ଶ୍ରୀହରିକୋଟା : ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ (ଇସ୍ରୋ) ଆଜି ପୂର୍ବାହ୍ନ ପ୍ରାୟ 10 ବେଳେ ନିଜର ଏକକ-ଚରଣ ତରଳ ରକେଟ ଉତକ୍ଷେପଣ ଜରିଆରେ ପ୍ରଥମ କ୍ରୁ-ମଡ୍ୟୁଲ ପରୀକ୍ଷଣ କରି ନିଜର ବହୁ ଆକାଂକ୍ଷୀ ମାନବ ସ୍ପେସ ଉଡାଣ କାର୍ଯ୍ୟକ୍ରମ ‘ଗଗନଯାନ’ର ଯାତ୍ରା ଆରମ୍ଭ କରିଛି । ଏହି ପରୀକ୍ଷଣ ମହାକାଶ ଯାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ନିମନ୍ତେ କରାଯାଇଛି ।
ତିନି ଦିନିଆ ଗଗନଯାନ ମିଶନ ପାଇଁ 400 କିଲୋମିଟର ନିମ୍ନ ପୃଥିବୀ କକ୍ଷପଥରୁ ମଣିଷକୁ ମହାକାଶକୁ ପଠାଇବା ଏବଂ ସେମାନଙ୍କୁ ନିରାପଦରେ ପୃଥିବୀକୁ ଫେରାଇ ଆଣିବା ପାଇଁ ଇସ୍ରୋ ଲକ୍ଷ୍ୟ ରଖିଛି । ଇସ୍ରୋର ସ୍ପେସପୋର୍ଟର ପ୍ରଥମ ଲଞ୍ଚ ପ୍ୟାଡରୁ ଅବାର୍ଟ -1 (ଟିଭି-ଡି ୧ )କୁ ଲଞ୍ଚ କରାଯାଇଥିଲା । ଏହାର ସଫଳତା ମାନବବିହୀନ ମହାକାଶ ମିଶନ ପାଇଁ ବିଶ୍ୱ ସ୍ତରରେ ଏକ ମଞ୍ଚ ପ୍ରସ୍ତୁତ କରିବ ।
ପରୀକ୍ଷଣ ସଫଳ ହେବା ପରେ ‘ଇସ୍ରୋ’ ମୁଖ୍ୟ ଏସ୍. ସୋମନାଥ କହିଛନ୍ତି ‘ଗଗନଯାନ ଟିଭି-ଡି୧ ମିସନ୍’ ସଫଳ ହୋଇଥିବା କଥା ଘୋଷଣା କରି ମୁଁ ଆନନ୍ଦିତ। ‘କ୍ରୁ ଏସ୍କେପ୍ ସିଷ୍ଟମ୍’ ପରୀକ୍ଷା କରିବା ଥିଲା ଏହାର ଉଦ୍ଦେଶ୍ୟ। ‘କ୍ରୁ ଏସ୍କେପ୍ ସିଷ୍ଟମ୍’ ପୃଥକ୍ ହେବା ଆଗରୁ ଏହି ଭେଇକ୍ଲିର ଗତିବେଗ ଶବ୍ଦର ଗତି ବେଗଠାରୁ ସାମାନ୍ୟ ଅଧିକ ଥିଲା। ଏହି ‘ଏସ୍କେପ୍ ସିଷ୍ଟମ୍’ ‘କ୍ୟୁ ମଡ୍ୟୁଲ୍’କୁ ରକେଟ୍ରୁ ପୃଥକ କରି ସମୁଦ୍ର ମଧ୍ୟରେ ଅନାୟାସରେ ଅବତରଣ କରାଇଲା।
ଗ୍ରାଉଣ୍ଡ୍ କମ୍ପ୍ୟୁଟର୍ ‘ନନ୍ କନ୍ଫର୍ମାନ୍ସ୍’ ଦର୍ଶାଇବାରୁ ପ୍ରାଥମିକ ପର୍ଯ୍ୟାୟରେ ‘ଗଗନଯାନ ଟିଭି-ଡି୧ ମିସନ୍’ ଉତ୍କ୍ଷେପଣ ସ୍ଥଗିତ ରଖାଯାଇଥିଲା। ଆମେ ଏହାକୁ ଚିହ୍ନଟ କରି ତୁରନ୍ତ ସଜାଡ଼ି ଦେଲୁ ବୋଲି ସେ କହିଛନ୍ତି ।
ଏହା ସହିତ ଭାରତୀୟ ମହାକାଶଚାରୀଙ୍କ ପାଇଁ ପ୍ରଥମ ଗଗନଯାନ କାର୍ଯ୍ୟକ୍ରମ ଆରମ୍ଭ ହେବ । 2025ରେ ଏହା ଆରମ୍ଭ ହେବ ବୋଲି ଆଶା କରାଯାଉଛି ।