
ପାଟନା : ତ୍ରି ଦିବସୀୟ ବିହାର ଗସ୍ତରେ ଆସିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଗୟାରେ ତାଙ୍କର ଗସ୍ତ ଶେଷ କରିବେ । ସେ ଶୁକ୍ରବାର ସକାଳେ ପାଟନାରୁ ଗୟା ଅଭିମୁଖେ ଯାତ୍ରା କରିଛନ୍ତି । ଏହି ଅବସରରେ ପାଟନା ବିମାନବନ୍ଦରରେ ରାଷ୍ଟ୍ରପତିଙ୍କୁ ବିଦାୟ ଜଣାଇଥିଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପୁଷ୍ପଗୁଚ୍ଛ ଓ ସାଲ୍ ପ୍ରଦାନ କରି ତାଙ୍କୁ ବିଦାୟ ଜଣାଇଥିଲେ । ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀଙ୍କ ସହିତ ମନ୍ତ୍ରୀ ବିଜୟ ଚୌଧୁରୀ, ମେୟର ସୀତା ସାହୁଙ୍କ ସହିତ କେତେକ ବରିଷ୍ଠ ଅଧିକାରୀ ଏବଂ ନେତା ଉପସ୍ଥିତ ଥିଲେ ।
ଗୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟର ଦୀକ୍ଷାନ୍ତ ସମାରୋହରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହାପରେ ସେ ଗୟାରୁ ଦିଲ୍ଲୀ ପ୍ରତ୍ୟାବର୍ତନ କରିବେ । ଏହି ତିନି ଦିବସୀୟ ଗସ୍ତ ସମୟରେ ରାଷ୍ଟ୍ରପତି ବିହାରର ଚତୁର୍ଥ କୃଷି ରୋଡ଼ ମ୍ୟାପ୍ ର ଉଦଘାଟନ କରିଥିଲେ । ପାଟନା ସାହିବ ଗୁରୁଦ୍ଵାରରେ ନତମସ୍ତକ ହୋଇଥିଲେ । ଏହା ବ୍ୟତୀତ ମୋତିହାରୀରେ ମହାତ୍ମା ଗାନ୍ଧି କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ଏବଂ ପାଟନା ଏମ୍ସ ର ଦୀକ୍ଷାନ୍ତ ସମାରୋହରେ ସାମିଲ୍ ହୋଇଥିଲେ ।