ପୁରୀ, ୭ ଜୁଲାଇ – ଆଜି ପବିତ୍ର ଶୀଗୁଣ୍ଡିଚା ଯାତ୍ରା । ରତ୍ନବେଦି ଛାଡି ଜନ୍ମବେଦିକୁ ବିଜେ କରୁଛନ୍ତି ଚତୁର୍ଦ୍ଧାମୂର୍ତି । ବଡ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହିତ ରତ୍ନବେଦିରୁ ଜନ୍ମବେଦିକୁ ନବ ଦିନ ବ୍ୟାପୀ ଯାତ୍ରା କରୁଛନ୍ତି ଜଗତର ନାଥ ଜଗନ୍ନାଥ । ବଡଦାଣ୍ଡ ଭକ୍ତମୟ ହୋଇ ଉଠିଛି । ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଘଂଟ ଘଂଟା, ହୁଳହୁଳି, ହରିବୋଲ ଓ ଜୟ ଜଗନ୍ନାଥ ଧ୍ଵନୀରେ ବଡ଼ଦାଣ୍ଡ କମ୍ପି ଉଠିଛି । ଝିପି ଝିପି ବର୍ଷା ଓ ଖରାର ଲୁଚକାଳି ଖେଳ ମଧ୍ୟରେ ଶ୍ରୀଜୀଉମାନେ ପହଣ୍ଡି ହୋଇ ରଥାରୁଢ଼ ହୋଇଥିଲେ ।
ଆଜି ସକାଳୁ ମଙ୍ଗଳାର୍ପଣ ପରେ ଶୋତ୍ରିୟ ବ୍ରାହ୍ମଣ ରଥ ପ୍ରତିଷ୍ଠା କରିଥିଲେ । ପରେ ପହଣ୍ଡି କାର୍ଯ୍ୟ ଆରମ୍ଭ ହୋଇଥିଲା । ଘଂଟ ଘଂଟା ମୃଦଙ୍ଗରେ ପ୍ରକମ୍ପିତ ହୋଇ ଉଠିଥିଲା ସମ୍ପୂର୍ଣ୍ଣ ପରିବେଶ । ଧାଡି ପହଣ୍ଡିରେ ଶ୍ରୀବିଗ୍ରହ ମାନେ ରଥାରୁଢ଼ ହୋଇଥିଲେ । ପ୍ରଥମେ ସୁଦର୍ଶନ ମହାପ୍ରଭୁ ରଥ ଉପରେ ବିରାଜମାନ କରିଥିଲେ । ପରେ ଶ୍ରୀ ବଳଭଦ୍ର, ଏହାପରେ ଦେବୀ ସୁଭଦ୍ରା ରଥାରୁଢ଼ ହୋଇଥିଲେ । ଶେଷରେ ଟାହିଆ ହଲାଇ ଝୁଲି ଝୁଲି ଆସି ରଥାରୁଢ଼ ହୋଇଥିଲେ କାଳିଆ ଠାକୁର । ପରେ ପରେ ମଦନମୋହନ, ରାମକୃଷ୍ଣ ରଥରେ ବିଜେ କରିଥିଲେ । ନିର୍ଦ୍ଧାରିତ ସମୟ ପୂର୍ବରୁ ଅପରାହ୍ନ ୩ଟା ସୁଦ୍ଧା ପହଣ୍ଡି ଶେଷ ହୋଇଥିଲା । ପରେ ଶ୍ରୀଜୀଉମାନଙ୍କୁ ଚିତାଲାଗି ହୋଇଥିଲା । ଶଙ୍କରାଚାର୍ଯ୍ୟ ନିଜର ଅନୁଗାମୀ ମାନଙ୍କ ସହିତ ଯାଇ ତିନି ରଥରେ ତିନି ଠାକୁରଙ୍କୁ ଦର୍ଶନ କରିଥିଲେ । ଗଜପତି ମହାରାଜ ତିନି ରଥରେ ଛେରାପହଁରା କାର୍ଯ୍ୟ ସମ୍ପନ୍ନ କରିବା ପରେ ଚାରମାଳ ବନ୍ଧା ଓ ଏହାପରେ ରଥରେ ଘୋଡ଼ା ଯୋଚାଯାଇ ଅପରାହ୍ନ ୫ଟା ପରେ ରଥଟଣା ଆରମ୍ଭ ହୋଇଥିଲା । ଘର୍ ଘର୍ ନାଦ କରି ନନ୍ଦିଘୋଷ, ତାଳଧ୍ଵଜ ଓ ଦର୍ପଦଳନ ରଥ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡି ଚାଲିଥିଲେ । ପ୍ରଥମେ ଶ୍ରୀ ବଳଭଦ୍ରଙ୍କ ତାଳଧ୍ଵଜ ରଥ ଟଣା ଯାଇଥିଲା । ଏହାପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଏବଂ ଶେଷରେ ଗଡ଼ିଥିଲା ନନ୍ଦିଘୋଷ ରଥ ।
ଆଜି ଭୋରରୁ ଦ୍ଵାର ଫିଟା ପରେ ଶ୍ରୀଜୀଉଙ୍କ ଦୈନନ୍ଦିନ ନୀତିକାନ୍ତି ମଙ୍ଗଳ ଆଳତୀ, ମଇଲମ, ତଡ଼ପ ଲାଗି, ରୋଷ, ହୋମ ପରେ ଅବକାଶ ଓ ସୂର୍ଯ୍ୟପୂଜା ଅନୁଷ୍ଠିତ ହୋଇଥିଲା । ପରେ ପରେ ଦ୍ଵାରପାଳ ପୂଜା ଓ ବେଶ ଶେଷ ହୋଇଥିଲା । ସକାଳ ଧୂପ, ଗୋପାଳ ବଲ୍ଲଭ ସରିବା ପରେ ଶ୍ରୀଜୀଉମାନଙ୍କୁ ଖେଚୁଡ଼ି ଭୋଗ ଲାଗି କରାଯାଇଥିଲା । ମଙ୍ଗଳାର୍ପଣ ପରେ ପହଣ୍ଡି ଆରମ୍ଭ ହୋଇଥିଲା । ପହଣ୍ଡି ସମୟରେ ଓଡ଼ିଶୀ ନୃତ୍ୟ, ଶିବ ତାଣ୍ଡବ, ହନୁମାନ ନୃତ୍ୟ ପରିବେଷଣ କରି କଳାକାର ମାନେ ସେଠାରେ ଭାକ୍ତିକ ମାହୋଲ ସୃଷ୍ଟି କରିଛନ୍ତି । ଘଂଟ ଘଂଟା, ହୁଳହୁଳି, ହରିବୋଲ ଓ ଜୟ ଜଗନ୍ନାଥ ଧ୍ଵନୀରେ ସିଂହଦ୍ଵାର କମ୍ପି ଉଠିଥିଲା । ଜ୍ଵରରୁ ସୁସ୍ଥ ହେବା ପରେ ଆଜି ନବଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ଚତୁର୍ଦ୍ଧାମୂର୍ତି ।
ରଥଯାତ୍ରା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ୧୮୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ଜଳ, ସ୍ଥଳ ଓ ଆକାଶ ମାର୍ଗରୁ ଏହା ଉପରେ ନଜର ରଖାଯାଇଛି । ଟ୍ରାଫିକ୍ ର ସୁପରିଚାଳନା ପାଇଁ ୨୧ଟି ସ୍ଥାନରେ ସ୍ଵତନ୍ତ୍ର ପାର୍କିିଂ ବ୍ୟବସ୍ଥା କରାଯାଇଛି । ସହରର ବିଭିନ୍ନ ସ୍ଥାନରେ ୬୧ଟି ସିସିଟିଭି ଲଗାଯାଇଛି । ଶ୍ରୀମନ୍ଦିର ଭିତର, ବାହାର, ବଡ଼ଦାଣ୍ଡ ଓ ସମୁଦ୍ର କୂଳରେ ସୁରକ୍ଷା ପାଇଁ ପୋଲିସ ମୁତୟନ ହୋଇଛନ୍ତି ।