ ଆଜି ରେଡ୍ କରିଛି ଭିଜିଲାନ୍ସ । ଭୁବନେଶ୍ୱର, ପୁରୀ, ଅନୁଗୋଳ, କଟକ, ବଲାଙ୍ଗିର ଜିଲ୍ଲା ସମେତ ଏକକାଳୀନ ୯ଟି ସ୍ଥାନରେ ଚଢ଼ାଉ କରାଯାଇଛି । ବଲାଙ୍ଗିର ଲୋୟର ସୁକତେଲ୍ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଥିଲେ ସୁନୀଲ ରାଉତ ।
ଚଢାଉ ବେଳେ ସୁନୀଲ କୁମାର ରାଉତଙ୍କର ବିପୁଳ ସମ୍ପତି ଠାବ କରାଯାଇଛି । ତାଙ୍କର ୨ଟି ବହୁତଳ କୋଠା ସହିତ ୨ଟି ଫ୍ଲାଟ୍ ଏବଂ ୩୪ଟି ପ୍ଲଟ୍ ଠାବ କରିଛି ଭିଜିଲାନ୍ସ । ଏହା ବ୍ୟତୀତ ତାଙ୍କର ୨ଟି ଟ୍ରକ୍, ୨ଟି ଚାରି ଚକିଆ ଯାନ ଓ ୪ଟି ବାଇକ୍ ଅଛି । ତାଙ୍କ ଘରୁ ୧୭୬ ଗ୍ରାମ ସୁନା ଅଳଙ୍କାର ସହିତ ନଗଦ ୨ ଲକ୍ଷ ୩୪ ହଜାର ଟଙ୍କା ମିଳିଛି । ଭୁବନେଶ୍ୱରର ଚନ୍ଦ୍ରଶେଖରପୁରର ନୀଳାଦ୍ରି ବିହାରରେ ଯନ୍ତ୍ରୀ ସୁନୀଲ କୁମାର ରାଉତଙ୍କର ଗୋଟିଏ ୩ ମହଲା କୋଠା ଅଛି । ସେହିଭଳି ଭୁବନେଶ୍ୱରର ନୟାପଲ୍ଲୀର ନୀଳକଣ୍ଠ ନଗରରେ ତାଙ୍କର ଏକ ୨ ମହଲା କୋଠା ରହିଛି । ପୁରୀର ଦୋଳମଣ୍ଡପସାହି ସ୍ଥିତ ଶ୍ରୀକ୍ଷେତ୍ର ଭକ୍ତ ନିବାସରେ ତାଙ୍କର ଏକ ୨-ବିଏଚକେ ଫ୍ଲାଟ ଅଛି । ପୁରୀର ଭିଆଇପି ରୋଡ୍ ସ୍ଥିତ କୃଷ୍ଣଧାମ ଆପାର୍ଟମେଂଟରେ ତାଙ୍କର ଗୋଟିଏ ୧-ବିଏଚକେ ଫ୍ଲାଟ୍ ଅଛି ।
ଭୁବନେଶ୍ୱର, ପୁରୀ, କଟକ ଓ ଢେଙ୍କାନାଳରେ ଯନ୍ତ୍ରୀ ସୁନୀଲ କୁମାର ରାଉତଙ୍କର ୩୪ଟି ପ୍ଲଟ୍ ଅଛି । ଏହି ସମସ୍ତ ଘର ଓ ପ୍ଲଟ୍ ଗୁଡ଼ିକର ମାପଚୁପ ଓ ମୂଲ୍ୟାୟନ କାର୍ଯ୍ୟ ଜାରି ରଖିଛି ଭିଜିଲାନ୍ସ ।
ସୁନୀଲଙ୍କ ଭୁବନେଶ୍ୱର ନୀଳାଦ୍ରି ବିହାରରେ ଥିବା ତିନି ମହଲା ଘର, ନୟାପଲ୍ଲୀରେ ଦୁଇ ମହଲା କୋଠାରେ ଚଢ଼ାଉ କରିଥିଲା ଭିଜିଲାନ୍ସ ଟିମ୍ । ସେହିପରି ପୁରୀ ଭିଆଇପି ରୋଡ୍ ଓ ଗ୍ରାଣ୍ଡ ରୋଡରେ ଫ୍ଲାଟ୍, କଟକ ଗୁରୁଡ଼ିଝାଟିଆ ସ୍ଥିତ ପୈତୃକ ଘର, ଅନୁଗୋଳ କିଶୋରନଗର ସ୍ଥିତ ସମ୍ପର୍କୀୟଙ୍କ ଘରେ ରେଡ୍ କରାଯାଇଥିଲା ।
ସୁନୀଲଙ୍କ ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ସମ୍ପର୍କୀୟଙ୍କ ଘର, ବଲାଙ୍ଗିର ଘର ଓ ଅଫିସ ଚାମ୍ବରରେ ଚଢ଼ାଉ କରଥିଲା ଭିଜିଲାନ୍ସ । ଦୁଇ ଜଣ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ୮ ଡ଼ିଏସପି, ୬ ଇନ୍ସପେକ୍ଟର, ୧୦ ଏଏସଆଇ ଓ ଅନ୍ୟାନ୍ୟ କର୍ମଚାରୀ ଏହି ଚଢ଼ାଉରେ ସାମିଲ ଥିଲେ ।