ନୂଆଦିଲ୍ଲୀ : ଉପକୂଳ ଜଳଚାଷ ପ୍ରାଧିକରଣ (ସଂଶୋଧନ) ବିଧେୟକ, ୨୦୨୩ ସଂସଦର ଉଭୟ ସଦନରେ ଅନୁମୋଦନ ଲାଭ କରିଛି । ସିଆରଜେଡ୍ ବିଜ୍ଞପ୍ତି ଅଧୀନରେ ଉପକୂଳ ଜଳଚାଷ ଏବଂ ଏହା ସହିତ ଜଡିତ କାର୍ଯ୍ୟକଳାପ ସିଆରଜେଡ୍ ମଧ୍ୟରେ ଅନୁମତିପ୍ରାପ୍ତ କାର୍ଯ୍ୟକଳାପ ବୋଲି ସରକାର ଦୋହରାଇଛନ୍ତି । ସଂଶୋଧିତ ବିଲରେ ବ୍ୟବସ୍ଥା କରାଯାଇଛି ଯେ ଉପକୂଳ ଜଳଚାଷ ପ୍ରାଧିକରଣ ଅଧିନିୟମ ଅଧୀନରେ ପ୍ରଦାନ କରାଯାଇଥିବା ପଞ୍ଜୀକରଣ ସବୁ କ୍ଷେତ୍ରରେ ପ୍ରଚଳିତ ରହିବ । ଏହାଦ୍ୱାରା ଲକ୍ଷ ଲକ୍ଷ କ୍ଷୁଦ୍ର ନାମମାତ୍ର ଜଳଚାଷ କୃଷକଙ୍କୁ ଏକାଧିକ ଏଜେନ୍ସିଠାରୁ ସିଆରଜେଡ୍ ମଞ୍ଜୁରି ପାଇବାର ସମ୍ଭାବ୍ୟ ଆବଶ୍ୟକତାକୁ ଦୂର କରିବା ଉଦ୍ଦେଶ୍ୟରେ ସିଆରଜେଡ୍ ବିଜ୍ଞପ୍ତି ଅଧୀନରେ ଏହି ପଞ୍ଜୀକରଣକୁ ବୈଧ ଅନୁମତି ଭାବରେ ବିବେଚନା କରାଯିବ।
ଏହି ସଂଶୋଧନ ଜରିଆରେ ଉପକୂଳ ନିୟନ୍ତ୍ରଣ ଜୋନ୍ (ସିଆରଜେଡ୍)ର ନୋ ଡେଭଲପମେଣ୍ଟ ଜୋନ୍ (ଏନ୍ ଡିଜେଡ୍) ମଧ୍ୟରେ ହାଚରି, ବ୍ରୁଡ୍ ଷ୍ଟକ୍ ବହୁଗୁଣନ କେନ୍ଦ୍ର (ବିଏମସି) ଏବଂ ନ୍ୟୁକ୍ଲିୟସ୍ ବ୍ରିଡିଂ ସେଣ୍ଟର (ଏନ୍ବିସି) ଭଳି ଜଳଚାଷ ୟୁନିଟ୍ ପ୍ରତିଷ୍ଠା ପାଇଁ ସିଏଏ ଆଇନ ଅଧୀନରେ ନିର୍ଦ୍ଦିଷ୍ଟ ରିହାତି ପ୍ରଦାନ କରାଯାଇଛି ।
ମୂଳ ଆଇନରେ ବିନା ପଞ୍ଜୀକରଣରେ ଉପକୂଳ ଜଳଚାଷ କଲେ ୩ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡର ବ୍ୟବସ୍ଥା ରହିଛି। ଏହା ସମ୍ପୂର୍ଣ୍ଣ ନାଗରିକ ପ୍ରକୃତିର ଅପରାଧ ପାଇଁ ଅତ୍ୟନ୍ତ କଠୋର ଦଣ୍ଡ ବୋଲି ମନେହୁଏ । ତେଣୁ ସଂଶୋଧିତ ବିଲରେ ଏହାକୁ ଏକ ନାଗରିକ ଅପରାଧ ଭାବେ ଗ୍ରହଣ କରି ଅପରାଧମୁକ୍ତ କରାଯାଇ କେବଳ ଜରିମାନା ଲାଗୁ ଭଳି ଉପଯୁକ୍ତ ଦଣ୍ଡ ବ୍ୟବସ୍ଥା କରାଯାଇଛି।
