ପୁରୀ : ନବରାତ୍ରିର ତୃତୀୟ ଦିବସରେ ଆଜି ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ବିଭିନ୍ନ ଶକ୍ତି ପୀଠ ମାନଙ୍କରେ ରୀତିନୀତି ସହ ପୂଜାର୍ଚ୍ଚନା ସାଙ୍ଗକୁ ମାଙ୍କ ଚନ୍ଦ୍ରଘଣ୍ଟା ବେଶ ଅନୁଷ୍ଠିତ ହେଉଛି । ଦୁର୍ଗାଙ୍କର ଏହି ପଚଂମ ସ୍ଵରୂପଙ୍କୁ ସ୍କନ୍ଦମାତା କୁହାଯାଏ । ଏହାଙ୍କୁ କଲ୍ୟାଣକାରୀ ଶକ୍ତିର ଅଧିଷ୍ଠାତ୍ରୀ ମଧ୍ୟ କୁହାଯାଏ । ଏହି ଦିନ ସାଧକଙ୍କର ମନ “ବିଶୁଦ୍ଧ ଚକ୍ର”ରେ ସ୍ଥିତ ହୁଏ । ଏହି ବିଗ୍ରହରେ ସ୍କନ୍ଦ ପ୍ରଭୁ ବାଳକ ରୂପରେ ମାତାଙ୍କ କୋଳରେ ବସିଛନ୍ତି । ସ୍କନ୍ଦ ମାତୃ ସ୍ଵରୂପିଣୀ ଦେବୀଙ୍କର ଚାରି ଗୋଟି ଭୁଜ ଅଛି । ମାତା ଗୋଟିଏ ହସ୍ତରେ ଭଗବାନ ସ୍କନ୍ଦଙ୍କୁ କୋଳରେ ବସାଇ ଧରିଛନ୍ତି ଓ ଦୁଇ ଗୋଟି ହସ୍ତରେ ପଦ୍ମ ପୁଷ୍ପ ଧରିଛନ୍ତି । ଅନ୍ୟ ଏକ ହସ୍ତ ବରଦା ମୁଦ୍ରାରେ ଭକ୍ତ ମାନଙ୍କୁ ଆଶୀର୍ବାଦ କରୁଛନ୍ତି । ମା’ଙ୍କ ବର୍ଣ୍ଣ ପୂର୍ଣ୍ଣତଃ ଶୁଭ୍ର ଏବଂ ସେ ପଦ୍ମ ପୁଷ୍ପ ଉପରେ ବିରାଜମାନ କରିଛନ୍ତି । ଏଥି ନିମନ୍ତେ ତାହାଙ୍କୁ ପଦ୍ମାସନା ଦେବୀ ମଧ୍ୟ କୁହାଯାଏ । ମା’ ଙ୍କ ବାହନ ସିଂହ । ସ୍କନ୍ଦମାତାଙ୍କ ଉପାସନାରେ ବାଳକ ରୁପି ସ୍କନ୍ଦ ଭଗବାନଙ୍କ ଉପାସନା ଏକକାଳୀନ ହୋଇ ଯାଇଥାଏ । ସ୍କନ୍ଦମାତାଙ୍କ ଉପାସନାରେ ଉପାସକଙ୍କର ସମସ୍ତ ଇଚ୍ଛା ପୂର୍ଣ୍ଣ ହୋଇଯାଏ ।
ସ୍କନ୍ଦ ମାତାଙ୍କ ପ୍ରତିମାଙ୍କୁ ମେଢ଼ ଉପରେ ସ୍ଥାପିତ କରାଯାଏ । ପ୍ରତିମାର ଆକାର ସାନ ହୋଇଥିଲେ, ଅର୍ଥାତ ତମ୍ବା, ରୁପା, ସୁବର୍ଣ୍ଣ ଅଥବା ଛୋଟ ମୃଣ୍ମୟୀ ମୂର୍ତି ହୋଇଥିଲେ, ଧାନ ବା ଗହମ ଉପରେ ସ୍ଥାପିତ ପଇଡ଼ ଯୁକ୍ତ ଜଳପୂର୍ଣ୍ଣ କଳସ ଉପରେ ସ୍ଥାପନ କରାଯାଏ । ଏହାଙ୍କୁ ଗଙ୍ଗା ଜଳ ବା ଗୋମୂତ୍ରରେ ଶୁଦ୍ଧିକରଣ କରାଯାଏ । ମେଢ଼ ଉପରେ ଶ୍ରୀଗଣେଶ, ବରୁଣ, ନବଗ୍ରହ, ଷୋଡଶ ମାତୃକା (୧୬ ଦେବୀ), ସସ୍ତ ଘୃତ ମାତୃକା (ସାତ ସିନ୍ଦୁର ବିନ୍ଦୁ ଲଗାଯାଏ) ସ୍ଥାପନା କରା ହୁଏ । ଏହା ପରେ ବ୍ରତ ଏବଂ ସଂକଳ୍ପ କରି ବୈଦିକ ଏବଂ ସସ୍ତଶତୀ ମନ୍ତ୍ର ଦ୍ଵାରା ସ୍କନ୍ଦ ମାତାଙ୍କ ସହିତ ସ୍ଥାପିତ ସମସ୍ତ ଦେବତା ମାନଙ୍କର ଷୋଡଶ ଉପଚାର ପୂଜା କରାଯାଏ । ଏଥିରେ ଆବାହନ, ଆସନ, ପାଦ୍ୟ, ଅର୍ଘ୍ୟ, ଆଚମନ, ସ୍ନାନ, ବସ୍ତ୍ର, ସୌଭାଗ୍ୟ ସୂତ୍ର, ଚନ୍ଦନ, କୁଙ୍କୁମ, ଅଗୁରୁ, ହଳଦୀ, ସିନ୍ଦୁର, ଦୁବ, ବେଲପତ୍ର, ଆଭୂଷଣ, ପୁଷ୍ପ-ହାର, ସୁଗନ୍ଧ୍ରିତ ଦ୍ରବ୍ୟ, ଧୂପ-ଦୀପ, ନୈବେଦ୍ୟ, ଫଳ, ପାନ, ଦକ୍ଷିଣା, ଆରତୀ, ପ୍ରଦକ୍ଷିଣା, ମନ୍ତ୍ର ପୁଷ୍ପାଞ୍ଜଳି ଆଦି କରାଯାଏ । ମା’ଙ୍କ ପୂଜାରେ କଦଳୀ ହେଉଛି ମୁଖ୍ୟ ଭୋଗ । ମା’ ଙ୍କ ନିକଟରେ ଦୁର୍ଗା ଚାଳିଶା ପାଠ ଏବଂ ଆରତୀ ପରେ ବ୍ରାହ୍ମଣ ଭୋଜନ କରାଯାଏ । ଶେଷରେ କର୍ତା ନିଜେ ପ୍ରସାଦ ଗ୍ରହଣ କରନ୍ତି । ପ୍ରସାଦ ବିତରଣ କରି ପୂଜା ସମ୍ପନ୍ନ ହୁଏ ।