ମାଲକାନଗିରି : ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଓଡ଼ିଶା ସରକାରଙ୍କ ଓଡ଼ିଶା ଷ୍ଟେଟ୍ ୱାର୍କ ଫ୍ଲୋ ଅଟୋମେସନ୍ ସିଷ୍ଟମ (ଓସ୍ଵାସ୍) ପ୍ରକ୍ରିୟାକୁ ଶୁଭାରମ୍ଭ କରାଯାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ବିଶାଲ ସିଂ ଏହି ପ୍ରଶିକ୍ଷଣ ଶିବିରକୁ ଉଦ୍ଘାଟନ କରି କହିଥିଲେ ଯେ, ଓସ୍ଵାସ୍ କୁ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟକାରୀ କରାଗଲେ ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ ଫାଇଭ-ଟି ଅନ୍ତର୍ଗତ କାର୍ଯ୍ୟକ୍ରମରେ ଦକ୍ଷତା ବୃଦ୍ଧି ହେବା ସହ ଅହେତୁକ ବିଳମ୍ବକୁ ରୋକା ଯାଇପାରିବ । ତତ୍ ସହିତ ସ୍ଵଚ୍ଛତା, ଦକ୍ଷତା, ପ୍ରଭାବଶାଳିତା ଏବଂ ଉତ୍ତରଦାୟିତ୍ଵ ନିଶ୍ଚିତ କରିବା ପାଇଁ ଓସ୍ଵାସ୍ ଏକ ଅତ୍ୟନ୍ତ ପ୍ରଭାବଶାଳୀ ଉପକରଣ ବ୍ୟବସ୍ଥା ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଥିଲେ ଯେ, ଅଧିକାରୀ, କର୍ମଚାରୀ ଓ ସର୍ବସାଧାରଣଙ୍କ ସୁବିଧା ପାଇଁ ଜିଲ୍ଲାର ସମସ୍ତ ପ୍ରମୁଖ କାର୍ଯ୍ୟାଳୟଗୁଡିକରେ ୬ ମାସ ମଧ୍ୟରେ ଏହା କାର୍ଯ୍ୟକାରୀ କରାଯିବ । ଜିଲ୍ଲାପାଳ ୩ଟି ଫାଇଲ କାର୍ଯ୍ଯ ଓସ୍ଵାସ୍ ମାଧ୍ୟମରେ କରି ଏହାର ଶୁଭାରମ୍ଭ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତ୍ରିନାଥ ମାଝୀ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ବେଦବର ପ୍ରଧାନ, ସମସ୍ତ ଡେପୁଟି କଲେକ୍ଟର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଓ ଏନଆଇସି ଅଧିକାରୀ ଉପସ୍ଥିତ ଥିଲେ। ଜିଲ୍ଲା କାର୍ଯ୍ୟାଳୟରେ ଏହାର କାର୍ଯ୍ୟକାରିତା ପାଇଁ ଡିଜିଏମ୍, ଶୁଭାଶିଷ ପଟ୍ଟନାୟକ ପ୍ରମୁଖ ଦାୟିତ୍ଵ ନିର୍ବାହ କରୁଛନ୍ତି। ସେହିପରି ଭୁବନେଶ୍ଵର ଓସ୍ଵାସ୍ ତରଫରୁ ଏକ ବୈଷୟିକ ଦଳ ଏହାର ସୁପରିଚାଳନା ନିମନ୍ତେ ଉପସ୍ଥିତ ଥିଲେ।