ଭୁବନେଶ୍ୱର, 12 ଅକ୍ଟୋବର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରୁ ବିଧାନସଭା ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ଜୋର ଧରିଛି । ମୁଖ୍ୟମନ୍ତ୍ରୀ ଜଗନ୍ନାଥଧାମରୁ ନିର୍ବାଚନ ଲଢିଲେ ସ୍ୱାଗତ କରିବୁ ବୋଲି ବିଜେଡି ନେତା ତଥା ବରିଷ୍ଠ ଦଇତାପତି ସେବାୟତ ରାମକୃଷ୍ଣ ଦାସମହାପାତ୍ର ଦେଇଥିବା ମନ୍ତବ୍ୟ ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ଅନ୍ୟପକ୍ଷରେ ନରେନ୍ଦ୍ର ମୋଦି ପୁରୀରୁ ଲୋକସଭା ନିର୍ବାଚନ ଲଢ଼ିପାରନ୍ତି ବୋଲି କହିଛନ୍ତି ପୁରୀ ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀ ।
୧୯ ନିର୍ବାଚନରେ ନବୀନ ଗଂଜାମର ହିଞ୍ଜିଳିକାଟୁ ଓ ବରଗଡ଼ ଜିଲ୍ଲାର ବିଜେପୁର ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ଏଥର ମଧ୍ୟ ଦୁଇଟି ଆସନରୁ ଲଢିବା ନେଇ ଚର୍ଚ୍ଚା ହେଉଛି । ଗତ କିଛି ବର୍ଷ ହେବ ବିଜେଡି ସରକାରର ଫୋକସରେ ରହି ଆସିଛି ପୁରୀ । ଦଳର ପ୍ରତିଷ୍ଠା ଦିବସ ସମାରୋହ, ପୁରୀରେ କ୍ୟାବିନେଟ୍ ବୈଠକର ଆୟୋଜନ,୧୯ରେ ପୁରୀରୁ କାଳିଆ ଯୋଜନାର ଶୁଭାରମ୍ଭ ହେବା ପ୍ରସଙ୍ଗ ନବୀନଙ୍କ ପାଇଁ କ୍ଷେତ୍ର ପ୍ରସ୍ତୁତି ବୋଲି ଆଲୋଚନା ହେଉଛି । ସେହିଭଳି ପୁରୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଡିସେମ୍ବରରେ ଶେଷ ହେବାକୁ ଯାଉଥିବା ବେଳେ ଅନ୍ୟ ଭିତିଭୂମି ଉନ୍ନୟନ କାର୍ୟ୍ୟ ମଧ୍ୟ ଯୁଦ୍ଧ କାଳୀନ ଭିତିରେ ଚାଲିଛି । ଏମିତିକି ପୁରୀରେ ଆନ୍ତର୍ଜାତିକ ବିମାନ ବନ୍ଦର ନିର୍ମାଣ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଥିବାରୁ ପୁରୀରୁ ଲଢିବା ପାଇଁ ନବୀନଙ୍କ ପାଇଁ କ୍ଷେତ୍ର ଅନୁକୂଳ ରହିଥିବା ଚର୍ଚ୍ଚା ବି ଜୋର ଧରିଛି । ଚର୍ଚ୍ଚାକୁ ଖୋରାକ୍ ଦେଇଛି ବିଜେଡି ନେତା ତଥା ବରିଷ୍ଠ ଦଇତାପତି ସେବାୟତ ରାମକୃଷ୍ଣ ଦାସମହାପାତ୍ରଙ୍କ ମନ୍ତବ୍ୟ । ରାମକୃଷ୍ଣ କହିଛନ୍ତି, ମୁଖ୍ୟମନ୍ତ୍ରୀ ଜଗନ୍ନାଥଧାମରୁ ନିର୍ବାଚନ ଲଢିଲେ ଦଳମତ ନିର୍ବିଶେଷରେ ସମସ୍ତେ ସ୍ୱାଗତ କରିବେ ।
ସେହିପରି ପୁରୀ ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି ପୁରୀରୁ ଲୋକସଭା ନିର୍ବାଚନ ଲଢ଼ିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି ମୋଦି ପୁରୀରୁ ଲୋକସଭା ଲଢ଼ିବେ ବୋଲି ଶୁଣିଛି । ନରେନ୍ଦ୍ର ମୋଦି ଲୋକସଭା ନିର୍ବାଚନ ଲଢ଼ିବେ, ନବୀନ ବିଧାନସଭା ଲଢ଼ନ୍ତୁ । ଉଭୟ ଲଢ଼ିଲେ ଜୋରଦାର ଲଢ଼େଇ ହେବ ବୋଲି କହିଛନ୍ତି ଜୟନ୍ତ ଷଡ଼ଙ୍ଗୀ ।