ଏହି ସଂଶୋଧିତ ବିଲରେ ଉପକୂଳ ଜଳଚାଷର ସମସ୍ତ କାର୍ଯ୍ୟକଳାପକୁ ବ୍ୟାପକ ଭାବରେ ଅନ୍ତର୍ଭୁକ୍ତ କରିବା ଏବଂ କୃଷି ଏବଂ ଉପକୂଳ ଜଳଚାଷର ଅନ୍ୟାନ୍ୟ କ୍ଷେତ୍ର ମଧ୍ୟରେ ମୂଳ ଆଇନରେ ଥିବା ଅସ୍ପଷ୍ଟତାକୁ ଦୂର କରିବା ପାଇଁ ବ୍ୟାପକ ଭିତ୍ତିଭୂମି “ଉପକୂଳ ଜଳଚାଷ”ର ବ୍ୟବସ୍ଥା କରାଯାଇଛି । ଏହା ଦ୍ୱାରା ଉପକୂଳବର୍ତ୍ତୀ ଜଳଚାଷ କାର୍ଯ୍ୟକଳାପ ଯେପରି ଏହି ଆଇନ ପରିସରରୁ ବାଦ୍ ପଡ଼ିବ ନାହିଁ ଏବଂ ପରିବେଶ ଅନୁକୂଳ ଢଙ୍ଗରେ କାର୍ଯ୍ୟ କରିବ ତାହା ସୁନିଶ୍ଚିତ ହେବାର ସମ୍ଭାବନା ରହିଛି।
୨୦୦୫ ମସିହାରେ ଉପକୂଳ ଜଳଚାଷ କାର୍ଯ୍ୟ ମୂଳତଃ ଚିଙ୍ଗୁଡ଼ି ଚାଷ ଥିଲା । ବର୍ତ୍ତମାନ ପରିବେଶ ଅନୁକୂଳ ଉପକୂଳ ଜଳଚାଷର ନୂତନ ରୂପ ଯଥା କେଜ୍ କଲଚର, ସିୱିଡ୍ କଲଚର୍, ମରିନ ଅର୍ଣ୍ଣାମେଣ୍ଟାଲ ଫିଶ୍ କଲଚର, ପର୍ଲ ଅଏଷ୍ଟର କଲଚର ଇତ୍ୟାଦି ଏଥିରେ ସାମିଲ ରହିଛି । ଉପକୂଳବର୍ତ୍ତୀ ଅଞ୍ଚଳରେ ଏବଂ ଅଧିକାଂଶ ସିଆରଜେଡ୍ ମଧ୍ୟରେ ଏସବୁ ଚାଷ କରାଯାଇପାରିବ । ଏହି କାର୍ଯ୍ୟକଳାପଗୁଡ଼ିକରେ ବିପୁଳ ରାଜସ୍ୱ ସୃଷ୍ଟି କରିବା ଏବଂ ଉପକୂଳବର୍ତ୍ତୀ ମତ୍ସ୍ୟଜୀବୀ ସମ୍ପ୍ରଦାୟ ବିଶେଷ କରି ମତ୍ସ୍ୟଜୀବୀମାନଙ୍କ ପାଇଁ ବ୍ୟାପକ ପରିମାଣର ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ସମ୍ଭାବନା ରହିଛି ଏବଂ ତେଣୁ ସେମାନଙ୍କୁ ଉପକୂଳ ଜଳଚାଷ ପ୍ରାଧିକରଣ ଅଧିନିୟମ ପରିସରଭୁକ୍ତ କରି ଏହାକୁ ପ୍ରୋତ୍ସାହିତ କରାଯିବାର ଆବଶ୍ୟକତା ରହିଛି ।
