ଇସଲାମାବାଦ: ପାକିସ୍ତାନର ରାଷ୍ଟ୍ରପତି ଆରିଫ ଅଲଭି ନ୍ୟାସନାଲ ଆସେମ୍ବଲୀକୁ ଭଙ୍ଗ କରି ଦେଇଛନ୍ତି। ଏହାର ସାମ୍ବିଧାନିକ କାର୍ଯ୍ୟକାଳ ପାଞ୍ଚ ବର୍ଷ ଶେଷ ହେବାର ତିନି ଦିନ ପୂର୍ବରୁ ଗୃହକୁ ଭାଙ୍ଗି ଦିଆଯାଇଛି। ପ୍ରଧାନମନ୍ତ୍ରୀ ଶାହାବାଜ ସରିଫଙ୍କ ପରାମର୍ଶ କ୍ରମେ ବୁଧବାର ରାଷ୍ଟ୍ରପତି ଏହି ପଦକ୍ଷେପ ନେଇଛନ୍ତି। ଏହା ସହ ଦେଶରେ ସାଧାରଣ ନିର୍ବାଚନ ଆୟୋଜନ ପାଇଁ ରାସ୍ତା ପରିଷ୍କାର ହୋଇ ଯାଇଛି। ପାକିସ୍ତାନୀ ମୁସଲିମ ଲିଗ୍-ନୱାଜ (ପିଏମଏଲ-ଏନ) ମିଳିତ ସରକାର ଆଉ ଦୁଇ ଦିନ କ୍ଷମତାରେ ରହି ଅଗଷ୍ଟ 11 ରେ ସଂସଦ ଭଙ୍ଗ କରିବାକୁ ଚାହିଁଥାନ୍ତେ, କିନ୍ତୁ ସଂସଦର ଲୋୟର ହାଉସର କାର୍ଯ୍ୟକାଳ ଶେଷ ହେବାର ତିନି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ଶାହାବାଜ ରାଷ୍ଟ୍ରପତି ଆଲଭିଙ୍କୁ ଏ ନେଇ ପରାମର୍ଶ ଦେଇଛନ୍ତି।ସେ ପଟେ ଗୃହମନ୍ତ୍ରୀ ରାଣା ସାନୁଲ୍ଲା କହିଛନ୍ତି ଯେ ସାଧାରଣ ନିର୍ବାଚନରେ ବିଳମ୍ବ ହେବାର ସମ୍ଭାବନା ରହିଛି। ମଙ୍ଗଳବାର ଜିଓ ନ୍ୟୁଜକୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ 2023 ନିର୍ବାଚନ ବର୍ଷ ନୁହେଁ। ସାନୁଲ୍ଲା କହିଛନ୍ତି ଯେ ସାମ୍ବିଧାନିକ ଆବଶ୍ୟକତା ପୂରଣ କରିବା ପାଇଁ ସରକାର ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବେ। ଏହି ପ୍ରକ୍ରିୟା 120 ଦିନ ଲାଗିବ ବୋଲି ମନ୍ତ୍ରୀ କହିଛନ୍ତି।