ଗଞ୍ଜାମ : ହିଞ୍ଜିଳିକାଟୁ ସର୍କିଟ୍ କୋର୍ଟରେ ଛତ୍ରପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ମନୋରଞ୍ଜନ ଦାଶ ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି । ଅଭିଯୁକ୍ତ ନୂଆଦିଲ୍ଲୀର ଆଶିଷ କୁମାରକୁ ଦୋଷୀ ସାବ୍ୟସ୍ତ କରିବା ସହ ତାକୁ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି । ସେହିପରି ୧ ଲକ୍ଷ ଟଙ୍କା ଜୋରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦେୟ ଅଧିକ ୧ ବର୍ଷ ଜେଲ୍ ଦଣ୍ଡ ଭୋଗିବାକୁ ହେବ ବୋଲି ରାୟରେ ଦର୍ଶାଯାଇଛି ।
୨୦୧୯ ଜୁଲାଇ ୨୧ ତାରିଖରେ ଏସଆଇ ବିଶ୍ଵଜିତ ନାୟକ ରାତ୍ରକାଳୀନ ପାଟ୍ରୋଲିଂ ସମୟରେ ହିଞ୍ଜିଳିକାଟୁ ନିକଟସ୍ଥ ଖଣ୍ଡରା ଛକରେ ଆଶିଷକୁ ଅଟକାଇ ଯାଂଚ୍ କରାଯାଇଥିଲା । ଯାଞ୍ଚ୍ ବେଳେ ତା ନିକଟରୁ ୪୫ କେଜି ଗଞ୍ଜେଇ ଜବତ କରାଯିବା ସହ ଘଟଣାରେ ତାକୁ ଗିରଫ କରି କୋର୍ଟଚାଲାଣ କରାଯାଇଥିଲା । ତଦନ୍ତକାରୀ ଅଧିକାରୀ ପ୍ରଦୀପ୍ତ କୁମାର ଦାଶ ଚାର୍ଜସିଟ୍ ଦାଖଲ କରିବା ପରେ କୋର୍ଟରେ ଶୁଣାଣି ଆରମ୍ଭ ହୋଇଥିଲା । ଏହି କ୍ରମରେ ଆଜି ଛତ୍ରପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ୧୨ ଜଣଙ୍କ ସାକ୍ଷ୍ୟ ଓ ପ୍ରମାଣକୁ ଆଧାର କରି ଏହି ଦଣ୍ଡାଦେଶ ଶୁଣାଇଛନ୍ତି।