ସାଲେପୁର , 28 ଏପ୍ରିଲ : ଚଳିତ ସାଧାରଣ ନିର୍ବାଚନ ୨୦୨୪ରେ କଂଗ୍ରେସ ଦଳ ପକ୍ଷରୁ ନିଖିଳ ଭାରତୀୟ କଂଗ୍ରେସ କମିଟିର ପ୍ରାକ୍ତନ ଅଧ୍ୟକ୍ଷ ରାହୁଳ ଗାନ୍ଧି ରବିବାର ଓଡିଶା ଗ୍ରସ୍ତରେ ଆସି ପ୍ରଥମେ ପ୍ରଚାର ଆରମ୍ଭ କରିଛନ୍ତି । ପ୍ରଥମେ ସତ୍ୟଭାମାପୁରର କୁଳବୃଦ୍ଧ ମଧୁସୂଦନ ଦାସଙ୍କ ଜନ୍ମ ପୀଠକୁ ଯାଇ ତାଙ୍କର ୧୭୬ତମ ଜୟନ୍ତୀ ଅବସରରେ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ । ପରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ ଅଧିନ ନିୟନ୍ତ୍ରୀତ ବଜାର କମିଟି କେନ୍ଦୁପାଟଣା କୁଳିଆ ପଡିଆଠାରେ କଂଗ୍ରେସ କର୍ମୀ ସମାବେଶରେ ଯୋଗଦେଇ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇଥିଲେ । ପି.ସି.ସି. ସଭାପତି ଶରତ ପଟ୍ଟନାୟକଙ୍କ ସଂଯୋଜନାରେ ମୁଖ୍ୟଅତିଥି ଭାବେ ରାହୁଳ ଗାନ୍ଧି ଯୋଗଦେଇ କେନ୍ଦ୍ରର ମୋଦୀ ସରକାର ଓ ରାଜ୍ୟରେ ନବୀନ ସରକାର ଉପରେ ଆରମ୍ଭରୁ ବର୍ଷିଥିଲେ । ସୂଚନାଯୋଗ୍ୟ କେନ୍ଦ୍ରାପଡା ସାଂସଦୀୟ କ୍ଷେତ୍ର ହେଉଛି ବିଜେଡିର ଦୁର୍ଗ । ନିର୍ବାଚନ ପ୍ରଚାରର ପ୍ରଥମରୁ ଏହି ଦୁଇ ସରକାରଙ୍କୁ ରଣହୁଙ୍କାର ଦେଇ ଗର୍ଜିଥିଲେ । ସମାବେଶରେ ଓଡିଶାବାସୀଙ୍କୁ କଂଗ୍ରେସର ପାଞ୍ଚ ଗ୍ୟାରେଣ୍ଟି ବିଷୟରେ କହିଥିଲେ । ମହିଳାଙ୍କୁ ୨ ହଜାର ଟଙ୍କା ପ୍ରଦାନ, ବେକାର ଯୁବକ ଯୁବତୀଙ୍କୁ ମାସକୁ ୩ ହଜାର ଟଙ୍କା, ସମସ୍ତ ଯୁବକ ଯୁବତୀଙ୍କୁ ଚାକିରୀ, ୫୦୦ ଟଙ୍କାରେ ରନ୍ଧନ ଗ୍ୟାସ୍, ୨୦୦ ୟୁନିଟ୍ ଯାଏ ମାଗଣା ବିଜୁଳି, ଧାନର ସହାୟକ ମୂଲ୍ୟ୩ ହଜାର ଟଙ୍କା କରାଯିବା, କୃଷକଙ୍କ ଋଣ ଛାଡ ଓ ମନରେଗା ଯୋଜନାରେ ମଜୁରୀ ୪୦୦ ଟଙ୍କା କରାଯିବ ବୋଲି ଶ୍ରୀ ଗାନ୍ଧି ତାଙ୍କ ଭାଷଣରେ କହିଥିଲେ । ଏହି ସମାବେଶରେ ରାଜ୍ୟ ପ୍ରଭାରୀ ଅଜୟ କୁମାର, ତେଲେଙ୍ଗାନାର ଉପମୁଖ୍ୟମନ୍ତ୍ରୀ ପାଲଭକ୍ତି ଭେଙ୍କେଟେମଣ, ପୂର୍ବତନ ପିସିସି ସଭାପତି ପ୍ରଶାନ୍ତ ହରିଚନ୍ଦନ, କଂଗ୍ରେସ ରାଜ୍ୟ ନିର୍ବାଚନ ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତଚରଣ ଦାସ, ଜୟଦେବ ଜେନା, ନିରଞ୍ଜନ ପଟ୍ଟନାୟକ, ଶ୍ରୀକାନ୍ତ ଜେନା, ମହମ୍ମଦ ମୋକିମ୍, କଟକ ଜିଲ୍ଲା କଂଗ୍ରେସ କମିଟି ସଭାପତି ମାନସ ଚୌଧୁରୀଙ୍କ ସମେତ ବିଧାୟକ ପାର୍ଥୀ ରାମଚନ୍ଦ୍ର ଗୋଚ୍ଛାୟତ, ରତିକାନ୍ତ କାନୁନଗୋ, ସିପ୍ରା ମଲ୍ଲିକ, ଲୋକନାଥ ମହାରଥି, ଡ. ଦେବସ୍ମିତା ଶର୍ମା, ମହମ୍ମଦ ୟାକୁବ ଖାଁ, ଦେବେନ୍ଦ୍ର କୁମାର ସାହୁ, ସୋଫିଆ ଫିର୍ଦ୍ଦୋଶ, ସାଂସଦୀୟ କ୍ଷେତ୍ରର ଲୋକସଭା ପ୍ରାର୍ଥୀ ଇଂ. ସିଦ୍ଧାର୍ଥ ସାରଥି ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।
Related Stories
December 7, 2024