ଉପକୂଳ ଜଳଚାଷ ପ୍ରାଧିକରଣର କେତେକ ପରିଚାଳନା ପ୍ରକ୍ରିୟାକୁ ଠିକ୍ କରି ଉପକୂଳ ଜଳଚାଷରେ ବ୍ୟବସାୟିକ ସୁଗମତା ଆଣିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ବର୍ତ୍ତମାନର ସଂଶୋଧନରେ କାର୍ଯ୍ୟକଳାପର ମାଲିକାନା କିମ୍ବା ଆକାରରେ ପରିବର୍ତ୍ତନ ହେଲେ ପଞ୍ଜୀକରଣ ପ୍ରମାଣପତ୍ରରେ ପରିବର୍ତ୍ତନ ଆଣିବା ଏବଂ ସାର୍ଟିଫିକେଟ ନଷ୍ଟ, କ୍ଷୟକ୍ଷତି କିମ୍ବା କ୍ଷତି ଇତ୍ୟାଦି କ୍ଷେତ୍ରରେ ନୂତନ ପ୍ରମାଣପତ୍ର ପ୍ରଦାନ କରିବାର ବ୍ୟବସ୍ଥା ରହିଛି । ଏଥିରେ ମୂଳ ଆଇନରେ ଅନୁପସ୍ଥିତ ଥିବା କମ୍ପାଉଣ୍ଡ୍ ଫି’ ସହିତ ପଞ୍ଜୀକରଣ ନବୀକରଣ ପାଇଁ ଆବେଦନ କରିବାରେ ବିଳମ୍ବକୁ ମଧ୍ୟ କ୍ଷମା କରିବାର ବ୍ୟବସ୍ଥା ରହିଛି।
ପ୍ରଶାସନିକ ଦକ୍ଷତା ଓ ଉତ୍ତରଦାୟିତ୍ୱ ପାଇଁ ସଂଶୋଧିତ ଆଇନ ଅଧୀନରେ ସିଏଏର ସଦସ୍ୟ ସଚିବଙ୍କ କ୍ଷମତା ଏବଂ ଅଧ୍ୟକ୍ଷଙ୍କ ଅନୁପସ୍ଥିତିରେ ପ୍ରାଧିକରଣର ସ୍ୱାଭାବିକ କାର୍ଯ୍ୟକଳାପ ଭଳି ଅନେକ ପ୍ରଶାସନିକ ମାମଲାର ଉପଯୁକ୍ତ ସମାଧାନ କରାଯାଇଛି।
ସଂଶୋଧନଗୁଡ଼ିକ କର୍ତ୍ତୃପକ୍ଷଙ୍କୁ ଏପରି କମିଟି ନିଯୁକ୍ତ କରିବାର କ୍ଷମତା ପ୍ରଦାନ କରିଥାଏ ଯେଉଁଥିରେ କର୍ତ୍ତବ୍ୟର ସୂଚାରୁ ରୂପେ ନିର୍ବାହ କରିବା ଲାଗି ବିଶେଷଜ୍ଞ, ଅଂଶୀଦାର ଏବଂ ଜନପ୍ରତିନିଧି ରହିପାରିବେ ।
