ଭୁବନେଶ୍ୱର – ଓଡ଼ିଶାରେ ବିଜେଡି ଓ ବିଜେପି ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ । ଏଠାରେ ବିଜେଡି ଓ ବିଜେପି ମେଂଟ ବନାମ କଂଗ୍ରେସ ଲଢ଼େଇ ହେଉଛି । ତେଣୁ ଏହି ଜନବିରୋଧୀ ଅଘୋଷିତ ମେଂଟ ବିରୋଧରେ ଓଡ଼ିଶାବାସୀଙ୍କ ଆଗରେ କଂଗ୍ରେସ ମାତ୍ର ଗୋଟିଏ ବିକଳ୍ପ ରହିଛି । ଆଉ କଂଗ୍ରେସ ସର୍ବଦା ସାଧାରଣ ଜନତାଙ୍କ ସହିତ ରହିଆସିଛି ବୋଲି ରାଜ୍ୟସଭା ସାଂସଦ ତଥା ଏଆଇସିସି ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି ।
ଓଡ଼ିଶା ଗସ୍ତ ଅବସରରେ ମଙ୍ଗଳବାର କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ରମେଶ କହିଲେ ଯେ, ବର୍ତମାନ କେବଳ ନିର୍ବାଚନ ପାଇଁ ବିଜେଡି ଓ ବିଜେପି ଓଡ଼ିଆ ଭାଷା ଓ ଅସ୍ମିତାର କଥା କହୁଛନ୍ତି । ବାସ୍ତବରେ ଓଡ଼ିଆ ଭାଷା ଓ ଅସ୍ମିତା ପାଇଁ ସେମାନଙ୍କର କୌଣସି ଆନ୍ତରିକତା ନାହିଁ । ସଂସଦରେ ଓଡ଼ିଆ ଭାଷାକୁ ନେଇ ୨୦୨୦ ମାର୍ଚ୍ଚ ୧୬ରେ ମୁଁ ପ୍ରସଙ୍ଗ ଉଠାଇଥିଲି । ମୋଦି ସରକାରଙ୍କ କାର୍ଯ୍ୟକାଳରେ ସଂସ୍କୃତ ଭାଷା ପାଇଁ ୬,୫୦୦ କୋଟି ଟଙ୍କା ଦିଆଯାଇଥିବା ବେଳେ ଓଡ଼ିଆ ଭାଷା ପାଇଁ ଟଙ୍କାଟିଏ ମଧ୍ୟ ଦିଆଯାଇନାହିଁ । କିନ୍ତୁ ମନମୋହନ ସିଂହଙ୍କ ସମୟରେ ୬ଟି ଭାଷା ସଂସ୍କୃତ, ତାମିଲ, ମାଲାୟଲମ, କନ୍ନଡ, ତେଲୁଗୁ ଏବଂ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦିଆଯାଇଥିଲା । ବର୍ତମାନ ପ୍ରଧାନମନ୍ତ୍ରୀ ନିର୍ବାଚନ ପ୍ରଚାରରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ଓ ବିଜେଡି ବିରୋଧରେ ଲୋକ ଦେଖାଣିଆ ଭାଷଣ ଦେଉଛନ୍ତି । ବିଜେଡି ନେତାମାନେ ମଧ୍ୟ ପ୍ରଚାର ମଇଦାନରେ ବିଜେପିକୁ ସମାଲୋଚନା କରୁଛନ୍ତି । ତେବେ ଏସବୁ କେବଳ ଓଡ଼ିଶାବାସୀଙ୍କୁ ଭଣ୍ଡାଇବା ପାଇଁ ଚାଲିଛି । ଯଦି ମୋଦି ସରକାରଙ୍କର ବିଜେଡି ସହିତ ବୁଝାମଣା ନାହିଁ, ତେବେ ଓଡ଼ିଶାରେ ହୋଇଥିବା ସବୁଠାରୁ ବଡ଼ ଖଣି ଦୁର୍ନୀତି ଓ ଚିଟ୍ଫଣ୍ଡ୍ ଦୁର୍ନୀତିର ସିବିଆଇ ତଦନ୍ତକୁ କାହିଁକି ଚାପି ଦିଆଯାଇଛି ବୋଲି ଶ୍ରୀ ରମେଶ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି, ସଂସଦରେ ସବୁବେଳେ ବିଜେଡି ବିଜେପିକୁ ସମର୍ଥନ ଦେଇଆସିଛି ।
