ଭୁବନେଶ୍ୱର : ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ଦାବି ନେଇ ଗଜପତି ମହାରାଜଙ୍କୁ ବିଜେପି ଭେଟିବ । ପୂର୍ବତନ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ଶ୍ରୀ ମନ୍ଦିର ପରିଚାଳନା କମିଟି ଅଗଷ୍ଟ 4 2023ରେ ରିଜଲ୍ୟୁସନ କରି ସରକାର ଓ ହାଇକୋର୍ଟଙ୍କୁ ଅବଗତ କରିଥିଲେ ଯେ ରତ୍ନ ଭଣ୍ଡାର ଖୋଲିବା ପାଇଁ କମିଟି ଗଠନ କରାଯିବ । ସେପ୍ଟେମ୍ବର 29ରେ କମିଟି ଗଠନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଲେ । କିନ୍ତୁ କାହିଁକି ଏ ଯାଏଁ କମିଟି ହୋଇନି ବୋଲି ପ୍ରଶ୍ନ ଉଠାଇଛି ବିଜେପି । ପୂର୍ବତନ ମୁଖ୍ୟ ବିଚାରପତି ଦୀପକ ମିଶ୍ର ଓ ଜି.ବି. ପଟ୍ଟନାୟକ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଉ ବୋଲି ବିଜେପି ଦାବି କରିଛି । 45 ବର୍ଷ ଧରି ରତ୍ନଭଣ୍ଡାର ଖୋଲାଯାଇନି କି କୌଣସି ଇନଭେଣ୍ଟରୀ କରାଯାଇନାହିଁ । ତୁରନ୍ତ ରତ୍ନଭଣ୍ଡାର ଖୋଲାଯାଇ ଲୋକଙ୍କ ଦ୍ୱନ୍ଦ୍ଵ ଦୂର କରାଯାଉ । ଗଜପତି ମଧ୍ୟ ବିଭିନ୍ନ ସମୟରେ ରତ୍ନ ଭଣ୍ଡାର ଖୋଲିବାକୁ କହୁଛନ୍ତି । ଶ୍ରୀ ମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ମହାରାଜାଙ୍କୁ ବିଜେପି ଭେଟି ଏ ସମ୍ପର୍କରେ ଅବଗତ କରିବ ବୋଲି କହିଛନ୍ତି ସମୀର ମହାନ୍ତି ।