
ମାଲକାନଗିରି : ମାଲକାନଗିରି ଜିଲ୍ଲାଦୌରା ଜଜ ଗତକାଲି ଦୁଇ ଜଣ ଗଞ୍ଜେଇ ବେପାରୀ ଙ୍କୁ ୧୦ ବର୍ଷ ଲେଖା ସଶ୍ରମ କାରାଦଣ୍ଡ ସହିତ ୧ଲକ୍ଷ ଟଙ୍କା ଲେଖାଏଁ ଜରିମାନାରେ ଦଣ୍ଡିତ କରିଛନ୍ତି । ସୂଚନା ଅନୁଯାୟୀ ଗତ ୨୦୨୦ ମସିହା ଜୁଲାଇ ମାସ ୨୧ ତାରିଖ ଦିନ ମାଲକାନଗିରି ଜିଲ୍ଲା ଓର୍କେଲ ଥାନା ସବ ଇନିସପେକ୍ଟର ମିଲ ନ ମଜୁମଦାରଙ୍କ ନେତୃତ୍ୱରେ ପୁଲିସ ଟିମ ଚିତ୍ରକୋଣ୍ଡା ରାସ୍ତା ବାଲିମେଳା ଛକଠାରେ ରାତ୍ର ପେଟ୍ରୋଲିଂ କରୁଥିବାବେଳେ ଏକ ୪୦୭ ଗାଡିଟି ଦ୍ରୁତଗତିରେ ପଳାଉ ଥିବାର ଦେଖି ଗୋଡ଼ାଇ ଧରିଥିଲେ।ଗାଡି ଯାଞ୍ଚ କରିବାରୁ ସେଥିରେ ୭ଟି ବସ୍ତାରେ ଗଞ୍ଜେଇ ଥିବାର ଦେଖିଥିଲେ। ଗାଡ଼ିରେ ଥିବା ଉତ୍ତରପ୍ରଦେଶ ରାଜ୍ୟର ଦୁଇଜଣ ଵ୍ୟକ୍ତିଙ୍କୁ ଗିରଫ କରି ଥାନାକୁ ନେଇ ପଚରା ଉଚରା କରିଥିଲେ । ଜବତ ଗଞ୍ଜେଇକୁ ଓଜନ କରିବାରୁ ୧୭୫ କେଜି ହୋଇଥିଲା। ଦୁଇ ଅଭିଯୁକ୍ତ ଉତ୍ତରପ୍ରଦେଶ ବାଲିଆ ଥାନା ଅଞ୍ଚଳର ରାଜେଶ କୁମାର ରାଜକ (୨୭)ଓ ରାଣାଜି ସିଂ(୨୩)ଅଭିଯୁକ୍ତ ଦୁଇଜଣ ଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜିଲ୍ଲା ଦୌରାଜଜ୍ ଶ୍ରୀମତୀ ଅଜନ୍ତା ଷଡ଼ଙ୍ଗୀ ଏହି କେସର ବିଚାର କରି ରାୟ ଶୁଣାଣି କରିଛନ୍ତି । ଦୁଇ ଅଭିଯୁକ୍ତ ଉତ୍ତରପ୍ରଦେଶ ବାଲିଆ ଥାନା ଅଞ୍ଚଳର ରାଜେଶ କୁମାର ରାଜକ (୨୭)ଓ ରାଣାଜି ସିଂ(୨୩) ଉଭୟ ଅଭିଯୁକ୍ତଙ୍କୁ ଜିଲ୍ଲା ଦୌରାଜଜ୍ ଅଦାଲତ ପକ୍ଷରୁ ୧୦ବର୍ଷ ଲେଖା ସଶ୍ରମ କାରାଦଣ୍ଡ ସହିତ ଏକ ଲକ୍ଷ ଟଙ୍କା ଲେଖା ଅର୍ଥଦଣ୍ଡରେ ଦଣ୍ଡିତ କରାଯାଇଛି। ଅର୍ଥ ଦଣ୍ଡ ଅନାଦେୟ ହେଲେ ଅଧିକ ଏକ ବର୍ଷ ଲେଖା କାରା ଦଣ୍ଡ ଭୋଗିବେ ବୋଲି କୋର୍ଟ ରାୟ ଦେଇଛନ୍ତି । ଏହି ମୋକଦ୍ଦମାକୁ ସରକାରୀ ଓକିଲ ବିଜୟ କୁମାର ମହାନ୍ତି ପରିଚାଳନା କରିଥିଲେ।