ବଲାଙ୍ଗୀର /ଭୁବନେଶ୍ୱର : ଅପାର ସମ୍ଭାବନା ଥିବା ଓଡିଶାରେ ଆଜି ବିକାଶ ବାଧାପ୍ରାପ୍ତ ହୋଇଛି । ଶିଳ୍ପ, କୃଷି, ଜଳସେଚନ କେଉଁଥିରେ ବି ବିକାଶ ହେଉନାହିଁ । ସ୍ୱାସ୍ଥ୍ୟ, ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ରାଜ୍ୟରେ ବିଜେଡି ସରକାରର ଅପାରଗତା କାରଣରୁ ପାଖାପାଖି ୧.୫ କୋଟି ଓଡିଆ ଆଜି ଅନ୍ୟତ୍ର ଦାଦନ ଖଟିବାକୁ ଯାଇଛନ୍ତି । ଦାଦନମାନଙ୍କ ପାଇଁ ଓଡିଶାରେ କଡା ଆଇନ ନଥିବାରୁ ଏଭଳି ସ୍ଥିତି ଉପୁଜିଛି ଏବଂ ଦାଦନ ଶ୍ରମିକମାନେ ଅକଥନୀୟ ଅତ୍ୟାଚାରର ଶିକାର ହେଉଛନ୍ତି । କରୋନା ସଂକଟ ସମୟରେ ରାଜ୍ୟକୁ ଫେରିଥିବା ଦାଦନ ଶ୍ରମିକଙ୍କ ତଥ୍ୟ ଜାଣିଶୁଣି ରଖିଲେ ନାହିଁ ସରକାର । ୨୫ଲକ୍ଷ ଗଣତି ପରେ ତାଲିକା ପ୍ରସ୍ତୁତ ବନ୍ଦ ହୋଇଗଲା ।ବିଶେଷ ଭାବେ ବଲାଙ୍ଗୀର, ନୂଆପଡା, କଳାହ।।ଣ୍ଡି ଜିଲ୍ଲାରୁ ସର୍ବାଧିକ ଦାଦନ ଖଟିବାକୁ ଯାଉଛନ୍ତି । ସ୍ଥାନୀୟ ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ବାହାର ରାଜ୍ୟର ଦଲାଲ୍ମାନେ କଂଟାବାଞ୍ଜି, ଟିଟିଲାଗଡ, ବଲାଙ୍ଗୀର, ଭବାନୀପାଟଣା ଆଦି ଅଂଚଳରେ ମାସ ମାସ ଧରି ହୋଟେଲରେ ରହି ବେଆଇନ ଭାବେ ଦାଦନ ର୍ୟାକେଟକୁ ବାସ୍ତବ ରୂପ ଦେଉଛନ୍ତି । ଦାଦନ ସମସ୍ୟାକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ସାମାନ୍ୟ ଚିନ୍ତା ନାହିଁ । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି ।
ରାଜ୍ୟ ସଭାପତି ଶ୍ରୀ ସାମଲ ଆଜି ବଲାଙ୍ଗୀରଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ୯ବର୍ଷରେ ୧୮ଲକ୍ଷ ୮୩ହଜାର କୋଟି ଟଙ୍କା ଓଡ଼ିଶାର ବିକାଶ, ଗରୀବ କଲ୍ୟାଣ ଏବଂ ଜଳସେଚନ, ପର୍ଯ୍ୟଟନ ବିକାଶ, ଜାତୀୟ ରାଜପଥର ଓ ରେଳପଥ ଉନ୍ନତୀକରଣ ଏବଂ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନାର କ୍ରିୟାନ୍ୱୟନ ପାଇଁ ଓଡ଼ିଶାକୁ ଦେଇଛନ୍ତି । ମାଇନିଂ ପଲିସି ପାଇଁ ଓଡ଼ିଶା ସରକାରଙ୍କୁ ପ୍ରତି ବର୍ଷ ୫୦ହଜାର କୋଟି ଟଙ୍କାର ଖଣି ରାଜସ୍ୱ ମିଳୁଛି । ଓଡ଼ିଶାରେ ଖଣିଜସମ୍ପଦ, ଜଙ୍ଗଲ ସମ୍ପଦ, ପର୍ଯ୍ୟଟନ ବିକାଶ କ୍ଷେତ୍ରରେ କୌଣସି ବିକାଶ ହୋଇନାହିଁ । କିନ୍ତୁ ଦୁର୍ନୀତି, ଅତ୍ୟାଚାର ଓ ବ୍ୟଭିଚାରୀ ରାଜ୍ୟ ସରକାର ଏହି ଟଙ୍କାକୁ ଓଡିଶା ତଥା ଓଡିଶାବାସୀଙ୍କ ବିକାଶ କାର୍ଯ୍ୟରେ ନଲଗାଇ ବ୍ୟାପକ ମାତ୍ରାରେ ହଡପ୍ କରିଛନ୍ତି । ଏଥିରୁ ବଲାଙ୍ଗୀର ଜିଲ୍ଲା ମଧ୍ୟ ବାଦ୍ ପଡିନାହିଁ । ବଲାଙ୍ଗୀର ଜିଲ୍ଲା ପାଇଁ ଆସିଥିବା ହଜାର ହଜରା କୋଟି କୋଟି ଟଙ୍କା ବାଟମାରଣା ହୋଇଛି । ଓଡ଼ିଶାର ବିକାଶ ପାଇଁ ମୋଦିଜୀ ହାତ ଖୋଲା କରି ଟଙ୍କା ଦେଉଛନ୍ତି କିନ୍ତୁ ନବୀନ ସରକାର ସେହି ଟଙ୍କାରେ କୌଣସି ବିକାଶ କାର୍ଯ୍ୟ କରି ନାହାନ୍ତି । ବିନା ପିସିରେ କୈାଣସି କାର୍ଯ୍ୟ ହେଉନାହିଁ । ‘୫-ଟି ଦୁର୍ନୀତିର ଗନ୍ତାଘର ସାଜିଛି’ । ଓଡିଶା ବିକାଶରେ ବଡ ବାଧକ ସାଜିଛି ବିଜେଡି ବୋଲି ଶ୍ରୀ ସାମଲ କହିଛନ୍ତି ।
୨୩ ବର୍ଷ ଶାସନରେ ଗୋଟିଏ ଇଂଚ ଜମିକୁ ଜଳସେଚିତ କରିପାରିଲେ ନାହିଁ ଶାସକ ବିଜେଡି । ଧାନର ଏମ୍ଏସ୍ପି କ୍ୱିଂଟାଲ ପ୍ରତି ୧୩୧୦ ଟଙ୍କାରୁ ୨୧୮୩ ଟଙ୍କାକୁ ବୃଦ୍ଧି କରିଛନ୍ତି ମୋଦି ସରକାର । ପିଏମକିଷାନ ଯୋଜନାରେ ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି ମୋଦି ସରକାର । ମାତ୍ର ରାଜ୍ୟର ଅଗଣିତ ଚାଷୀ ଭାଇଭଉଣୀଙ୍କୁ ଏ ସମସ୍ତ ସୁବିଧା ପାଇବାରୁ ବଂଚିତ ରଖୁଛନ୍ତି ରାଜ୍ୟ ସରକାର । ଓଡ଼ିଶାରେ ନିର୍ବାଚିତ ସରକାର ଅଛି ବୋଲି ଲୋକେ ଅନୁଭବ କରୁନାହାନ୍ତି । ଏହା ଗଣତନ୍ତ୍ର ପ୍ରତି ବିପଦ ଆଣିଦେଇଛି । ବିଜେପି ଶାସନକୁ ଆସିଲେ ୫ ବର୍ଷ ଭିତରେ ସବୁ ସମସ୍ୟାର ସମାଧାନ କରାଯିବ । ବିଶେଷ ଭାବେ ଶିକ୍ଷକ, ଡାକ୍ତର ଅଭାବକୁ ଦୁର କରାଯାଇ ଶିକ୍ଷା ଓ ସ୍ୱାସ୍ଥ୍ୟବସ୍ଥାକୁ ସୁଦୃଢ କରାଯିବ ବୋଲି ରାଜ୍ୟ ସଭାପତି ସାମଲ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ସାଂସଦ ଶ୍ରୀମତୀ ସଙ୍ଗୀତା ସିଂହଦେଓ, ବରିଷ୍ଠ ନେତା କେ.ଭି.ସିଂହଦେଓ, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ଜିଲ୍ଲା ସଭାପତି ଶିବାଜୀ ମହାନ୍ତି, ରାଜ୍ୟ ସଂପାଦକ ସରୋଜ କର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୋପାଳଜୀ ପାଣୀଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।
ଏହାପରେ ସୋନପୁର, ବୀରମହାରାଜପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଂଚାୟତରେ ସ୍ୱାଗତ କରାଯିବା ପରେ ରାଜ୍ୟ ସଭାପତି ସାମଲ ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମରେ ପଦଯାତ୍ରାରେ ଯାଇ କଳସରେ ମାଟି ସଂଗ୍ରହ କରିଥିଲେ । ଏହା ପରେ ଶ୍ରୀ ସାମଲ କାର୍ଯ୍ୟକର୍ତା ବୈଠକରେ ଯୋଗ ଦେଇ ଦଳୀୟ କାର୍ଯ୍ୟ ସମୀକ୍ଷା କରିଥିଲେ ।