କନ୍ଧମାଳ : ଦୁଇ ତିନି ଦିନ ହେଲା ଫୁଲବାଣୀ ସମେତ କନ୍ଧମାଳକୁ ଶୀତ ଛୁଇଁଚି । ପାରଦ ମଧ୍ୟ ଦିନକୁ ଦିନ ଧୀରେ ଧୀରେ ଖସିବାରେ ଲାଗିଛି। ଗତ ସୋମବାର ଫୁଲବାଣୀର ସର୍ବନିମ୍ନ ତାପମାତ୍ରା ୧୭ ଡିଗ୍ରୀ ସେଲସିୟସ ଏବଂ ଓଡିଶାର କାଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡିରେ ୧୫.୫ ଡିଗ୍ରୀ ସେଲସିୟସ ଥିବା ନେଇ ଜିଲ୍ଲା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଫଳରେ ଥଣ୍ଡା ଅନୁଭବ ହେଉଛି। ଏହା ସାଙ୍ଗକୁ ସକାଳ ୮ଟା ପର୍ଯ୍ୟନ୍ତ ଘନ କୁହୁଡ଼ି ମଧ୍ୟ ଲାଗି ରହୁଛି। ଘନ କୁହୁଡିର ଚାଦର ତଳେ ସାରା କନ୍ଧମାଳ । କୁହୁଡି ଯୋଗୁ ମୁହଁକୁ ମୁହଁ ଦେଖାଯାଉନି । ଫଳରେ ସକାଳ ୯ଟା ପୂର୍ବରୁ ଘରୁ ପଦାକୁ ବାହାରି ପାରୁନାହାନ୍ତି ଲୋକେ। ସେପଟେ ସଞ୍ଜ ନଇଁବା କ୍ଷଣି ଏବେ ପୁଣି ଦୁଇ ଦିନ ହେଲା ଥଣ୍ଡା ମାଡି ଆସୁଛି। ତେବେ ଆଗକୁ ପର୍ଯ୍ୟଟନ ଋତୁ ଆସୁ ଥିବାରୁ କନ୍ଧମାଳ ଜିଲାର ପ୍ରାକୃତିକ ମନୋରମ ପରିବେଶକୁ ମନଭରି ଉପଭୋଗ କରିବା ଲାଗି ଜିଲ୍ଲାରେ ଥିବା ପର୍ଯ୍ୟଟନ ସ୍ଥଳୀ ଗୁଡିକର ମରାମତି ଓ ସଫାସୁତୁରା କାମ ହେଉଥିବା ଜଣାପଡ଼ିଛି । ଏ ବର୍ଷ ଭଲ ବର୍ଷା ହୋଇଥିବାରୁ ଥଣ୍ଡା ମଧ୍ୟ ଜୋର୍ ହେବାର ଆଶଙ୍କା ଥିବା ଅନୁମାନ କରାଯାଉଛି।