ରୋଗ ପ୍ରତିରୋଧ ହେଉଛି ଉପକୂଳ ଜଳଚାଷର ସଫଳତାର ଚାବିକାଠି । ତେଣୁ ଉପକୂଳ ଜଳଚାଷରେ ବ୍ୟବହାର ପାଇଁ ଆନୁବଂଶିକ ଭାବେ ଉନ୍ନତ ଓ ରୋଗମୁକ୍ତ ଷ୍ଟକ୍ ଉତ୍ପାଦନ କରୁଥିବା ସୁବିଧା ସୃଷ୍ଟି କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏପରି ସୁବିଧା ଯଥା ହାଚରୀ, ବ୍ରୁଡ୍ ଷ୍ଟକ୍ ବହୁଗୁଣନ କେନ୍ଦ୍ର ଏବଂ ନ୍ୟୁକ୍ଲିୟସ୍ ବ୍ରିଡିଂ ସେଣ୍ଟର କେବଳ ସମୁଦ୍ର ଜଳର ସିଧାସଳଖ ଉପଲବ୍ଧତା ଥିବା ଅଞ୍ଚଳରେ ପ୍ରତିଷ୍ଠା କରାଯାଇପାରିବ ଏବଂ ସରକାର ସେମାନଙ୍କୁ ସକ୍ଷମ ଏବଂ ସୁବିଧା କରିବାକୁ ଚାହୁଁଛନ୍ତି । ଏହା ସହିତ ସରକାର ଏହି ଆଇନରେ ସ୍ପଷ୍ଟ ବ୍ୟବସ୍ଥା କରି ଉପକୂଳ ଜଳଚାଷରେ ଆଣ୍ଟିବାୟୋଟିକ ଏବଂ ଔଷଧୀୟ ଭାବରେ ସକ୍ରିୟ ପଦାର୍ଥର ବ୍ୟବହାରକୁ ରୋକିବାକୁ ଚାହୁଁଛନ୍ତି ।
ସରକାର ଜଳଚାଷ କ୍ଷେତ୍ରର ମ୍ୟାପିଂ ଏବଂ ଜୋନେସନ୍, ଉତ୍ତମ ଜଳଚାଷ ଅଭ୍ୟାସ, ଗୁଣାତ୍ମକ ନିଶ୍ଚିତତା ଏବଂ ସୁରକ୍ଷିତ ଜଳଚାଷ ଉତ୍ପାଦ ପରି ବିଶ୍ୱସ୍ତରୀୟ ସର୍ବୋତ୍ତମ ଅଭ୍ୟାସ ପ୍ରଚଳନ କରିବାକୁ ଯୋଜନା କରିଛନ୍ତି । ଏହି ଆଇନରେ ଉପଯୁକ୍ତ ବ୍ୟବସ୍ଥା ପ୍ରଚଳନ ମାଧ୍ୟମରେ ପରିବେଶ ସୁରକ୍ଷାର ମୂଳ ନୀତିଗୁଡ଼ିକୁ କ୍ଷୁଣ୍ଣ ନ କରି ବ୍ୟବସାୟିକ ସୁଗମତା ଆଣିବାକୁ ଯୋଜନା କରିଛନ୍ତି। ଏହା ଦ୍ୱାରା ଉତ୍ପାଦନ ଏବଂ ଉତ୍ପାଦକତା, ଟ୍ରେସେବିଲିଟି, ମୂଲ୍ୟ ଶୃଙ୍ଖଳାରେ ପ୍ରତିଦ୍ୱନ୍ଦ୍ୱିତା ଏବଂ ଉଦ୍ୟୋଗବୃଦ୍ଧି ଏବଂ ଉପକୂଳ ଜଳଚାଷ କ୍ଷେତ୍ରରେ ରପ୍ତାନିକୁ ସ୍ଥାୟୀ ଢଙ୍ଗରେ ପ୍ରୋତ୍ସାହିତ କରାଯିବ ଏବଂ ଉପକୂଳବର୍ତ୍ତୀ ଗ୍ରାମାଞ୍ଚଳରେ ଆୟ ଏବଂ ନିଯୁକ୍ତିରେ ନିରନ୍ତର ବୃଦ୍ଧି ଘଟିବ ।