ସମ୍ବଲପୁର : ପବିତ୍ର ଶାରଦୀୟ ପୂଜାର ଶୋଭାଯାତ୍ରା ତଥା ପୂଜା ପାର୍ବଣ ସମୟରେ ସମ୍ବଲପୁର ସହରରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ଓ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ଆଜି ସମ୍ବଲପୁର ଜିଲ୍ଲା ବିଜେପିର ଏକ ପ୍ରତନିଧି ଦଳ ସମ୍ବଲପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷାତ କରି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି । ଜିଲ୍ଲା ବିଜେପି ସଭାପତି ଗିରିଶ୍ ପଟେଲଙ୍କ ନେତୃତ୍ବରେ ବିଜେପିର ଏକ ପ୍ରତନିଧି ଦଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷାତ କରି ସମ୍ବଲପୁର ଜିଲ୍ଲାର ବିଭିନ୍ନ ପର୍ବପର୍ବାଣି ସମ୍ପର୍କରେ ଆଲୋକପାତ କରାଇବା ପରେ ବର୍ତ୍ତମାନର ବିଭିନ୍ନ ପ୍ରତିବନ୍ଧକ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରାଇଥିଲେ । ବିଶେଷ କରି ଜିଲ୍ଲାରେ ଶୀତଳଷଷ୍ଠୀ, ନୂଆଁଖାଇ ଓ ଶାରଦୀୟ ପୂଜାତ୍ସୋବରେ ମା ଦେବୀ ଦୁର୍ଗାଙ୍କ ପୂଜା ବେଶ୍ ଧୁମଧାମରେ ପାଳିତ ହୋଇଥାଏ । ପୂଜାବିଧିର ପ୍ରାରମ୍ଭରେ ଶୁଦ୍ଧପୂତ ଭାବେ ମାତୃଶକ୍ତିର ପ୍ରତୀକ ମହିଳା ଓ ପୁରୁଷମାନେ କଳସ ଶୋଭାଯାତ୍ରାରେ ନଗର ପରିକ୍ରମା କରି ମଣ୍ଡପ ଗୁଡିକରେ ସ୍ଥାପନା କରିଥାନ୍ତି । ଏହା ପର ଠାରୁ ଧାର୍ଯ୍ୟ ଦିନାଙ୍କ ଗୁଡ଼ିକରେ ମା”ଙ୍କ ଯଥାବିଧି ନୀତି ଓ ପୂଜାର୍ଚ୍ଚନା ପରେ ବାଜା, ବାଣ ଓ ରୋଷଣୀର ପଟୁଆରରେ ମା ”ଙ୍କ ବିସର୍ଜନ ପର୍ବ ସମ୍ପନ୍ନ ହୋଇଥାଏ । ମାତ୍ର ଜିଲ୍ଲାର ଆଇନ୍ ଶୃଙ୍ଖଳା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଜିଲା ପୋଲିସ ପ୍ରଶାସନ ଏକ ବର୍ଷ ପାଇଁ କେତେକ ଶୋଭାଯାତ୍ରା ପ୍ରତି କଟକଣା ଲାଗୁ କରିଛି । ପୋଲିସ ପ୍ରଶାସନର ଏହି କଟକଣା ଏବେ ସାଂପ୍ରଦାୟିକ ତିକ୍ତତାକୁ ଉଜ୍ଜିବୀତ କରାଉଥିବା ନେଇ ଅନେକ ବୁଦ୍ଧିଜୀବୀ ଭିନ୍ନ ଆକ୍ଷେପ କରୁଥିବା ବେଳେ ଆଇନର କଟକଣା ଉହାଡରେ ହେଉଥିବା ପକ୍ଷପାତିତାକୁ ନେଇ ବିଜେପି ଉଠାଇଛି ପ୍ରଶ୍ନ । ଏପରିକି ଧାର୍ମିକ ଶୋଭାଯାତ୍ରା ପ୍ରତି ଯଦି ପୋଲିସ ପ୍ରଶାସନର କଟକଣା ରହିଛି ତେବେ ମହରମ୍ ବେଳେ ବିଭିନ୍ନ ପଡ଼ାରେ ଅସ୍ତ୍ରଶସ୍ତ୍ର ଆଖଡ଼ା ଓ ଶୋଭାଯାତ୍ରା କିପରି କରାଯାଇଥିଲା । ସାମାଜିକ ଶାନ୍ତି ଶୃଙ୍ଖଳା ରକ୍ଷା ଦିଗରେ ପୋଲିସ ପ୍ରଶାସନ ଲାଗୁ କରୁଥିବା ସମସ୍ତ ପ୍ରକାରର ଆଇନଗତ କଟକଣା ସ୍ବାଗତଯୋଗ୍ୟ । ମାତ୍ର ପୋଲିସ ପ୍ରଶାସନର ଅସ୍ପଷ୍ଟ ନୀତି ସାଂପ୍ରଦାୟିକ ତିକ୍ତତା ସୃଷ୍ଟି କରାଉଥିବା ମୁଖ୍ୟ କାରଣ କୁହାଯାଉଛି । କାରଣ ଗୋଟିଏ ପଟେ ମହରମ୍ ଶୋଭାଯାତ୍ରାକୁ ହଁ” ଓ ଦୁର୍ଗାପୂଜା ଶୋଭାଯାତ୍ରାକୁ ନା” କଟକଣା ହିଁ ଦୁଇ ସଂପ୍ରଦାୟକୁ ଉତ୍ତେଜିତ କରାଉଛି ।
ଆଜି ଜିଲ୍ଲା ବିଜେପି ସଭାପତି ଶ୍ରୀ ପଟେଲଙ୍କ ନେତୃତ୍ବରେ ଅନ୍ନପୂର୍ଣ୍ଣା ବାରିକ୍, ସଲିଳା ପଣ୍ଡା, ସରୋଜିନୀ ବନଚ୍ଚୋର, କାମନୀ ଶୁକ୍ଳା, ମଞ୍ଜୁ ସିଂ, କ୍ଷୀରାବ୍ଦୀ ରଣା, ଶିରିଷ ପଟେଲ, ଶିବ୍ ନାରାୟଣ୍, ଦାମୋଦର କର, ଭବାନୀ ନୁସର, ଗିରିଜା ସାହୁ, ପ୍ରଦୀପ ବେହେରା, ଜୟକିଶୋର ଜାଲ୍ ପ୍ରମୁଖ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସହ ଶାରଦୀୟ ପୂଜାତ୍ସୋବ ଓ ହିନ୍ଦୁ ସମାଜିକ ପରମ୍ପରା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଶେଷରେ ଶାରଦୀୟ ପୂଜା ଓ ଶୋଭାଯାତ୍ରାରେ ଲାଗୁ ଆଇନଗତ କଟକଣା ପ୍ରତ୍ୟାହାର ସମ୍ପର୍କରେ ଅନୁରୋଧ କରିଥିଲେ ।