ଭୁବନେଶ୍ୱର, 27 ଫେବୃଆରୀ – ଏଣିକି ଓଡ଼ିଶାରେ ପ୍ରତି ବର୍ଷ ହେବ ବାଘ ଗଣନା । କ୍ୟାମେରା ଟ୍ରାପ ଜରିଆରେ ବର୍ଷ ସାରା ମହାବଳ ବାଘଙ୍କ ସ୍ଥିତି ଉପରେ ନଜର ରଖାଯିବ । ସାମ୍ୱାଦିକ ସମ୍ମିଳନୀରେ ଏପରି ସୂଚନା ଦେଇଛନ୍ତି ପିସିସିଏଫ୍ ସୁଶାନ୍ତ ନନ୍ଦ । ସେ କହିଛନ୍ତି ଗତକାଲି ପ୍ରକାଶ ପାଇଥିବା ରାଜ୍ୟର ପ୍ରଥମ ବାଘ ଗଣନା ରିପୋର୍ଟରେ ରାଜ୍ୟରେ ୩୦ଟି ମହାବଳ ଓ ୮ଟି ଶାବକ ଥିବା ଜଣାପଡ଼ିଛି । ସେଥିରୁ ଶିମିଳିପାଳରେ ୨୭ଟି ମହାବଳ ବାଘ ସହ ୮ ଶାବକ ଥିବା ବେଳେ କେନ୍ଦୁଝର, ପାରଳାଖେମୁଣ୍ଡି ଓ ହୀରାକୁଦ ବନଖଣ୍ଡରେ ଗୋଟିଏ ଲେଖାଏଁ ମହାବଳଙ୍କ ଉପସ୍ଥିତି ସ୍ପଷ୍ଟ ହୋଇଛି ।
ଶିମିଳିପାଳରେ ଏବେ ୧୩ କଳା ବାଘ ଅଛନ୍ତି । ଇନ୍ ବ୍ରିଡ଼ିଂ ଯୋଗୁଁ କଳା ବାଘଙ୍କ ସଂଖ୍ୟା ବଢୁଛି । ଏହି ସମସ୍ୟାର ସମାଧାନ ପାଇଁ ଅନ୍ୟ ସ୍ଥାନରୁ ବାଘୁଣୀ ଆଣି ଶିମିଳିପାଳରେ ଛାଡ଼ିବାକୁ ଯୋଜନା ହୋଇଛି । ଏଥିପାଇଁ ଏନଟିସିଏ ଓ ୱାଇଲ୍ଡ ଲାଇଫ ଇନଷ୍ଟିଚ୍ୟଟ ଅଫ ଇଣ୍ଡିଆ ସହ ଯୋଗାଯୋଗ କରାଯାଇଛି । ସାତକୋଶିଆରେ ଗୋଟିଏ ବି ମହାବଳ ନାହାନ୍ତି । ଅଭୟାରଣ୍ୟ ଭିତରେ ଥିବା ଜନବସତିକୁ ସମ୍ପୂର୍ଣ୍ଣ ବିସ୍ଥାପିତ କରିବା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରେ ବାଘ ଛଡ଼ାଯିବା ନେଇ ଯୋଜନା କରାଯିବ । ଶିମିଳିପାଳରେ ବାଘ ସଂଖ୍ୟା ବଢ଼ିବା ପରେ ମହାବଳ ନୂଆ ଟେରିଟରି ସନ୍ଧାନରେ ରହିଛି । ତେଣୁ କେନ୍ଦୁଝର, ହଦଗଡ଼ ଓ କୁଲଡ଼ିହାକୁ ମିଶାଇ ଗ୍ରେଟର ଶିମିଳିପାଳ ଲ୍ୟାଣ୍ଡସ୍କେପ ବିକାଶ କରାଯାଉଛି ।