ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଜେପିର ଚାର୍ଜସିଟ୍ ଲୋକାର୍ପିତଭୁବନେଶ୍ବର, 24 ଏପ୍ରିଲ – ଭାରତୀୟ ଜନତା ପାର୍ଟି ପକ୍ଷରୁ ୨୫ ବର୍ଷର ଅପାରଗ ବିଜେଡି ସରକାର ବିରୁଦ୍ଧରେ ଏକ ଚାର୍ଜସିଟକୁ ଆଜି ଲୋକାର୍ପଣ କରାଯାଇଛି । କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ରାଜଧାନୀରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟାଳୟରେ ଏହାର ଲୋକାର୍ପଣ କରିଛନ୍ତି । ଏହି ଚାର୍ଜସିଟର ନାମ ‘କେତେ ଦିନ ସହିବା, ପରିବର୍ତ୍ତନ ଆଣିବା’ ତଥା 25 ବର୍ଷର ପାପ ପେଡି ରଖା ଯାଇଛି । ଏଥିରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ନିର୍ବାଚନ ପ୍ରଭାରୀ ବିଜୟସିଂ ତୋମର, ସହ ପ୍ରଭାରୀ ଲତା ଉଣ୍ଡେସି, ପୂର୍ବତନ ସଭାପତି ସମୀର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଯାଦବ କହିଛନ୍ତି, ନବୀନ ସରକାର 314ଟି ବ୍ଲକରେ ଶୀତଳ ଭଂଡାର ଠାରୁ ଆରମ୍ଭ କରି ଜଳସେଚନ ପାଇଁ ପ୍ରତିଶ୍ରୁତି ଦେଇଥିଲା। ମାତ୍ର ସବୁ କ୍ଷେତ୍ରରେ ନବୀନ ସରକାର ବିଫଳ ହୋଇଛନ୍ତି । ରାଜ୍ୟର ଚାଷୀ ମାନଙ୍କ ଆୟ ସାରା ଦେଶରେ ସବୁଠାରୁ କମ ରହିଛି । ରାଜ୍ୟରେ ଆଇନ ଶୃଙ୍ଖଳ ପରିସ୍ଥିତି ଅତ୍ୟନ୍ତ ଖରାପ ରହିଛି ।

ଶିକ୍ଷା, ସ୍ବାସ୍ଥ୍ୟ ପାନୀୟ ଜନ ସମସ୍ୟା ତଥା ଅନ୍ୟ ଜ୍ୱଳନ୍ତ ପ୍ରସଙ୍ଗକୁ ନେଇ ରାଜ୍ୟର ବାସ୍ତବିକ ସ୍ଥିତିକୁ ନେଇ ଏହି ଚାର୍ଜସିଟ୍ ପ୍ରସ୍ତୁତ କରାଯାଇଛି । ଏହି ଚାର୍ଜସିଟକୁ କେବଳ ଅଭିଯୋଗ କରିବାକୁ ଅଣା ଯାଇ ନାହିଁ । ବରଂ ଏଥିରେ ପ୍ରଦତ ତଥ୍ୟ ରାଜ୍ୟ ସରକାରଙ୍କ ତଥା ସରକାରୀ ଏଜେନ୍ସି ମାନଙ୍କ ଦ୍ୱାରା ଦିଆଯାଇଥିବା ତଥ୍ୟ ଆଧାରରେ ପର୍ଯ୍ୟବେଷିତ ।
ଓଡ଼ିଶାବାସୀଙ୍କଠାରୁ ତାମିଲନାଡ଼ୁକୁ କାହିଁକି ଶସ୍ତାରେ ବିଜୁଳି ଦିଆଯାଉଛି ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ। ସେ କହିଛନ୍ତି, ଓଡ଼ିଶା ଲୋକେ ବିଜୁଳି ୟୁନିଟ ପିଛା ୨ ଟଙ୍କା ୮୩ ପଇସା ଦେଉଛନ୍ତି, ହେଲେ ତାମିଲନାଡୁ ବିଦ୍ୟୁତ୍ ବିତରଣ ସଂସ୍ଥା ୟୁନିଟ ପିଛା ୨ଟଙ୍କା ୫୩ ପଇସା ଦେଉଛି। ଓଡ଼ିଶାରେ ଶାସନ ଲାଇନଚ୍ୟୁତ ହୋଇଛି। ଠିକ୍ ସେହିପରି ଯୋଗ୍ୟ ଲୋକଙ୍କୁ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦିଆଯାଉନାହି ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି।
ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ରାଜ୍ୟରେ ଓଡ଼ିଆ ଲୋକଙ୍କ ଅସ୍ମିତା ପାଇଁ ଲଢ଼େଇ କରିବ ବିଜେପି। ଓଡ଼ିଶାରେ ଅଫିସରଙ୍କ ଆତଙ୍କରାଜ ଚାଲିଛି। ଆଜି ରାଜ୍ୟର ମନ୍ତ୍ରୀ, ବିଜେଡି ବିଧାୟକ ଓ ସାଂସଦଙ୍କ ମୁହଁରୁ ପଦୁଟି କଥା ବାହାରୁନାହିଁ।