ଭୁବନେଶ୍ୱର :-୨୪ ବର୍ଷର ବିଫଳ ସରକାର ବିରୋଧରେ ସୋମବାର ରାଜ୍ୟ କଂଗ୍ରେସ ପକ୍ଷରୁ ଲୋକସେବା ଭବନ ଘେରାଉ ଉଦ୍ୟମ କରାଯାଇଛି । ରାଜ୍ୟରେ ପାଣି, ଖଣି, ବିଜୁଳି, ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣି କଂଗ୍ରେସର ଶତାଧିକ କର୍ମୀ ଲୋକସଭା ଭବନ ଆଡକୁ ଯିବାବେଳେ ପୁଲିସ ସେମାନଙ୍କୁ ଅଟକାଇଥିଲା । ଏହି ସମୟରେ ପୁଲିସ ଓ କଗ୍ରେଂସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । କିଛି ସମୟ ପାଇଁ ରଣକ୍ଷେତ୍ର ପାଲଟିଥିଲା ଲୋୟର ପିଏମଜି । ପୁଲିସ କଂଗ୍ରେସ କର୍ମୀଙ୍କୁ ଉଠାଇ ନେଇ ଅଟକ ରଖିଛି ।
କଂଗ୍ରେସ ପିସିସି ସଭାପତି ଶରତ ପଟ୍ଟନାୟକ, ପିସିସି ପ୍ରଭାରୀ ଅଜୟ କୁମାରଙ୍କ ସମେତ ଦଳର ବିଧାୟକ, ଜିଲ୍ଲା ସଭାପତି ଓ ଶତାଧିକ କଂଗ୍ରେସ କର୍ମୀ କଂଗ୍ରେସ ଭବନରୁ ରାଲିରେ ବାହାରି ଲୋୟର ପିଏମଜିରେ ପହଂଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ଏହି ଅବସରରେ ପିସିସି ସଭାପତି କହିଛନ୍ତି ଏ ଲଢେଇ ହେଉଛି ଓଡିଶାବାସୀଙ୍କ ଲଢେଇ , ଯୁବ ସମାଜ ପାଇଁ ଲଢେଇ । ଦରଦାମ ନିୟନ୍ତ୍ରଣ ନାହିଁ , ପ୍ରତିଶ୍ରୁତି ପୂରଣ କରୁନାହାନ୍ତିି ରାଜ୍ୟ ସରକାର । ମହିଳା ମାନଙ୍କୁ ସୁରକ୍ଷା ନାହିଁ , ଚାଷ ପାଇଁ ଜଳ ସେଚନ ନାହିଁ , ସ୍ୱାସ୍ଥ୍ୟ ସେବାରେ ଦୁର୍ନୀତି ହେଉଛି । ଦୁର୍ନୀତିରେ ବୁଡି ରହିଥିବା ନବୀନ ସରକାରଙ୍କୁ ଓଡିଶାବାସୀ ନିଶ୍ଚିତ ୨୦୨୪ରେ ପ୍ରତ୍ୟାଖାନ କରିବେ ।
ସେହିପରି ଜୟପୁର ବିଧାୟକ ତାରା ବାହିନୀ ପତି କହିଛନ୍ତି, ଓଡ଼ିଶାରେ ଶହଶହ ଚାଷୀ ଆତ୍ମହତ୍ୟା କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରୁ ହଜାର ହଜାର ଲୋକ ଦାଦନ ଖଟିବାକୁ ଯାଉଛନ୍ତି । ସରକାର ଏହାକୁ ରୋକି ପାରୁ ନାହାନ୍ତି । ଯୁବକମାନେ ବେକାରୀ ହୋଇ ବୁଲୁଛନ୍ତି । ଦରଦାମ ହୁ ହୁ ହୋଇ ବଢ଼ୁଛି । ହେଲେ ସରକାର ସବୁ ଦେଖି ଚୁପ ହୋଇ ବସିଛନ୍ତି ।