ଭୁବନେଶ୍ୱର : ରାଜ୍ୟ ସରକାରଙ୍କର ମହତ୍ୱକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ । ମଙ୍ଗଳବାର ଭୁବନେଶ୍ୱରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ତୃତୀୟ ଦିନରେ ମୟୂରଭଞ୍ଜ, ବରଗଡ ଓ ଦେବଗଡ ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା । ଏଥିପାଇଁ ମୟୂରଭଞ୍ଜ ଜିଲ୍ଲାର ୫ଟି ନିର୍ବାଚନମଣ୍ଡଳୀକୁ ମିଳିଛି ୧୧୧ କୋଟି ୫୦ ଲକ୍ଷ ଟଙ୍କା । ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ବଡସାହି, ବାଙ୍ଗିରୀପୋଷି, ବାରିପଦା, ମୋରଡା ଏବଂ ଉଦଳା । ଏହିସବୁ ନିର୍ବାଚନମଣ୍ଡଳୀର ୨୨୩ଟି ଗ୍ରାମ ପଞ୍ଚାୟତରେ ୩୦୮୧ ଟି ପ୍ରକଳ୍ପ ହେବ । ସେହିପରି ବରଗଡ ଜିଲ୍ଲାର ୫ଟି ନିର୍ବାଚନମଣ୍ଡଳୀ (ଅତାବିରା, ବିଜେପୁର, ବରଗଡ, ପଦମପୁର ଓ ଭଟଲି) ପାଇଁ ୧୨୬ କୋଟି ୫୦ ଲକ୍ଷ ଟଙ୍କା ମଂଜୁର ହୋଇଛି । ଏଥିରେ ୨୫୩ଟି ଗ୍ରାମପଞ୍ଚାୟତରେ ୩୧୩୫ ଟି ପ୍ରକଳ୍ପ କରାଯିବ । ସେହିପରି ଦେବଗଡ ଜିଲ୍ଲାର ଗୋଟିଏ ନିର୍ବାଚନମଣ୍ଡଳୀ ପାଇଁ ୩୫ କୋଟି ଟଙ୍କା ଅନୁମୋଦନ କରାଯାଇଛି ଏବଂ ଏଥିରେ ୭୦ଟି ଗ୍ରାମପଞ୍ଚାୟତରେ ୯୯୧ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବ ।
ଏହି କାର୍ଯ୍ୟକ୍ରମରେ ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତିର ପ୍ରସାର, ପ୍ରତି ପୂଜାସ୍ଥଳୀର ବିକାଶ ଜରିଆରେ, ଓଡିଶାର ସଂସ୍କୃତିର ମୂଳ ଭିତିକୁ ସୁଦୃଢ କରାଯିବା ସହିତ ଡିଜିଟାଲ ଭିତିଭୂମିର ମଧ୍ୟ ବିକାଶ କରାଯିବ । ଏକ ଆକାଂକ୍ଷୀ ଓଡିଶା ଗଠନ ପାଇଁ ଏହା ହେବ ମୂଳ ଭିତି । ଆମର ସୁଦୃଢ ସାଂସ୍କୃତିକ ଭିତିଭୂମିରୁ ଆଧୁନିକ ବୈଷୟିକ ଜ୍ଞାନର ବିସ୍ତୃତ ଦିଗ୍ବଳୟକୁ ଛୁଇଁବା ନିମନ୍ତେ ନୂଆ ଓଡିଶା ତାର ଡେଣାକୁ ଆହୁରି ପ୍ରସାରିତ କରି ନୂଆ ଶିଖରରେ ପହଞ୍ଚିବ ଏବଂ ଆମେ ଗଢିବା ନୂଆ ଓଡିଶା ନବୀନ ଓଡିଶା ।
ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ସବୁ ଗାଁର ବିକାଶ ଆମର ଲକ୍ଷ୍ୟ । ଗାଁ ଗାଁରେ ସଂସ୍କୃତିର ସୁରକ୍ଷା ହେବ ଓ ଆଧୁନିକତାର ବିକାଶ ହେବ । ଗାଁ ଲୋକ ସମସ୍ତେ ଶିକ୍ଷା ଓ ସ୍ୱାସ୍ଥ୍ୟର ଗ୍ୟାରେଣ୍ଟି ପାଇବେ । ବିକଶିତ ଗାଁ ହେବ ଆଧୁନିକ ଓଡିଶାର ପରିଚୟ । ଓଡିଶା ହେଉଛି ଜଗନ୍ନାଥଙ୍କ ଭୂମି । ବିଶ୍ୱ ପ୍ରେମ, ଶାନ୍ତି, ସଦ୍ଭାବ, ସମାନତା ଓ ସେବା ହେଉଛି ଜଗନ୍ନାଥ ସଂସ୍କୃତିର ବାର୍ତା । ଜାତି, ଧର୍ମ, ସଂପ୍ରଦାୟ ନିର୍ବିଶେଷରେ ଏହା ସମସ୍ତଙ୍କୁ ନିଜର କରିପାରିଛି । ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ପ୍ରତି ଗାଁ ଗାଁରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ କରାଯିବ । ପ୍ରତି ପୂଜାସ୍ଥଳୀର ବିକାଶ କରାଯିବ । ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ କରାଯିବ । ଆମର ଭବିଷ୍ୟତ ବଂଶଧର ମାନଙ୍କ ନିମନ୍ତେ ଏସବୁ ସଂସ୍କୃତି ଓ ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ ଓ ସୁରକ୍ଷା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ମନ୍ତ୍ରୀ ଶ୍ରୀମତୀ ରୀତା ସାହୁ, ସାଂସଦ ଶ୍ରୀମତୀ ମମତା ମହନ୍ତ, ବିଧାୟକ ରାଜକିଶୋର ଦାସ, ବିଧାୟକ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ବିଧାୟକ ଦେବେଶ ଆଚାର୍ଯ୍ୟ, ବିଧାୟକ ଶ୍ରୀମତୀ ବର୍ଷା ସିଂ ବରିହା, ଜିଲ୍ଲାପରିଷଦ ସଭାପତି, ସଦସ୍ୟଗଣ, ସ୍ଥାନୀୟ ସରପଞ୍ଚ ପ୍ରମୁଖ ଆଭାସୀ ମାଧ୍ୟମରେ ଆଲୋଚନାରେ ଭାଗ ନେଇ ଗାଁ ଗାଁ ରେ ବିକାଶର ନୂଆ ଯୁଗ ଆସିଛି ବୋଲି ମତପ୍ରକାଶ କରିଥିଲେ ।
୫-ଟି ସଚିବ ଭି କେ ପାଣ୍ଡିଆନ ସୂଚନା ଦେଇ କହିଥିଲେ ଯେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ସହିତ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସବୁ ଜିଲ୍ଲା ପାଇଁ ଅର୍ଥ ମଞ୍ଜୁର କରିଛନ୍ତି । ମୟୂରଭଞ୍ଜ ଜିଲ୍ଲାରେ ବାରିପଦା ସହରର ରିଂଗ ରୋଡ ତଥା ବନ୍ୟା ନିୟନ୍ତ୍ରଣ ବନ୍ଧ ପାଇଁ ୧୫୪.୧୨ କୋଟି, ବାରିପଦା ଏମପିସି କଲେଜର ଉନ୍ନତିକରଣ ପାଇଁ ୧.୫୦ କୋଟି ଟଙ୍କା, ମାଣତ୍ରୀଠାରେ ବାବା କଖାରୁଆ ବୈଦନାଥ ଶିବ ମନ୍ଦିରର ଉନ୍ନତିକରଣ ପାଇଁ ୧ କୋଟି, ବାରିପଦାରୁ ପ୍ରତାପପୁର ବଡସାହି ଦେଇ ମାଣିତ୍ରୀ ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ ପାଇଁ ୩୭.୦୪ କୋଟି, ବେତନଟୀ-ବଡସାହି ରାସ୍ତାର ଉନ୍ନତିକରଣ ପାଇଁ ୧୯.୪୪ କୋଟି – ଏହିପରି ଜିଲ୍ଲାର ୫ଟି ପ୍ରକଳ୍ପ ପାଇଁ ୨୧୩.୧୦ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି ବୋଲି ପାଣ୍ଡିଆନ ସୂଚନା ଦେଇଥିଲେ ।
ସେହିପରି ବରଗଡ ଜିଲ୍ଲାରେ ତୁରୁଙ୍ଗା ବୈଷ୍ଣୋଦେବୀ ମନ୍ଦିର ପାଇଁ ୧.୩୬ କୋଟି, ବରଗଡ ମହିଳା କଲେଜ ପାଇଁ ୧.୨୫ କୋଟି, ବରଗଡ ପଂଚାୟତ କଲେଜ ପାଇଁ ୧.୨୫ କୋଟି, ସରଣ୍ଡା ବିଶେଷ୍ୱର ମନ୍ଦିର ପାଇଁ ୨.୬୦ କୋଟି, ପପଙ୍ଗା ପାହାଡ ପର୍ଯ୍ୟଟନ କେନ୍ଦ୍ର ପାଇଁ ୧.୮୦ କୋଟି, ଅତାବିରା ରାମଚଣ୍ଡୀ ମନ୍ଦିର ପାଇଁ ୧.୪୦ କୋଟି, ଲରମ୍ଭା କଲେଜ ପାଇଁ ୧.୨୫ କୋଟି – ଏହିପରି ୭ଟି ପ୍ରକଳ୍ପ ପାଇଁ ୧୦.୯୧ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି ବୋଲି ପାଣ୍ଡିଆନ ସୂଚନା ଦେଇଥିଲେ ।
ସେହିପରି ଦେବଗଡ ଜିଲ୍ଲାରେ ଗୋହିରା ଡ୍ୟାମ୍ ର କେନାଲ ଲାଇନିଂ ପାଇଁ ୧୭.୬୮ କୋଟି, ତିଲେଇବଣି ହକି ଟ୍ରେନିଂ ସେଣ୍ଟରରେ ସିନ୍େଥଟିକ ଟର୍ଫ ପାଇଁ ୧୨ କୋଟି ଟଙ୍କା, ଝାଡେଶ୍ୱର ମନ୍ଦିରର ବିକାଶ ପାଇଁ ୩.୧୦ କୋଟି, ଦେବଗଡ ମଡେଲ ଡିଗ୍ରୀ କଲେଜ ପାଇଁ ୧.୨୫ କୋଟି, ଦେବଗଡ କଲେଜ ପାଇଁ ୧ କୋଟି, ପ୍ରଧାନପାଟ ଜଳପ୍ରପାତ ପର୍ଯ୍ୟଟନ ବିକାଶ ପାଇଁ ୦.୯୨ କୋଟି, କୁରୁଡକୋଟ ଜଳପ୍ରପାତ ପର୍ଯ୍ୟଟନ ବିକାଶ ପାଇଁ ୦.୭୫ କୋଟି, ଦେଓଝରଣ ଜଳପ୍ରପାତ ପର୍ଯ୍ୟଟନ ବିକାଶ ପାଇଁ ୦.୭୭ କୋଟି, ଗୋହିରା ନିକଟରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ୦.୬୨ କୋଟି, ରିଆମାଳ ଯୋଗୀହୁଲି ପର୍ଯ୍ୟଟନ କ୍ଷେତ୍ର ପାଇଁ ୦.୬ କୋଟି ଏବଂ ରିଆମାଳ ଭିତରପଡା ଠାରେ ଡୋକ୍ରା କାରିଗର ମାନଙ୍କ ପାଇଁ କମନ ପାସିଲିଟି ସେଂଟର ବିକାଶ ପାଇଁ ୦.୪୦ କୋଟି ଟଙ୍କା – ଏହିପରି ୧୧ଟି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୩୯ କୋଟି ୯ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ।