ଭୁବନେଶ୍ୱର : ପୂଜା ପୂର୍ବରୁ ନିଶାଦିଆ ଲୁଟେରା ଗ୍ୟାଙ୍ଗକୁ ଧରିଛି କମିସନରେଟ୍ ପୋଲିସ । ମାଷ୍ଟର ମାଇଣ୍ଡ ଲେଡିଡନ୍ ମୁସ୍କାନ ସମେତ 4ଜଣଙ୍କୁ ଗିରଫ କରିଛି ପୋଲିସ । ମୁସ୍କାନ ଓରଫ ସରିଫା ଖାତୁନ ଚଲାଉଥିଲା ଲଣ୍ଡା ଗ୍ୟାଙ୍ଗ । ସେହିପରି ଅନ୍ୟ ତିନିଜଣ ହେଲେ ଗଞ୍ଜାମର କୁଖ୍ୟାତ ଲୁଟେରା ଲଣ୍ଡା ଓରଫ ଅଶୋକ ବେହେରା ଓ ନୟାଗଡର ସାନ ଲଣ୍ଡା ଓରଫ ପୂର୍ଣ୍ଣ ଚନ୍ଦ୍ର ସେଠି ଏବଂ ନୟାଗଡ଼ର ସୁଶାନ୍ତ ସେଠି । ଏହି ଗ୍ୟାଙ୍ଗ ଟ୍ରେନରେ ଆସୁଥିବା ଆର୍ମି ଯବାନ ଓ ରାଜ୍ୟ ବାହାରକୁ ଆସୁଥିବା ଓଡ଼ିଆଙ୍କୁ ଟାର୍ଗେଟ କରୁଥିଲେ । ମୁସ୍କାନ ଯାତ୍ରୀଙ୍କୁ ନିଜର ସୁନ୍ଦରତାରେ ଆକର୍ଷିତ କରି ଅଟୋରେ କିଛି ଦୂର ନେବା ପରେ ଚା ପିଇବା ଆଳରେ ସେଥିରେ ନିଶା ବଟିକା ମିଶାଇ ଅଚେତ କରାଇ ଲୁଟପାଟ କରିଥାଏ । ଏହାପରେ ଯାତ୍ରୀଙ୍କୁ ଷ୍ଟେସନ ନିକଟ କୌଣସି ଗଳିରେ ଫୋପାଡି ଦେଇ ଚାଲିଯାଇଥାନ୍ତି । ତେବେ ପୋଲିସ ଏହି ଗ୍ୟାଙ୍ଗକୁ ଗିରଫ କରିବା ସହ ସେମାନଙ୍କ ଠାରୁ ନିଶା ବଟିକା, କୋଲଡ୍ରିଙ୍କସ, ଛୁରୀ ଜବତ କରିଛି । ମୁସ୍କାନ ନାଁରେ 7ଟି ମାମଲା ରହିଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କ ନାମରେ 10ରୁ ଅଧିକ ମାମଲା ରହିଛି । ଏମାନଙ୍କୁ ତଡିପାର କରିବା ପାଇଁ କମିସନରେଟ୍ ପୋଲିସ ଯୋଜନା କରୁଛି ।