ନୂଆଦିଲ୍ଲୀ : ମହାରାଷ୍ଟ୍ର ବିଧାନସଭାରେ ବିଦ୍ରୋହୀ ଏନସିପି ବିଧାୟକଙ୍କ ଅଯୋଗ୍ୟତା ସମ୍ପର୍କରେ ସୁପ୍ରିମକୋର୍ଟରେ ଏକ ଆବେଦନ କରାଯାଇଛି। ବିଧାନସଭା ବାଚସ୍ପତି ପକ୍ଷରୁ ଅଯୋଗ୍ୟତା ମାମଲାକୁ ଜାଣିଶୁଣି ଝୁଲାଇ ରଖାଯାଉଥିବା ଅଭିଯୋଗରେ କରି ଏନସିପି ବିଧାୟକ ଜୟନ୍ତ ପାଟିଲ ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଛନ୍ତି ।
ଜୟନ୍ତ ପାଟିଲ ନିଜ ପିଟିସନରେ କହିଛନ୍ତି ଯେ, ଦୁଇମାସରୁ ଅଧିକ ସମୟ ହେଲାଣି, କିନ୍ତୁ ବାଚସ୍ପତି ବିଧାୟକଙ୍କୁ ଏଯାଏ ପଚରାଉଚରା ପାଇଁ ନୋଟିସ ଦେଇନାହାନ୍ତି । ପାଟିଲଙ୍କ ପିଟିସନ ମୁତାବକ ବିଧାୟକଙ୍କ ଅଯୋଗ୍ୟତା ପାଇଁ ଆବେଦନ ଜୁଲାଇ 2 ରେ ଦାଖଲ ହୋଇଥିବାବେଳେ ସେପ୍ଟେମ୍ବର 5 ରେ ସ୍ମାରକପତ୍ର ଏବଂ ସେପ୍ଟେମ୍ବର 7 ରେ ରିପୋର୍ଟ ପ୍ରଦାନ କରାଯାଇଥିଲା। ଆବେଦନରେ କୁହାଯାଇଛି ଯେ ଆବେଦନକାରୀ ବ୍ୟକ୍ତିଗତ ଭାବେ ବାଚସ୍ପତିଙ୍କୁ ଭେଟି ଏହି ବିଷୟରେ ଶୀଘ୍ର ନିଷ୍ପତ୍ତି ନେବାକୁ ଅନୁରୋଧ କରିଛନ୍ତି। ଏହା ସତ୍ତ୍ୱେ, ଏପର୍ଯ୍ୟନ୍ତ କିଛି ହୋଇନଥିବା ସେ ଆବେଦନରେ ଦର୍ଶାଇଛନ୍ତି ।