ନୂଆଦିଲ୍ଲୀ/ଭୁବନେଶ୍ୱର : ଜାତିଗତ ଜନଗଣନା ଆଳରେ ଆଜି କଂଗ୍ରେସ ସମାଜକୁ ବିଭାଜିତ କରି ରାଜନୈତିକ ରୁଟି ସେକିବା ପାଇଁ ଚେଷ୍ଟା କରୁଛି । ସ୍ୱାଧୀନତା ପର ଠାରୁ ୟୁପିଏ-୨ ପର୍ଯ୍ୟନ୍ତ କଂଗ୍ରେସ ଜାତିଗତ ଜନଗଣନାକୁ ତୀବ୍ର ବିରୋଧ କରିଥିଲା ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ରାହୁଲ ଗାନ୍ଧୀ ପ୍ରଥମେ ସ୍ପଷ୍ଟ କରନ୍ତୁ ଯେ କଂଗ୍ରେସ ଦଶନ୍ଧି ଦଶନ୍ଧି ଧରି ଶାସନରେ ରହିବା ପରେ ମଧ୍ୟ କାହିଁକି ଜାତିଗତ ଜନଗଣନା କଲା ନାହିଁ? ଜାତିଗତ ଜନଗଣନାର ସାମ୍ବିଧାନିକ ଅଧିକାର କେବଳ କେନ୍ଦ୍ର ସରକାରଙ୍କ ହାତରେ ନ୍ୟସ୍ତ ରହିଛି । ଜାତିଗତ ଜନଗଣନା ଉପରେ ରାହୁଲ କେବଳ ବିଭ୍ରାନ୍ତିକର କଥା କହୁଛନ୍ତି ।
ତାଙ୍କ ନେତା ରାଜୀବ ଗାନ୍ଧୀ ମଣ୍ଡଳ କମିଶନ ଅନ୍ତର୍ଗତ କେନ୍ଦ୍ର ସରକାରଙ୍କ ଚାକିରିରେ ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣକୁ ବିରୋଧ କରିଥିଲେ,ଏହା ସତ ନୁହେଁ କି? ଆଜି ରାହୁଲ ଗାନ୍ଧୀଙ୍କ ନାଟକ ସେହି ରାଜନୈତିକ ଭୁଲକୁ ଲୁଚାଇବା ପାଇଁ ଏକ ପ୍ରୟାସ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ।