ଉତ୍ତରାଖଣ୍ଡର ଋଷିକେଶରେ ଆୟୋଜିତ ବିଶାଳ ଜନସଭାରେ ପିଏମ ମୋଦିଙ୍କ ସମ୍ବୋଧନ
ନୂଆଦିଲ୍ଲୀ , 11 ଏପ୍ରିଲ : ଆଦରଣୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁରୁବାର ଦିନ ଉତରାଖଣ୍ଡର ଋଷିକେଶ ଠାରେ ଆୟୋଜିତ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ ଜନସାଧାରଣ ଲଗାତାର ତୃତୀୟ ଥର ପାଇଁ ସେ ବିଜେପି ନେତୃତ୍ବାଧୀନ ଏନଡିଏ ସରକାର ଗଠନ ପାଇଁ ମନ ବଳାଇ ସାରିଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ, ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ବହୁଗୁଣା, ଗଢୱାଲରୁ ବିଜେପି ପ୍ରାର୍ଥୀ ଅନିଲ ବଲୁନୀ, ହରିଦ୍ୱାରରୁ ବିଜେପି ପ୍ରାର୍ଥୀ ତ୍ରିବେନ୍ଦ୍ର ସିଂହ ରାୱତ ଓ ଟିହରି ଗଡୱାଲରୁ ବିଜେପି ପ୍ରାର୍ଥୀ ମାଲା ରାଜ୍ୟ ଲକ୍ଷ୍ମୀ ଶାହ ସମେତ ପାର୍ଟିର ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପି ପ୍ରାର୍ଥୀ ଅନିଲ ବଲୁନୀ, ତ୍ରିବେନ୍ଦ୍ର ସିଂହ ରାୱତ ଓ ମାଲା ରାଜ୍ୟ ଲକ୍ଷ୍ମୀ ଶାହଙ୍କୁ ବିପୁଳ ଭୋଟରେ ବିଜୟୀ କରାଇବାକୁ ଆହ୍ବାନ ଦେଇଛନ୍ତି ।
ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଦେବଭୂମି ଉତ୍ତରାଖଣ୍ଡରେ ଦେବତାମାନଙ୍କର ଆବାହନ କରିବାର ପରମ୍ପରା ରହିଛି, ଏବଂ ଆଜି ମୋତେ ବି ହୁଡକା ବଜାଇ ଏହି ସୌଭାଗ୍ୟ ପ୍ରାପ୍ତ ହୋଇଛି । ଦେଶର ଦକ୍ଷିଣ ପ୍ରାନ୍ତରୁ ନେଇ ହିମାଳୟର କୋଳ ଉତ୍ତରାଖଣ୍ଡ ଯାଏ ପୁଣି ଥରେ ମୋଦି ସରକାର ନାରା ଗୁଞ୍ଜରିତ ହେଉଥିବାର ଶୁଣିବାକୁ ମିଳୁଛି । ଦେଶରେ ଏହି ନାରା ଏଥିପାଇଁ ଗୁଞ୍ଜରିତ ହେଉଛି ଯେ, କାହିଁକି ନା ଲୋକେ ପୂର୍ଣ୍ଣ ବହୁମତର ସ୍ଥିର ସରକାରର 10ବର୍ଷର କାର୍ଯ୍ୟକୁ ଦେଖିଛନ୍ତି । ଆଜି କେନ୍ଦ୍ରରେ ଏକ ଏଭଳି ସରକାର ଅଛି, ଯିଏକି ଭାରତକୁ ପୂର୍ବାପେକ୍ଷା ବହୁଗୁଣାରେ ସୁଦୃଢ କରିଛି । ଯେତେବେଳେ ଭାରତରେ ଦୁର୍ବଳ ଓ ଅସ୍ଥିର ସରକାର ରହିଛି, ଶତ୍ରୁମାନେ ଏହାର ଲାଭ ଉଠାଇଛନ୍ତି ଏବଂ ଦେଶରେ ଆତଙ୍କବାଦ ନିଜର ପକ୍ଷ ବିସ୍ତାର କରିଛନ୍ତି । କିନ୍ତୁ ଦେଶରେ ମୋଦି ସରକାର ଅଛି, ଯିଏକି ଆତଙ୍କବାଦୀଙ୍କୁ ଘରେ ପଶି ମାରୁଛି । ଭାରତର ସ୍ଥିର ଓ ମଜବୁତ ସରକାର କାରଣରୁ ଯୁଦ୍ଧ କ୍ଷେତ୍ରରେ ବି ଦେଶର ତ୍ରିରଙ୍ଗା, ସୁରକ୍ଷାର ଗ୍ୟାରେଂଟି ହୋଇଯାଏ । କେନ୍ଦ୍ରର ବିଜେପି ସରକାର ହିଁ ସାତ ଦଶନ୍ଧି ପରେ, ଜମ୍ମୁ-କଶ୍ମୀରରୁ ଧାରା 370କୁ ଦୂର କରିବାର, ତିନ ତଲାକ ବିରୁଦ୍ଧ ଆଇନ ତିଆରି କରିବାର ସାହସ କରିଛି । ବିଜେପି ସରକାର ଦେଶର ନାରୀଶକ୍ତିକୁ ଲୋକସଭା ଓ ବିଧାନସଭାରେ ସଂରକ୍ଷଣ ଓ ସାଧାରଣ ବର୍ଗର ଗରିବଙ୍କୁ ବି 10 ପ୍ରତିଶତ ସଂରକ୍ଷଣ ଦେବା ପାଇଁ କାମ କରିଛି ।
ଶ୍ରୀ ମୋଦି କହିଛନ୍ତି ଯେ, ଯଦି କଂଗ୍ରେସ କ୍ଷମତାରେ ଥାନ୍ତା, ତେବେ ୱାନ ରାଙ୍କ, ୱାନ ପେନସନ କେବେ ବି ଲାଗୁ ହୋଇନଥାନ୍ତା, କିନ୍ତୁ ମୋଦି ସରକାର ଏହି ଗ୍ୟାରେଂଟିକୁ ପୂରଣ କରି ଦେଖାଇଛନ୍ତି । କଂଗ୍ରେସ କହିଥିଲା ଯେ, ପୂର୍ବତନ ସୈନିକଙ୍କୁ ୱାନ ରାଙ୍କ ୱାନ ପେନସନ ଲାଗୁ କରି 5ଶହ କୋଟି ଟଙ୍କା ଦେବ । ମୋଦି ସରକାର ୱାନ ରାଙ୍କ, ୱାନ ପେନସନ ମାଧ୍ୟମରେ 1ଲକ୍ଷ କୋଟି ଟଙ୍କାରୁ ଅଧିକ ପୂର୍ବତନ ସୈନିକଙ୍କ ଖାତାକୁ ପଠାଇଛନ୍ତି ଏବଂ ଉତ୍ତରାଖଣ୍ଡର ସୈନିକଙ୍କ ପରିବାରକୁ ସାଢେ ତିନି ହଜାର କୋଟି ଟଙ୍କାରୁ ଅଧିକ ପଠାଯାଇଛି । କଂଗ୍ରେସ ଶାସନକାଳରେ ସୈନିକଙ୍କ ନିକଟରେ ଶତ୍ରୁଙ୍କ ଗୁଳିରୁ ନିଜ ଜୀବନ ବଂଚାଇବା ପାଇଁ ବୁଲେଟ୍ ପ୍ରୁଫ ଜ୍ୟାକେଟ ନଥିଲା, କିନ୍ତୁ ବିଜେପି ସରକାର ଭାରତରେ ନିର୍ମିତ ବୁଲେଟ ପ୍ରୁଫ ଜ୍ୟାକେଟ ସୈନିକଙ୍କୁ ଯୋଗାଇ ତାଙ୍କ ସୁରକ୍ଷା ପାଇଁ କାମ କରିଛନ୍ତି । ଆଜି ଆଧୁନିକ ରାଇଫଲ ଠାରୁ ଆରମ୍ଭ କରି ଯୁଦ୍ଧ ବିମାନ ଓ ବିମାନ ବାହାକ ପୋତ ଯାଏ ଭାରତରେ ନିର୍ମାଣ ହେଉଛି । କଂଗ୍ରେସର ଦୁର୍ବଳ ସରକାର ସୀମାକୁ ଆଧୁନିକ ଭିତ୍ତିଭୂମି ଯୋଗାଇ ପାରିନଥିଲା କିନ୍ତୁ ଆଜି ବିଜେପି ସରକାର ଅଧୀନରେ ଦେଶର ସୀମାନ୍ତ ଅଂଚଳରେ ଆଧୁନିକ ରାସ୍ତା ଓ ସୁଡଙ୍ଗ ନିର୍ମାଣ ହେଉଛି ।
ଆଦରଣୀୟ ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି ଯେ, ଏହି ଦଶକ ଉତ୍ତରାଖଣ୍ଡର ଦଶକ ଅଟେ । ଦୀର୍ଘ ସମୟରୁ ଲୋକେ ଅନ୍ୟ ରାଜ୍ୟ ଓ ଦେଶରୁ ଯୋଗ ପାଇଁ ଋଷିକେଶ ଆସୁଛନ୍ତି । ପର୍ଯ୍ୟଟନ କ୍ଷେତ୍ରରେ ରାଫ୍ଟିଂ ହେଉ କି କ୍ୟାମ୍ପିଂ କିମ୍ବା ଆଧ୍ୟାତ୍ମ୍ୟର କଥା ଋଷିକେଶ ସବୁଠୁ ଆଗରେ ରହିଛି । ବିଜେପି ସରକାର ଉତ୍ତରାଖଣ୍ଡର ପର୍ଯ୍ୟଟନକୁ ପ୍ରୋତ୍ସାହିତ କରି ରୋଜଗାରର ନୂଆ ସୁଯୋଗ ସୃଷ୍ଟି କରୁଛନ୍ତି । ପର୍ଯ୍ୟଟକଙ୍କ ଯାତ୍ରାକୁ ସୁଗମ ଓ ସରଳ କରିବା ପାଇଁ ବିଜେପି ସରକାର କଠିନ ପ୍ରୟାସ କରୁଛନ୍ତି, ଏଥିପାଇଁ ଦେବଭୂମିରେ ସଡକ ପଥ, ରେଳପଥ ଓ ଆକାଶପଥର ସୁବିଧାକୁ ନିୟମିତ ଭାବେ ବୃଦ୍ଧି କରାଯାଉଛି ।
ଶ୍ରୀ ମୋଦି କହିଛନ୍ତି ଯେ, ଋଷିକେଶ କର୍ଣ୍ଣପ୍ରୟାଗ ରେଲୱେ ଲାଇନ ପାଇଁ ଦ୍ରୁତଗତିରେ କାମ ଚାଲୁଛି । ଦିଲ୍ଲୀରୁ ଡେରାଡୁନର ଦୂରତା ବି ହ୍ରାସ ପାଇଛି । ଉତ୍ତରାଖଣ୍ଡର ସୀମାବର୍ତ୍ତୀ ଗାଁକୁ କଂଗ୍ରେସ ଅନ୍ତିମ ଗ୍ରାମ କହୁଥିଲା, କିନ୍ତୁ ବିଜେପି ସେଗୁଡିକୁ ଦେଶର ପ୍ରଥମ ଗାଁ ବିବେଚନା କରି ଅଂଚଳର ବିକାଶ କରୁଛି । ମାନସଖଣ୍ଡ ତୀର୍ଥସ୍ଥଳୀ ପରି ଆଦି କୈଳାସ ଓ ଓମପର୍ବତ ପାଇଁ ହେଲିକପ୍ଟର ସେବା ଆରମ୍ଭ ହୋଇଛି । ଯମୁନେତ୍ରୀ, କେଦାରନାଥ, ହେମକୁଣ୍ଡ ସାହିବରେ ରୋପ ୱେ କାରଣରୁ ଏବେ ତୀର୍ଥଯାତ୍ରୀ ସୁବିଧାଜନକ ଦର୍ଶନ କରିପାରିବେ । ଚାରିଧାମ ପ୍ରକଳ୍ପ ଅଧୀନ କେଦାରନାଥ, ବଦ୍ରିନାଥ, ଗଙ୍ଗୋତ୍ରୀ ଓ ଯମୁନେତ୍ରୀକୁ ପ୍ରାୟ 900 କିଲୋମିଟର ଦୀର୍ଘ ରାଜପଥରେ ଯୋଡାଯାଉଛି । ଏହି ସମସ୍ତ ଉଦ୍ୟମରେ ଶ୍ରଦ୍ଧାଳୁଙ୍କୁ ଉତ୍ତରାଖଣ୍ଡରେ ପହଂଚିବା ବହୁତ ସହଜ ହେବ । ବିଜେପିର ଉଦ୍ଦେଶ୍ୟ ଠିକ୍ ଥିବା କାରଣରୁ ଆଜି ଏହା ସମ୍ଭବ ହୋଇପାରିଛି । ଏବଂ ଉଦ୍ଦେଶ୍ୟ ଠିକ୍ ଥିଲେ ଫଳାଫଳ ବି ଠିକ୍ ହୋଇଥାଏ ।
ଆଦରଣୀୟ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗତବର୍ଷ ପ୍ରାୟ 20ଲକ୍ଷ ଯାତ୍ରୀ କେଦାରନାଥ ଦର୍ଶନ ପାଇଁ ପହଂଚିଥିଲେ ଏବଂ ଯଦି ଚାରିଧାମ ଯାତ୍ରାର ଆଲୋଚନା କରିବା ତେବେ ଗତବର୍ଷ 55ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଉତ୍ତରାଖଣ୍ଡ ଯାତ୍ରା କରିଛନ୍ତି । ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଗତବର୍ଷ ସେ ମାନସଖଣ୍ଡରେ ଆଦିକୈଳାସ ଓ ଓମପର୍ବତର ଯାତ୍ରା କରିଥିଲେ, ଯାହାଦ୍ୱାରା ଲୋକେ ହିମାଳୟରେ ଥିବା ଅଲୌକିକ ସ୍ଥାନକୁ ଦେଖିବାର ସୁଯୋଗ ପାଇଥିଲେ । ପର୍ଯ୍ୟଟନର ଏହି ବିସ୍ତାର କେବଳ ଗୋଟିଏ ଅଂଚଳର ବିକାଶ ନୁହେଁ, ଏହାଦ୍ୱାରା ରୋଜଗାର ପାଇଁ ଅଧିକରୁ ଅଧିକ ସୁଯୋଗ ସୃଷ୍ଟି ହେଉଛି ।
ଉତ୍ତରାଖଣ୍ଡରେ ହେଉଥିବା ବିକାଶ ଦ୍ୱାରା ପଳାୟନର ଖବର ବର୍ତ୍ତମାନ ଯେପରି ପୁରୁଣା ଦିନର କଥା ହୋଇଯାଇଛି । ଏବେ ଉତ୍ତରାଖଣ୍ଡରୁ ଷ୍ଟାଟଅପ୍ ର ଖବର ଶୁଣିବାକୁ ମିଳୁଛି । ଉତ୍ତରାଖଣ୍ଡରେ ଯୁବକମାନେ ହଜାରେରୁ ଅଧିକ ଷ୍ଟାଟଅପ୍ ପଞ୍ଜୀକରଣ କରିଛନ୍ତି ଏବଂ ଏହା ମଧ୍ୟରୁ ପାଖାପାଖି ୫୦୦ ଷ୍ଟାଟଅପ୍ ରେ ଦେଶର ଝିଅମାନେ ନେତୃତ୍ୱ ନେଉଛନ୍ତି । ମୁଦ୍ରା ଯୋଜନା ମାଧ୍ୟମରେ ଲକ୍ଷ ଲକ୍ଷ ଯୁବକଙ୍କୁ ବିନା ଗ୍ୟାରେଣ୍ଟିରେ ଋଣ ମିଳିଛି । କଂଗ୍ରେସର ଶାସନକାଳରେ ଗରୀବର ଟଙ୍କା ମଧ୍ୟସ୍ଥିମାନେ ହଜମ କରି ନେଉଥିଲେ ,କିନ୍ତୁ ଭାଜପା ସରକାରରେ ଲୋକଙ୍କୁ ସେମାନଙ୍କ ପଇସା ସିଧା ସେମାନଙ୍କ ଖାତାରେ ପହଞ୍ଚାଇଦିଆଯାଉଛି ।
ଶ୍ରୀ ମୋଦୀ ଇଣ୍ଡି ମେଣ୍ଟ ଉପରେ ଟାର୍ଗେଟ୍ କରି କହିଛନ୍ତି ଯେ ମୁଁ କହୁଛି ଭ୍ରଷ୍ଟାଚାର ହଟାଅ, କିନ୍ତୁ ସେମାନେ କହୁଛନ୍ତି ଭ୍ରଷ୍ଟାଚାରୀ ବଞ୍ଚାଅ । ଦେଶର ଲୋକଙ୍କ ପାଇଁ ଭ୍ରଷ୍ଟାଚାର କ୍ଷତିକାରଣ ଓ ଏହାର ଶେଷ ହେବା ଜରୁରୀ ଅଟେ । ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେତେ ପର୍ଯ୍ୟନ୍ତ ଦେଶବାସୀଙ୍କ ସମର୍ଥନ ଓ ଆଶୀର୍ବାଦ ଭାଜପା ସହିତ ଅଛି , ମୋଦୀ ସବୁ ବାଧା ପରେ ମଧ୍ୟ ଭ୍ରଷ୍ଟାଚାର ବିରୋଧରେ ଲଢେଇ କରୁଥିବ । କଂଗ୍ରେସ ନେତାମାନଙ୍କ ପ୍ରାଥମିକତା ଏବଂ ପରମ୍ପରା ସର୍ବପ୍ରଥମେ ଦିଲ୍ଲୀର ରାଜ ପରିବାର ପାଇଁ ହୋଇଥାଏ କିନ୍ତୁ ମୋ ପାଇଁ ମୋ ଦେଶର ୧୩୦ କୋଟି ଜନତା ହିଁ ମୋର ପରିବାର ।
ମାନନୀୟ ପ୍ରଧାନମନ୍ତ୍ରୀ ଜୀ କହିଛନ୍ତି ଯେ ସେ ନିଜ ଜୀବନର ମହତ୍ତ୍ୱପୂର୍ଣ୍ଣ ସମୟ ଦେବଭୂମି ଉତ୍ତରାଖଣ୍ଡରେ ବିତେଇଛନ୍ତି । ପୂର୍ବ ସମୟରେ ଗଢୱାଲ ଠାରୁ ନେଇ କୁମାଉଁ ପର୍ଯ୍ୟନ୍ତ ମହିଳାଙ୍କ ଦୈନିକ ଦିନଚର୍ଯ୍ୟା କାଠ, ପାଣି ଓ ପଶୁମାନଙ୍କ ପାଇଁ ଚାରା ଯୋଗାଡ କରିବାରେ ହିଁ ଶେଷ ହୋଇଯାଉଥିଲା । ମୋଦୀ ସରକାର ମହିଳାଙ୍କ ସମସ୍ୟା ବୁଝି ପ୍ରତି ଘରକୁ ଗ୍ୟାସ ସିଲିଣ୍ଡର ପହଞ୍ଚାଇଲା । ୨୦୧୯ ପର୍ଯ୍ୟନ୍ତ ଉତ୍ତରାଖଣ୍ଡର ୧୦ ପରିବାର ମଧ୍ୟରେ ଗୋଟିଏ ପାଖରେ ପାଣି ସଂଯୋଗ ଉପଲବ୍ଧ ଥିଲା । ଭାଜପା ସରକାରରେ ଏହି ସ୍ଥିତି ବଦଳି ଗଲା । ଆଜି ଉତ୍ତରାଖଣ୍ଡର ୧୦ ପରିବାର ମଧ୍ୟରୁ ୯ଟି ପରିବାରର ଘରେ ଟ୍ୟାପ ଯୋଗେ ପାଣିର ସୁବିଧା ଉପଲବ୍ଧ ହୋଇଛି । ମୋଦି ସରକାର ଆଗାମୀ ୫ ବର୍ଷ ପାଇଁ ମାଗଣା ରାସନ୍ ଓ ଆୟୁଷ୍ମାନ ଭାରତ ଯୋଜନାକୁ ମଧ୍ୟ ସୁନିଶ୍ଚିତ କରିଛନ୍ତି । ଉତ୍ତରାଖଣ୍ଡକୁ ଏମସ୍ ମିଳିଛି । ଗ୍ରାମୀଣ କ୍ଷେତ୍ରରେ ହସ୍ପିଟାଲ ଓ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ନିର୍ମାଣ କରାଯାଉଛି । ଉତ୍ତରାଖଣ୍ଡର ଭାଜପା ସରକାର ପରିଶ୍ରମର ସହିତ ଉତ୍ତମ କାର୍ଯ୍ୟ କରୁଛି ।
ଶ୍ରୀ ମୋଦୀ କଂଗ୍ରେସକୁ ଟାର୍ଗେଟ୍ କରି କହିଛନ୍ତି ଯେ କଂଗ୍ରେସ ବିକାଶ ଓ ଐତିହ୍ୟର ଦାନର ବିରୋଧୀ । କଂଗ୍ରେସ ପ୍ରଭୂ ଶ୍ରୀରାମଙ୍କ ଅସ୍ତିତ୍ୱ ଉପରେ ପ୍ରଶ୍ନ ଉଠାଇଥିଲା । କଂଗ୍ରେସ ରାମ ମନ୍ଦିରର ବିରୋଧ କଲା ଓ ରାମ ମନ୍ଦିର ନିର୍ମାଣରେ ଆଇନ୍ ର ସାହାରା ନେଇ ସବୁ ପ୍ରକାର ବାଧା ସୃଷ୍ଟି କରିବାକୁ ଉଦ୍ୟମ କରିଥିଲା । ରାମ ଭକ୍ତ ଓ ମନ୍ଦିର ନିର୍ମାଣକାରୀମାନେ କଂଗ୍ରେସର ସବୁ ଭୁଲକୁ କ୍ଷମା କଲେ, ସେମାନଙ୍କ ପାଖକୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାର ନିମନ୍ତ୍ରଣ ପଠାଇଲେ , କିନ୍ତୁ କଂଗ୍ରେସ ଏହି ଭବ୍ୟ ଆୟୋଜନକୁ ଆସିଲା ନାହିଁ । କଂଗ୍ରେସ ଶପଥ ନେଇ ସାର୍ବଜନୀନ ଭାବେ ଘୋଷଣା କଲା ଯେ ସେମାନେ ହିନ୍ଦୁ ଧର୍ମର ଶକ୍ତି ର ବିନାଶ କରିବେ । କଂଗ୍ରେସ ଶକ୍ତି ସ୍ୱରୂପା ମା’ ଧାରୀ ଦେବୀ , ମା’ ଚନ୍ଦ୍ରବନ୍ଦ୍ରୀ, ମା’ ଜ୍ୱାଲପା ଦେବୀ ଙ୍କ ଶକ୍ତି ଶେଷ କରିବାକୁ ଚାହୁଁଛି । ଉତ୍ତରାଖଣ୍ଡର ବିଶ୍ୱାସକୁ ଶେଷ କରିବାର ଷଡଯନ୍ତ୍ରରେ କଂଗ୍ରେସର ଏହି କଥା ନିଆଁରେ ଘିଅ ଢାଳିବାର କାମ କରୁଛି । କଂଗ୍ରେସ କହୁଛି ଯେ ମା’ ଗଙ୍ଗା ହରିଦ୍ୱାରର ହର୍ କି ପୌଡିରେ ନୁହେଁ ବରଂ ଏକ ନାଳରେ ରହିଛି । କଂଗ୍ରେସ ଏବେ ମା’ ଗଙ୍ଗାଙ୍କ ଅସ୍ତିତ୍ୱ ଉପରେ ପ୍ରଶ୍ନ ଉଠାଇଲାଣି । ବର୍ତ୍ତମାନ ଉତ୍ତରାଖଣ୍ଡର ଲୋକ ଏମାନଙ୍କୁ ମଜା ଚଖାଇବେ ।
ଆଦରଣୀୟ ପ୍ରଧାନମନ୍ତ୍ରୀଜୀ କହିଛନ୍ତି ଯେ ଉତ୍ତରାଖଣ୍ଡର ପରିଚୟ ବ୍ରହ୍ମକମଳ ସହିତ ଜଡିତ । ଏହି ଭୂମି ବ୍ରହ୍ମକମଳର ଭୂମି ଓ ଏଥର ମଧ୍ୟ ଗର୍ବର ସହିତ ପଞ୍ଚକମଳ ଫୁଟିବେ । ବିକଶିତ ଭାରତର ସଂକଳ୍ପ ପୂରଣ କରିବା ପାଇଁ ଉତ୍ତରାଖଣ୍ଡରେ ପଞ୍ଚକମଳ ଫୁଟିବା ଆବଶ୍ୟକ କାରଣ ବିକଶିତ ଭାରତପାଇଁ ବିକଶିତ ଉତ୍ତରାଖଣ୍ଡ ଭାଜପାର ପ୍ରାଥମିକତା ଅଟେ । ଏଥିପାଇଁ ମୋଦୀର ପ୍ରତ୍ୟେକ ମିନିଟ୍ ଜନତାଙ୍କର । ଆଦରଣୀୟ ପ୍ରଧାନମନ୍ତ୍ରୀଜୀ ଜନତାଙ୍କୁ ଗ୍ୟାରେଣ୍ଟି ଦେଇଛନ୍ତି ଯେ ୨୦୪୭ ପାଇଁ ପ୍ରଧାମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୪ ଘଂଟା କାମ କରୁଛନ୍ତି । ଶେଷରେ ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ଜନତାଙ୍କୁ ଟିହରି ଗଢୱାଲରୁ ଶ୍ରୀମତୀ ମାଲା ରାଜ୍ୟ ଲକ୍ଷ୍ମୀ ଶାହ, ଗଢୱାଲରୁ ଶ୍ରୀ ଅନିଲ ବଲୁନୀ ଏବଂ ହରିଦ୍ୱାରରୁ ଶ୍ରୀ ତ୍ରିବେନ୍ଦ୍ର ସିଂହ ରାୱତଙ୍କୁ ବିଜୟୀ କରିବାକୁ ଆହ୍ୱାନ ଦେଇଥିଲେ ।