
ହରିଦ୍ୱାର : ବହାଦରାବାଦ ନିକଟରେ ଟୋଲ ପ୍ଲାଜାରେ ନିୟୋଜିତ ଟୋଲ କର୍ମଚାରୀ ଯାତ୍ରୀଙ୍କୁ ମାରପିଟ ଓ ଗାଳିଗୁଲଜ କରିବା ଘଟଣାରେ ପୋଲିସ 10ଜଣଙ୍କୁ ଗିରଫ କରିଛି । ସେହିପରି ପୀଡିତଙ୍କ ଠାରୁ ଟୋଲ କର୍ମଚାରୀମାନେ ଛଡାଇ ନେଇଥିବା ମୋବାଇଲକୁ ଜବତ କରିଛି ପୋଲିସ ।
ଉତ୍ତରପ୍ରଦେଶ ମେରଠ ପରତାପୁର ନିବାସୀ ଜଶୱନ୍ତ ସିଂଙ୍କୁ ଟୋଲ କର୍ମଚାରୀମାନେ ମାରପିଟ କରିଥିବା ନେଇ ସେ ଥାନାରେ ମାମଲା ରୁଜୁ କରିଥିଲେ । ଅକ୍ଟୋବର 12 ତାରିଖରେ ସେ ହରିଦ୍ୱାରରୁ ମେରଠ ଯାଉଥିବା ସମୟରେ ଶାନ୍ତଶାହରେ ଥିବା ଟୋଲ ପ୍ଲାଜା କର୍ମଚାରୀ ତାଙ୍କୁ 2ଶହ ଟଙ୍କା ମାଗିଥିଲେ । ଏହାପରେ ସେ ଟୋଲ ଟ୍ୟାକ୍ସ ଦେଇ ରସିଦ ନେଇଥିଲେ । ଏବଂ କିଛି ଦୂର ଯିବା ପରେ ଏହି ରସିଦ ନକଲି ଥିବା ଜାଣିବାକୁ ପାଇଥିଲେ । ଏନେଇ ସେ ଟୋଲ କର୍ମଚାରୀଙ୍କୁ କହିବା ପରେ ସେଠାରେ ଥିବା 10ରୁ 12ଜଣ ଲୋକ ତାଙ୍କୁ ଆକ୍ରମଣ କରିଥିଲେ । ଗାଡି ଭଙ୍ଗାରୁଜା କରିବା ସହ ତାଙ୍କ ମୋବାଇଲ୍ ଛଡାଇ ନେଇଥିଲେ । ତାଙ୍କ ପତ୍ନୀ ଓ ଛୁଆକୁ ମଧ୍ୟ ମାରିଥିଲେ ।
ଅଭିଯୋଗ ପରେ ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ 10ଜଣଙ୍କୁ ଗିରଫ କରିଛି ।