– ବାହାର ରତ୍ନଭଣ୍ଡାର ଖୋଲି ଅଳଙ୍କାର ସ୍ଥାନାନ୍ତରିତ
-ଭିତର ରତ୍ନଭଣ୍ଡାର ଖୋଲାଯାଇଛି , ଅଳଙ୍କାର ଖୋଲାଯାଇନି
ପୁରୀ/ଭୁବନେଶ୍ୱର – ଦୀର୍ଘ ୪ ଦଶନ୍ଧିର ପ୍ରତୀକ୍ଷା ପରେ ଖୋଲିଛି ମହାପ୍ରଭୂଙ୍କ ରତ୍ନଭଣ୍ଡାର ।ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ରବିବାର ଦିନ ୧ଟା ୨୮ରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲାଯାଇଛି । ରତ୍ନଭଣ୍ଡାର ଖୋଲିବା ପାଇଁ ଗଠନ କରାଯାଇଥିବା ସ୍ୱତନ୍ତ୍ର ଟିମ୍ ପ୍ରଥମେ ବାହାର ରତ୍ନଭଣ୍ଡାର ଖୋଲିଛନ୍ତି । ପ୍ରଥମେ ବାହାର ରତ୍ନଭଣ୍ଡାର ଖୋଲିବା ପରେ ଅଳଙ୍କାର ସ୍ଥାନାନ୍ତରିତ କରାଯାଇଛି । ଏହାକୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମ୍ କୁ ସ୍ଥାନାନ୍ତରିତ କରାଯାଇଛି । ବାହାର ରତ୍ନଭଣ୍ଡାର ଖୋଲିବାର ପ୍ରାୟ ୨ ଘଂଟା ପରେ ଭିତର ରତ୍ନଭଣ୍ଡାର ତାଲା କଟା ଯାଇ ଖୋଲାଯାଇଛି ।
ଏସମ୍ପର୍କରେ ରତ୍ନ ଭଣ୍ଡାର ଯାଂଚ କମିଟିର ଅଧ୍ୟକ୍ଷ ବିଶ୍ୱନାଥ ରଥ କହିଛନ୍ତି ଯେ ଭିତର ଭଣ୍ଡାରକୁ ନେଇ ଲୋକଙ୍କ ମନରେ ଅବିଶ୍ୱାସ ସୃଷ୍ଟି କରାଯାଇଥିଲା । ପ୍ରଭୁ ଜଗନ୍ନାଥଙ୍କ ନାଁ ନେଇ ଭିତର ଭଣ୍ଡାରକୁ ପ୍ରବେଶ କରିଲୁ । ଭିତରକୁ ଯାଇଥିବା ସଦସ୍ୟମାନଙ୍କର କିଛି କ୍ଷତି ହୋଇନି । ଆମେ ସମସ୍ତେ ସୁରକ୍ଷିତ ।
ସେ କହିଛନ୍ତି ରତ୍ନଭଣ୍ଡାର ନେଇ ପୂର୍ବରୁ ଗପ ଓ ସିନେମା ସୃଷ୍ଟି କରାଯାଇଥିଲା । ଏମିତିକି ଭିତର ଭଣ୍ଡାରରେ ଏତେ ଓଦା ଥିଲା ଭଳି ଅନୁଭବ କରିନି । ଏହା ସହ ଅଳଙ୍କାର ସ୍ଥାନାନ୍ତର ପୂର୍ବରୁ ଓ ପରେ ଭିଡିଓଗ୍ରାଫି କରିଛୁ ବୋଲି କହିଛନ୍ତି । ବାହାର ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତରଣ ହୋଇଛି । ବାହାର ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତର ପୂର୍ବରୁ ଓ ପରେ ଭିଡିଓଗ୍ରାଫି କରିଛୁ ।
