ଭୁବନେଶ୍ୱର, 5 ଜୁଲାଇ – ଗତ ଜୁଲାଇ ୨ ତାରିଖରେ ବିଜେପି ଯୁବ ମୋର୍ଚ୍ଚାର କର୍ମୀମାନେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ସ୍ଥାନୀତ ରାହୁଲ ଗାନ୍ଧୀଙ୍କର ପୋଷ୍ଟରକୁ ଗୋବର ଫିଙ୍ଗି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ଯେଉଁଭଳି ଭାବରେ ଗୁଣ୍ଡାଗର୍ଦ୍ଦି କଲେ ତାର ପ୍ରତିବାଦରେ ପ୍ରଦେଶ ଛାତ୍ର କଂଗ୍ରେସ, ପ୍ରଦେଶ ଯୁବ କଂଗ୍ରେସ ଏବଂ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ଭୁବନେଶ୍ୱର ପୋଲିସ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ମିଳିତ ଧାରଣା ଦିଆଯାଇଛି । ଏକ ବିଶାଳ ରାଲିରେ ଏଡିଏମଙ୍କ କାର୍ଯ୍ୟାଳୟ ଠାରୁ କଂଗ୍ରେସ, ଛାତ୍ର କଂଗ୍ରେସ, ଯୁବ କଂଗ୍ରେସ, ମହିଳା କଂଗ୍ରେସର କର୍ମୀମାନେ ପୋଲିସ କମିଶନରଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ । ସେଠାରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ କହିଥିଲେ ଯେ ଧର୍ମନାମରେ ଭାରତୀୟ ଜନତାପାର୍ଟି ନିରୀହ ଜନତାଙ୍କୁ ଭୁଆଁ ବୁଲାଉଛନ୍ତି । ଲୋକସଭାରେ ଜନନାୟକ ରାହୁଲ ଗାନ୍ଧୀ ହିନ୍ଦୁ ଧର୍ମ ସମ୍ପର୍କରେ ଯେଉଁ ବକ୍ତବ୍ୟ ରଖିଲେ ତାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାରତୀୟ ଜନତାପାର୍ଟି କଦର୍ଥ କରୁଛି । ରାହୁଲ ଗାନ୍ଧୀଙ୍କର ହିନ୍ଦୁ ଧର୍ମ ପ୍ରତି ଅସୀମ ସମ୍ମାନ, ଭକ୍ତି ଓ ଶ୍ରଦ୍ଧା ରହିଛି । ସେ ନିଜେ ଜଣେ ଶିବ ଭକ୍ତ । ମାତ୍ର ବିଜେପିର କଥାକଥିତ ନେତାମାନେ ଯେଉଁମାନେ ହିନ୍ଦୁ ଧର୍ମର ଠିକାଦାର ବୋଲି ନିଜକୁ ଦାବି କରୁଛନ୍ତି ସେମାନେ ହିନ୍ଦୁ ଧର୍ମର ଅମାପ କ୍ଷତି କରୁଛନ୍ତି ।
ପ୍ରଦେଶ କଂଗ୍ରେସ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର କହିଥିଲେ ଯେ ଭାରତୀୟ ଜନତାପାର୍ଟି ରାହୁଲ ଗାନ୍ଧୀଙ୍କର ଉତୁଙ୍ଗ ନେତୃତ୍ୱ, ଦେଶଭକ୍ତି, ଦୁର୍ନୀତି ବିରୋଧି ସଂଗ୍ରାମ ଏବଂ ଦେଶର ଅଖଣ୍ଡତା ରକ୍ଷାପାଇଁ ଯେଉଁ ଆବେଗ ତାହାକୁ ବିଜେପି ଦଳ ସହ୍ୟ କରୁପାରୁ ନାହିଁ । ବିଜେପି ଓଡ଼ିଶାରେ କ୍ଷମାତାକୁ ଆସିବାର ମାସେ ହୋଇନାହିଁ, ହେଲେ ନିଜ ଦଳର ଅସଲ ଚରିତ୍ରର ପରିଚୟ ଦେଉଛନ୍ତି । ବିଜେପି ଦଳ ସମାଜରେ ଶାନ୍ତି ଚାହେଁ ନାହିଁ । ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଲେ ଯେ ବିଜେପି ଏକ ସ୍ୱତନ୍ତ୍ର ହିନ୍ଦୁ ଧର୍ମ ସୃଷ୍ଟି କରିବାପାଇଁ ଚେଷ୍ଟା କରୁଛି, ଯେଉଁଥିରେ ସନାତନ ଧର୍ମର ମୂଳମନ୍ତ୍ରକୁ ବିକୃତ କରାଯାଉଛି । ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଭାରତୀୟ ଜନତାପାର୍ଟିର ହିଟଲରୀ ବାଦକୁ ଦୃଢ଼ ନିନ୍ଦା କରିଥିଲେ ।
ପରିଶେଷରେ ଏକ ପ୍ରତିନିଧି ଦଳ ପୋଲିସ କମିଶନରଙ୍କୁ ସାକ୍ଷାତ କରି ସ୍ମାରକପତ୍ର ପ୍ରଦାନ କରିଥିଲେ । ଦୋଷୀଙ୍କୁ ତୁରନ୍ତ ଗିରଫ କରି ଦଣ୍ଡବିଧାନ କରିବାପାଇଁ କଂଗ୍ରେସ ପକ୍ଷରୁ ଯେଉଁ ଦାବି କରାଯାଇଥିଲା ତାହାକୁ କାର୍ଯ୍ୟକାରି କରିବାପାଇଁ କମିଶନର ପ୍ରତିଶ୍ରୁତି ଦେଇଥିଲେ ।