ଭୁବନେଶ୍ୱର, 20 ଅକ୍ଟୋବର – ରାଜଧାନୀ ଭୁବନେଶ୍ୱରର ବରମୁଣ୍ଡା ଅଂଚଳର ବହୁଚର୍ଚ୍ଚିତ ଟ୍ରିପଲ ମର୍ଡର ଘଟଣାର ରାୟ ୨୭ ବର୍ଷ ପରେ ପ୍ରକାଶ ପାଇଛି । ଭୁବନେଶ୍ୱର ଏଡିଜେ-୨ ଶୁକ୍ରବାର ଦିନ ଏହି ମାମଲାର ବିଚାର କରି ୩ ଜଣ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । କୋର୍ଟ ଅଭିଯୁକ୍ତ ରୁଦ୍ର, ଜିତୁ ଓ ଚିତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।
ମାମଲାର ବିବରଣୀରୁ ଜଣାଯାଏ ଯେ, ଭୁବନେଶ୍ୱରର ବରମୁଣ୍ଡାରେ ୧୯୯୬ ମସିହା ଜୁଲାଇ ୧୧ ତାରିଖ ଦିନ ତିନି ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ପୂର୍ବ ଶତ୍ରୁତାରୁ ବିଶ୍ୱଜିତ ନାୟକ, ଦିଲ୍ଲୀପ ରାୟ ଓ ଶାରଦା ରଥଙ୍କୁ ରୁଦ୍ର, ଜିତୁ ଓ ଚିତ ହତ୍ୟା କରିଥିଲେ । ସେଦିନ ବରମୁଣ୍ଡା ସମେତ ପୂରା ଭୁବନେଶ୍ୱରରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା ପୁଲିସ ତଦନ୍ତରୁ ଖୁଲାସା ହୋଇଥିଲା । ପୁଲିସ ରୁଦ୍ର, ଜିତୁ ଓ ଚିତଙ୍କୁ ଗିରଫ କରି ଜେଲ ପଠାଇଥିବା ବେଳେ କିଛି ଦିନ ପୂର୍ବରୁ ଚତୁର୍ଥ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇସାରିଛି । ଭୁବନେଶ୍ୱର ଏଡିଜେ-୨ ଆଜି ସାକ୍ଷୀମାନଙ୍କର ବୟାନକୁ ଭିତି କରି ୩ ଜଣ ଦୋଷୀଙ୍କୁ ଆଜୀବନ ସଜ୍ଜା ଶୁଣାଇଛନ୍ତି ।