ମନ୍ଦିରକୁ ଠିକ୍ ୧୨ଟାରେ ପ୍ରବେଶ କରିଲୁ, ମାଆ ବିମଳା ଓ ଲକ୍ଷ୍ମୀଙ୍କ ଦର୍ଶନ କଲୁ । ଠିକ୍ ୧ଟା ୨୮ରେ ବାହାର ରତ୍ନ ଭଣ୍ଡାର ଏସଓପି ଅନୁସାରେ ଚାବି ଦ୍ୱାରା ଖୋଲିଲୁ ବୋଲି କହିଛନ୍ତି । ବାହାର ଭଣ୍ଡାର ଖୋଲିବା ପରେ ଭିଡିଓଗ୍ରାଫି କରି ଅନ୍ୟତ୍ର ସ୍ଥାନାନ୍ତର କଲୁ । ବାହାର ଭଣ୍ଡାର କାମ ସରିଲା ବେଳକୁ ପ୍ରାୟ ୩ ଘଂଟା ହୋଇଯାଇଥିଲା । ବହୁତ ଦିନ ଧରି ବନ୍ଦ ଥିବାରୁ କିଛି ସ୍ଥାନରେ ପଥର ଓ ଗୁଣ୍ଡ ଖସିଛି । ପୁଣି ୨ଟି ନୂଆ ତାଲା ପକାଇ ସିଲ୍ କରାଗଲା, ଚାବି ଟ୍ରେଜେରୀରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି । ଭିତର ଭଣ୍ଡାରରେ ୩ଟି ତାଲା ପଡ଼ିଥିଲା, ଗୋଟିଏ ସିଲ୍ ଓ ୨ଟି ଅନ୍ ସିଲ୍ ଥିଲା ।
ସୂଚନାଯୋଗ୍ୟ ଯେ ଆଜି ସକାଳେ ଶ୍ରୀଲୋକନାଥଙ୍କ ପାଖରୁ ଆଜ୍ଞାମାଳ ଆସିବା ପରେ ରତ୍ନଭଣ୍ଡାର ଖୋଲିବା ନେଇ ପ୍ରକିୟା ଆରମ୍ଭ ହୋଇଥିଲା । ଅଳଙ୍କାର ରଖାଯିବା ପାଇଁ ଶ୍ରୀମନ୍ଦିରକୁ ବିରାଟକାୟ ୬ଟି ସିନ୍ଦୁକ ଅଣାଯାଇଥିଲା । ଶାଗୁଆନ୍ କାଠ ଓ ପିତଳ କୋଟିଂରେ ତିଆରି କରାଯାଇଛି ଏହି ସବୁ ସିନ୍ଦୁକ । ଭୁବନେଶ୍ୱରର ଏକ ସଂସ୍ଥାକୁ ମୋଟ୍ ୧୫ଟି ସିନ୍ଦୁକ ତିଆରି କରିବା ପାଇଁ ଅର୍ଡର ଦିଆଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ଆଜି ୬ଟି ସିନ୍ଦୁକ ଶ୍ରୀମନ୍ଦିରରେ ପହଂଚିଛି ।
ରତ୍ନଭଣ୍ଡାର ଭିତରକୁ ୧୧ ଜଣ ସଦସ୍ୟ ଯାଇଥିଲେ । ରତ୍ନଭଣ୍ଡାର ଯାଂଚ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ, ସଦସ୍ୟ ଡାକ୍ତର ସିବିକେ ମହାନ୍ତି, ଗଜପତି ମହାରାଜାଙ୍କ ପ୍ରତିନିଧି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ, ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଏଏସ୍ଆଇ ଅଧୀକ୍ଷକ ଡିବି ଗଡ଼ନାୟକ, ରତ୍ନଭଣ୍ଡାର ସବ୍ କମିଟି ସଦସ୍ୟ, ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ଭଣ୍ଡାର ମେକାପ, ତଢ଼ଉ କରଣ ଓ ଦେଉଳ କରଣ ପ୍ରମୁଖ ରତ୍ନଭଣ୍ଡାର ଭିତରକୁ ଯାଇଥିଲେ ।