ଓଡ଼ିଶାର ସର୍ବବୃହତ ଜୈବମଣ୍ଡଳ ଶିମିଳିପାଳ ହେବ ଶିକାରୀ ମୁକ୍ତ । ଏହି ଉଦେଶ୍ୟ ନେଇ ବନବିଭାଗ ଓ ପୋଲିସ ର ମିଳିତ ଉଦ୍ୟମରେ ଦିନ ରାତି ଚାଲିଛି ଷ୍ଟ୍ରିଙ୍ଗ ଅପରେସନ। ଆଉ ଆଜି ମିଳିଛି ପରିଶ୍ରମର ଫଳ । ସୂଚନାଯୋଗ୍ୟ ମୟୂରଭଞ୍ଜର ୧୪ ଟି ଥାନା ଅଞ୍ଚଳରେ ବ୍ୟାପକ ଚଢ଼ାଉ କରି ଦେଶୀ ବନ୍ଧୁକ ସହିତ ଗନ୍ ପାଉଡର ଜବତ୍ କରିବା ସହିତ ୨୧ ଜଣ ଶିକାରୀଙ୍କୁ ଗିରଫ କରିଛି ପୋଲିସ୍ ।
ଶିମିଳିପାଳ ଅଭୟାରଣ୍ୟ ଚତୁର୍ପର୍ଶ୍ଵରେ ମାଳ ମାଳ ଶିକାରୀ। ମୟୂରଭଞ୍ଜ ପୋଲିସର ବଡ଼ ଧରଣର ସର୍ଚ୍ଚ ଅପରେସନ ବେଳେ ମିଳିଲା ବିପୁଳ ପରିମାଣର ଦେଶୀ ବନ୍ଧୁକ । ଏତେ ପରିମାଣରେ ବନ୍ଧୁକ ମିଳିବା ସ୍ପଷ୍ଟ କରୁଛି ଯେ, ଜିଲ୍ଲାରେ ଶିକାରୀ କେତେ ସକ୍ରିୟ ଅଛନ୍ତି, ପଶୁ ଶିକାର ପାଇଁ କେମିତି ସେମାନେ ଅସ୍ତ୍ର ରଖୁଛନ୍ତି ତାହା ସମସ୍ତଙ୍କୁ ଚକିତ କରିଛି । ଦେଶୀ ବନ୍ଧୁକ ଛଡା ଏମାନଙ୍କ ଠାରୁ ଚଢ଼ଉ ବେଳେ ୫୦୦ଗ୍ରାମ୍ ର ଗନ୍ ପାଉଡର, ବଜ୍ରକପ୍ତା କାତି, ହରିଣ ସିଂଙ୍ଗ ଜବତ୍ ହୋଇଛି । ଶିକାରରେ ବ୍ୟବହାର କରୁଥିବା ବଲ ବେରୀଙ୍ଗ ବନ୍ଧୁକ ତିଆରି ଯନ୍ତ୍ରାଂଶ, ରହିଛି । ଶିମିଳିପାଳ ଭିତରେ ଫରେଷ୍ଟ ଗାର୍ଡ ହତ୍ୟା କାଣ୍ଡ ମାମଲାରେ ଜିଲ୍ଲାରେ ଚଢ଼ାଉ ଜାରି ରହିଥିବବେଳେ ସର୍ଚ୍ଚ ଅପରେସନରେ ମୟୂରଭଞ୍ଜ ପୋଲିସକୁ ବିପୁଳ ପରିମାଣର ବନ୍ଧୁକ ମିଳିଛି । ତେବେ ଏତେ ପରିମାଣର ଅସ୍ତ୍ର କେଉଁଠୁ ଆଣିଲେ, କିଏ ତାଙ୍କୁ ଦେଉଥିଲା ସେ ନେଇ ଖୋଳତାଡ ଚାଲିଛି । ମୟୂରଭଞ୍ଜ ଜିଲ୍ଲାରେ ଦୁଇ ଜଣ ଫରେଷ୍ଟ ଗାର୍ଡଙ୍କ ହତ୍ୟାକାଣ୍ଡ ପରେ ଜୁନ ୧୮ ପରଠାରୁ ଶିମିଳିପାଳରେ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ । ପ୍ରଥମ ପର୍ଯ୍ୟାୟରେ ୩୦ ରୁ ଅଧିକ ବନ୍ଧୁକ ମିଳିଥିଲା । ଏ ପର୍ଯ୍ୟନ୍ତ ପ୍ରାୟ ୨୦୦ ରୁ ଅଧିକ ବନ୍ଧୁକ ଜବତ କରିଛି ମୟୂରଭଞ୍ଜ ପୋଲିସ । ଆଉ କିଛି ସମୟ ମଧ୍ୟରେ ପୋଲିସ ପ୍ରଶାସନ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ତଥ୍ୟ ପ୍ରଦାନ କରିବେ । ଏହି ସାମ୍ବାଦିକ ସମ୍ମିଳନୀରେ ଡିଜିପି ସୁନୀଲ ବଂଶଲ, ଏଡିଜି ସଞ୍ଜୟ କୁମାର, ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ ଓ ମୟୂରଭଞ୍ଜ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବି ଗଙ୍ଗାଧର ଙ୍କ ସହିତ ବନ ବିଭାଗର ଉପସ୍ଥିତ କର୍ମଚାରୀଙ୍କ ସହିତ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।