ଭୁବନେଶ୍ୱର : ଦୀର୍ଘ ୨୩ବର୍ଷର ଗର୍ବ ଓ ଅହଙ୍କାରରେ ମସ୍ଗୁଲ୍ ବିଜେଡି ସରକାରଙ୍କ ମନ୍ତ୍ରୀ, ବିଧାୟକ ଓ ସାଂସଦ ମାନେ ଲୋକଙ୍କ ସମସ୍ୟା ଠାରୁ ଦୂରେଇ ରହି ମୌଜ, ମଜଲିସ୍, ମଦମସ୍ତ ଓ ମାଇଣ୍ଡଫ୍ରେସ୍ ପାଇଁ ବ୍ୟଗ୍ର ଓ ବ୍ୟସ୍ତ ବୋଲି ରାଜ୍ୟ ବିଜେପି ମୁଖପାତ୍ର ରାଜେନ୍ଦ୍ର ପଣ୍ଡା କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ପ୍ରେସ୍ ବାର୍ତା ଜରିଆରେ ପଣ୍ଡା କହିଛନ୍ତି ଯେ, ସାରା ସୁନ୍ଦରଗଡ ଜିଲ୍ଲାରେ ସ୍କ୍ରବ୍ ଟାଇଫସ୍ ଭାଇରସ୍ ସଂକ୍ରମଣର କୋକୁଆଭୟ ସୃଷ୍ଟି ହୋଇଛି । କିନ୍ତୁ ସେହି ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଥିବା ରାଜ୍ୟ ଶ୍ରମ ମନ୍ତ୍ରୀ ସାରଦା ନାୟକ ନିଜେ ମୌଜ ମଜଲିସ୍ କରିବାରେ ବ୍ୟସ୍ତ । ଆଜି ସେ ଜିଲ୍ଲାରେ ଶହ ଶହ ଜନସାଧାରଣ ସ୍କ୍ରବ୍ ଟାଇଫସ୍ ସଂକ୍ରମଣରେ ଆକ୍ରାନ୍ତ ହୋଇ ନୟାନ୍ତ ହେଉଥିବା ବେଳେ ଶ୍ରମ ମନ୍ତ୍ରୀ କେତେବେଳେ “ଡନ୍” ଗୀତ ଗାଇ ନାଚୁଛନ୍ତି, କେତେବେଳେ “କୱାଲୀ” ଉପରେ ଟଙ୍କା ଉଡାଇଛନ୍ତି ତ ଆଉ କେତେବେଳେ ଡାକ୍ତର ଡିଗ୍ରୀ ସାର୍ଟିଫିକେଟ୍ ନଥିଲେ ମଧ୍ୟ ଲୋକଙ୍କ ଠାରୁ ସିରିଂଜ୍ରେ ରକ୍ତ ସଂଗ୍ରହ କରୁଛନ୍ତି ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧକ୍ରମେ ଏକ କେନ୍ଦ୍ରୀୟ ଡାକ୍ତରୀ ଟିମ୍ ସୁନ୍ଦରଗଡ ଜିଲ୍ଲା ଆସି ସ୍କ୍ରବ୍ ଟାଇଫସ୍ର ସ୍ଥିତି ଅନୁଧ୍ୟାନ କରି କିପରି ଏ ସମସ୍ୟାର ସମାଧାନ ହୋଇପାରିବ ସେଥିପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି । ଏତେ ବଡ ସ୍କ୍ରବ୍ ଟାଇଫସ୍ ପରିସ୍ଥିତିକୁ ଆୟତ କରିବା ପାଇଁ ନା ରାଜ୍ୟ ସରକାରଙ୍କ ତରଫରୁ କିଛି ପଦକ୍ଷେପ ନିଆଯାଇଛି ନା ଜିଲ୍ଲା ଶ୍ରମ ମନ୍ତ୍ରୀଙ୍କ ତରଫରୁ କିଛି ଚେଷ୍ଟା କରାଯାଇଛି । ବିଜେଡି ନେତା କେତେବେଳେ ମେଲୋଡିରେ “ଡନ୍” ଗୀତରେ ନାଚିଲେଣି, କିଏ “କୱାଲୀ”ରେ ପଇସା ଉଡାଇଲେଣି, ଡାକ୍ତରୀ ଡିଗ୍ରୀ ନଥାଇ ଲୋକଙ୍କଠାରୁ ରକ୍ତ ସଂଗ୍ରହ କଲେଣି, କିଏ ମହିଳାଙ୍କୁ ନେଇ ମାଇଣ୍ଡଫ୍ରେସ୍ ପାଇଁ ଭାଇଜାଗ୍ ହୋଟେଲକୁ ଗଲେଣି, କିଏ ଦୁଇ ଜଣଙ୍କୁ ବାହା ହେବା ପାଇଁ ଦୁଇଟି ମ୍ୟାରେଜ୍ କୋର୍ଟରେ ଦରଖାସ୍ତ କଲେଣି, କିଏ ମହିଳା ମାନଙ୍କୁ ମାଇଣ୍ଡଫ୍ରେସ୍ ପାଇଁ ଭୁବନେଶ୍ୱର ଡକାଇଲେଣି, କିଏ ବହୁ ଦୁର୍ନିତୀରେ ଉବୁଟୁବୁ ହେଲେଣି ତ କୋଉ ସାଂସଦ ହାୱଲା ଟଙ୍କା କାରବାରରେ ସଂପୃକ୍ତ ହୋଇ ସାଂସଦ ମହୁଆ ମିତ୍ରଙ୍କ ଠାରୁ ପ୍ରଚୁର ଅର୍ଥ ସଂଗ୍ରହ କଲେଣି । ଏହା ହେଉଛି ୨୩ବର୍ଷର ଗର୍ବ ଓ ଅହଂକାରରେ ଭରପୂର ବିଜେଡି ନେତାମାନଙ୍କର ବାସ୍ତବ ଚରିତ୍ର ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
ତେଣୁ ବିଜେଡିର ମନ୍ତ୍ରୀ, ବିଧାୟକ ଓ ସାଂସଦମାନେ ମହିଳାମାନଙ୍କୁ ସମ୍ମାନ ଦେବା ସହିତ ଓଡିଶାବାସୀଙ୍କ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରି ଏ ସବୁ କୁତ୍ସିତ କାରନାମାରୁ ନିଜକୁ ଦୂରେଇ ରଖନ୍ତୁ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।