ସେହିପରି ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରି ଶ୍ରୀ ରମେଶ କହିଲେ ଯେ ଦେଶରେ ଏମିତି କେହି ମୁଖ୍ୟମନ୍ତ୍ରୀ ନାହାନ୍ତି, ଯିଏକି ଦୀର୍ଘ ୨୪ବର୍ଷ ମଧ୍ୟରେ ପଦଟିଏ ହେଲେ କହିନାହାନ୍ତି । ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ କ୍ଷେତ୍ରରେ ନୀରବ ରହିବା ଏ ରାଜ୍ୟ ଓ ରାଜ୍ୟବାସୀଙ୍କ ପାଇଁ ଶୁଭଙ୍କର ନୁହେଁ । ଯେତେବେଳେ ସଂସଦରେ କୃଷକ ବିରୋଧୀ ଆଇନ, ଆଦିବାସୀ ବିରୋଧୀ ଆଇନ ଓ ଜମି ଅଧିକାର ବିରୋଧରେ ଆଇନ ଆସିଲା ସେତେବେଳେ ବିଜେଡି ସାଂସଦମାନେ କାହିଁକି ବିରୋଧ କଲେ ନାହିଁ? ସାମାଜିକ, ଆର୍ଥିକ ଜାତି ଜନଗଣନାକୁ ବିଜେଡି ସରକାର ସମର୍ଥନ କରିବେ କି ନାହିଁ ବୋଲି ଶ୍ରୀ ରମେଶ ପ୍ରଶ୍ନ କରିଛନ୍ତି । ଓଡ଼ିଶାରେ ବିଜେଡି ସରକାର ଆଦିବାସୀଙ୍କ ଜଙ୍ଗଲ ଜମି ଅଧିକାର ଓ ପେସା ଆଇନକୁ ବନ୍ଦ କରିଦେଇଛନ୍ତି । ଆଦିବାସୀଙ୍କ ଜମି ହଡ଼ପ କରିବା ସହ ଖଣି, ପାଣି ଆଦି ପ୍ରାକୃତିକ ସମ୍ପଦକୁ ବିକ୍ରି କରିଦେଇଛନ୍ତି । ହେଲେ ଏହା ବିରୋଧରେ ସିବିଆଇ କିମ୍ବା ଇଡି ତଦନ୍ତ ହେଉନାହିଁ ।
ଏହି ଅବସରରେ କଂଗ୍ରେସର ଇସ୍ତାହାର ସମ୍ପର୍କରେ ସୂଚନା ଦେଇ ସେ କହିଲେ ଯେ କଂଗ୍ରେସ ୫ ନ୍ୟାୟ ଓ ୨୫ ଗ୍ୟାରେଂଟିକୁ ନେଇ ନିର୍ବାଚନ ଲଢ଼ୁଛି । ଏହା ନାରୀ ନ୍ୟାୟ, କୃଷକ ନ୍ୟାୟ, ଯୁବା ନ୍ୟାୟ, ଶ୍ରମିକ ନ୍ୟାୟ ଓ ଭାଗିଦାରୀ ନ୍ୟାୟ ଉପରେ ଆଧାରିତ । କଂଗ୍ରେସ କ୍ଷମତାକୁ ଆସିଲେ ପ୍ରତ୍ୟେକ ଗରିବ ପରିବାରର ଜଣେ ମହିଳାଙ୍କୁ ବାର୍ଷିକ ୧ଲକ୍ଷ ଟଙ୍କା ପ୍ରଦାନ ସହ ସମସ୍ତ ସ୍ନାତକ ଡିଗ୍ରୀଧାରୀଙ୍କ ପ୍ରଥମ ନିଯୁକ୍ତି ପକ୍କା କରାଯିବ । ଏଥିସହ ବିଧାନସଭା କ୍ଷେତ୍ରରେ ମଧ୍ୟ କଂଗ୍ରେସ ସ୍ୱତନ୍ତ୍ର ଭାବେ ଅଲଗା ଇସ୍ତାହାର ପ୍ରସ୍ତୁତ କରିଛି । ତେଣୁ ଓଡ଼ିଶାବାସୀ ଉଭୟ ଲୋକସଭା ଓ ବିଧାନସଭା ଆସନରେ କଂଗ୍ରେସକୁ ବିଜୟୀ କରିବାକୁ ସେ ଅନୁରୋଧ କରିଛନ୍ତି ।
ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ପ୍ରଭାରୀ ଡ. ଅଜୟ କୁମାର, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ପିସିସି ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗ ଅଧ୍ୟକ୍ଷ ଡ. ବିଶ୍ୱରଞ୍ଜନ ମହାନ୍ତି, ବରିଷ୍ଠ କଂଗ୍ରେସ ନେତା ଡ. ରାମଚନ୍ଦ୍ର ଖୁଂଟିଆ, ଶିବାନନ୍ଦ ରାୟ, ଏଆଇସିସି ମିଡିଆ ସଂଯୋଜକ ପ୍ରଭାତ କୁମାର ଓ ରିତୁ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ ।