ଭୁବନେଶ୍ୱର, 28 ଫେବୃଆରୀ – ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସ ବୁଧବାର ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଭୁବନେଶ୍ୱର ଗସ୍ତରେ ଥିବା ଶ୍ରୀ ଗେଟ୍ସ ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ସହ ଆଲୋଚନା କରିଛନ୍ତି । ଉଭୟଙ୍କ ମଧ୍ୟରେ ଆଲୋଚନାରେ ଓଡିଶାର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ, କୃଷି ଓ କୃଷକଙ୍କ ବିକାଶ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ବସ୍ତି ପରିଚାଳନା ଓ ବିଭିନ୍ନ କ୍ଷେତ୍ରରେ ରୂପାନ୍ତରଣ ପ୍ରସଙ୍ଗ ସ୍ଥାନ ପାଇଥିଲା । ମୁଖ୍ୟମନ୍ତ୍ରୀ-ବିଲ୍ ଗେଟ୍ସ ଆଲୋଚନା ବେଳେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତିକ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ ।
ସୂଚନା ଯୋଗ୍ୟ ଯେ ବିଲ୍ ଗେଟ୍ସ ଆଜି ସକାଳୁ ସ୍ଥାନୀୟ ଲୁମ୍ବିନୀବିହାରସ୍ଥିତ ମା’ ମଙ୍ଗଳାବସ୍ତି ପରିଦର୍ଶନ କରିଥିଲେ । ବସ୍ତି ବୁଲିବା ସହ ଏଠାକାର ଲୋକଙ୍କ ଜୀବନଶୈଳୀ ବୁଲି ଦେଖିଥିଲେ । ଘରକୁ ଘର ଯାଇ ସେମାନଙ୍କୁ ଏଠାର କଣ ସବୁ ମୌଳିକ ସୁବିଧା ମିଳୁଛି ସେ ବିଷୟରେ ପଚାରି ବୁଝିଥିଲେ । ଏହାପରେ କୃଷି ଭବନ ପରିଦର୍ଶନ କରିବା ସହିତ ଗେଟ୍ସ ଫାଉଣ୍ଡେସନ୍ ସହାୟତାରେ ବିଭିନ୍ନ ବିଭାଗରେ ଚାଲିଥିବା ଯୋଜନାର ସମୀକ୍ଷା କରିଥିଲେ ।