ଶିମଲା : ରାହୁଲ ଗାନ୍ଧୀଙ୍କ ଦ୍ୱାରା ସଂସଦରେ ଭାରତ ମାତାର ହତ୍ୟା ନେଇ ଦିଆଯାଇଥିବା ବକ୍ତବ୍ୟ ଉପରେ ସରଗରମ୍ ହୋଇଛି ରାଜନୀତି । ବିଜେପି ପକ୍ଷରୁ ଏହାକୁ କଡା ନିନ୍ଦା କରାଯାଇଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଶାନ୍ତା କୁମାର ରାହୁଲଙ୍କ ବୟାନକୁ ତୀବ୍ର ନିନ୍ଦା କରିଛନ୍ତି । ରାହୁଲଙ୍କ ଏଭଳି ବୟାନ ଯୋଗୁ ଭାରତର କୋଟି କୋଟି ଲୋକଙ୍କୁ ଆଘାତ ଲାଗିଛି । ତେବେ ରାହୁଲଙ୍କୁ ଟାର୍ଗେଟ କରି ଶାନ୍ତା କୁମାର ପଚାରିଛନ୍ତି ଯେ, ଯେତେବେଳେ ତୁମ ଅଜା ଜବାହାରଲାଲ୍ ନେହେରୁ ଦେଶ ବିଭାଜନକୁ ସ୍ବୀକାର କରିଥିଲେ ସେତେବେଳେ ଭାରତ ମାତାର ହତ୍ୟା ହୋଇନଥିଲା କି ?
ତେବେ ରାହୁଲ କିଭଳି ଭାବେ ଏଭଳି ଦାୟିତ୍ବହୀନ ବୟାନ ଦେଲେ ? ବିଶ୍ୱର ସବୁଠୁ ବଡ ଗଣତନ୍ତ୍ର ରାଷ୍ଟ୍ରରେ ଜଣେ କଂଗ୍ରେସ ନେତା କିଭଳି ଭାବେ ଭାରତ ମାତାର ହତ୍ୟା କଥା ଉଠାଇଲେ ତାହା ଚକିତ କରିଥିବା କହିଛନ୍ତି ଶାନ୍ତା କୁମାର ।
ଦେଶ ବିଭାଜନ ସମୟରେ ଲକ୍ଷଲକ୍ଷ ଲୋକଙ୍କୁ ହତ୍ୟା କରାଗଲା । ହଜାର ହଜାର ମହିଳାଙ୍କୁ ଦୁଷ୍କର୍ମ କରାଗଲା । ବିଭାଜନ ଦ୍ୱାରା କୋଟି କୋଟି ଲୋକଙ୍କୁ ନିଜଘର ଦ୍ୱାର ଭିଟାମାଟି ଛାଡି ବିସ୍ଥାପିତ ହେବାକୁ ପଡିଲା । କଂଗ୍ରେସ ଦେଶ ବିଭାଜନକୁ ବିରୋଧ କରିଥିଲା । ଏହି ସମୟରେ ଗାନ୍ଧୀଜୀ କହିଥିଲେ ତାଙ୍କ ଶବ ଉପରେ ଦେଶ ବିଭାଜନ ହେବ । ପଣ୍ଡିତ ନେହେରୁ ଓ ସର୍ଦ୍ଦାର ବଲ୍ଳଭ ଭାଇ ପଟେଲ ମଧ୍ୟ ସମାନ କଥା କହିଥିଲେ ବୋଲି ରାହୁଲଙ୍କୁ ମନେ ପକାଇ ଦେଇଛନ୍ତି ଶାନ୍ତା କୁମାର ।