ଭୁବନେଶ୍ୱର – ଓଡିଶାରେ ବିଜେଡିର ଲୋକପ୍ରିୟତା ଶୀର୍ଷରେ ଅଛି । ବିଗତ କିଛି ବର୍ଷର ଜାତୀୟ ସ୍ତରର ସମସ୍ତ ସର୍ଭେରେ ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ ଏକ ନମ୍ବର ମୁଖ୍ୟମନ୍ତ୍ରୀ ହେବାର ଗୌରବ ହାସଲ କରିଛନ୍ତି । ୨୦୨୪ ସାଧାରଣ ନିର୍ବାଚନରେ ଦଳୀୟ ଟିକେଟ ପାଇଁ ମିଳିଛି ଦଶ ହଜାରରୁ ଉର୍ଧ ଆବେଦନ ମିଳିଛି । ବିଜେଡିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସୋସିଆଲ ମିଡିଆରେ ପୋଷ୍ଟ ଲେଖି ଏହି ସୂଚନା ଦେଇଛନ୍ତି ।
ସେ ଏହି ପୋଷ୍ଟରେ ଲେଖିଛନ୍ତି, ବିଗତ କିଛି ବର୍ଷ ଧରି ଜାତୀୟସ୍ତରର ସବୁ ସର୍ଭେ ରିପୋର୍ଟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଶର ୧ ନମ୍ବର ମୁଖ୍ୟମନ୍ତ୍ରୀ ହୋଇଥିବାର ଗୈାରବ ପ୍ରଦାନ କରିଛି । ସେହିଭଳି ୨୦୨୨ ପଂଚାୟତ ନିର୍ବାଚନରେ ୫୨ ପ୍ରତିଶତରୁ ଅଧିକ ଭୋଟ ହାର ସାଙ୍ଗକୁ ୩୦ ରୁ ୩୦ ଜିଲ୍ଲା ପରିଷଦରେ ଜିତାଇ, ବିଜୁ ଜନତା ଦଳ ଯେ ଓଡ଼ିଶାର ୧ ନମ୍ବର ରାଜନୈତିକ ଦଳ, ଓଡ଼ିଶାବାସୀ ତାହା ପ୍ରମାଣିତ କରିଛନ୍ତି । ଏହି ଦୁଇଟି ନିରାଟ ସତ୍ୟ, ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କ ବିଜୁ ଜନତା ଦଳ ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଭଲପାଇବାକୁ ପ୍ରତିପାଦିତ କରୁଛି । ୨୦୨୪ ସାଧାରଣ ନିର୍ବାଚନରେ ଦଳୀୟ ଟିକେଟ ପାଇଁ ୧୦ ହଜାରରୁ ଅଧିକ ଆବେଦନ ଦଳ ପାଖରେ ପ୍ରାପ୍ତ ହୋଇଛି । ଅତ୍ୟନ୍ତ ଖୁସିର କଥା ଯେ, ବହୁ ସଂଖ୍ୟକ ପେଶାଦାର ବ୍ୟକ୍ତି ଏବଂ ଜାତୀୟ ରାଜନୈତିକ ଦଳମାନଙ୍କର ନେତାମାନେ ମଧ୍ୟ ବିଜେଡି ଟିକେଟ ପାଇଁ ଆବେଦନ କରୁଛନ୍ତି । ଆମର ଦୃଢ଼ ବିଶ୍ୱାସ ଏହି ନିର୍ବାଚନରେ ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କ ଆଶୀର୍ବାଦ ବଳରେ ବିଜୁ ଜନତା ଦଳ ଏକ ଐତିହାସିକ ବିଜୟ ଆଡକୁ ଗତି କରୁଛି । ଏହି ବିପୁଳ ସଂଖ୍ୟକ ଆବେଦନ ଦର୍ଶାଉଛି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ୱାସ ବଢ଼ି ବଢ଼ି ଚାଲିଛି । ନବୀନ ବାବୁଙ୍କୁ ଲାଗାତାର ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବା ପାଇଁ ଓଡ଼ିଶାବାସୀ ମନ ସ୍ଥିର କରିସାରିଛନ୍ତି ।