ଭୁବନେଶ୍ୱର – ନବରଙ୍ଗପୁରରେ ରୁବେଲା ଭାଇରସ ଦେଖାଦେବା ପରେ ଗର୍ଭବତୀଙ୍କୁ ସତର୍କ କରାଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର । ସେ କହିଛନ୍ତି ଗର୍ଭବତୀ ମହିଳାଙ୍କ ଠାରେ ରୁବେଲା ହେଲେ ସେମାନଙ୍କ ସନ୍ତାନଙ୍କ କ୍ଷେତ୍ରରେ ମଧ୍ୟ ଜନ୍ମରୁ ଏହି ଭାଇରସ ଦେଖା ଦେଇଥାଏ । ତେଣୁ ଗର୍ଭବତୀ ମହିଳାଙ୍କ ଶରୀରରେ ରାସେସ ଦେଖାଗଲେ ଅବା ସେମାନଙ୍କୁ ଜ୍ୱର ହେଲେ ତୁରନ୍ତ ଟେଷ୍ଟିଂ କରାନ୍ତୁ । ନବରଙ୍ଗପୁରର ଦୁଇଟି ବ୍ଲକରେ ୧୮ ରୋଗୀଙ୍କ ଦେହରେ ଜ୍ୱର ଓ ରାସେସ ଲକ୍ଷଣ ଥିଲା । ଏହି ରୋଗୀ ମାନେ ତେନ୍ତୁଳୀଖୁଂଟି ଓ ନନ୍ଦାହାଣ୍ଡି ବ୍ଲକର । ତେବେ ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ସ୍ପଷ୍ଟ କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।
ସେ କହିଛନ୍ତି, ଭୟଭୀତ କି ଆତଙ୍କିତ ହୁଅନ୍ତୁ ନାହିଁ । ଆମର ଆରଆରଟି ଟିମ୍ ସରଭେଲାନ୍ସ କରୁଛି । ଇମ୍ୟୁନାଇଜେସନକୁ ଗୁରୁତ୍ୱ ଦେଉଛୁ । ବିଶେଷ କରି ବର୍ତମାନ ୧ ବର୍ଷ, ୬ ବର୍ଷ ଓ ୮ ବର୍ଷ ପିଲାଙ୍କ ଭିତରେ ଏହି ଭାଇରସ ବଢ଼ୁଥିବା ଦେଖାଯାଉଛି । ସେମାନଙ୍କୁ ବେଶୀ ଗୁରୁତ୍ୱ ଦିଆଯାଉଛି । ନୂଆ ମାମଲା ଆସି ନାହିଁ । ଏଯାଏଁ ମୋଟ୍ ୧୮ ନମୂନାରୁ ୨ ରୁବେଲା ପଜିଟିଭ ଓ ଜଣେ ମିଳିମିଳା ପଜିଟିଭ ଚିହ୍ନଟ ହୋଇଥିବା ସ୍ପଷ୍ଟ କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।