ବଲାଣି : ବଡ଼ବିଲ ଥାନା କ୍ଷେତ୍ରର ରିମୂଳି- ରାଜାମୁଣ୍ଡା ଜାତୀୟ ରାଜପଥ ସଂଖ୍ୟା ୫୨୦ର ଭଦ୍ରାସାହି ଅଞ୍ଚଳରେ ଟ୍ରକ ଚାଳକଙ୍କ ଠାରୁ ମାରଣାସ୍ତ୍ର ଦେଖାଇ ଲୁଟ ଘଟଣା ଦିନକୁ ଦିନ ବୃଦ୍ଧି ପାଉଛି । ଶୁକ୍ରବାର ରାତିରେ ଏହି ଥାନା ଅନ୍ତର୍ଗତ ଝାଡ଼ଗାଁ ନିକଟରେ ଛିଡା ହୋଇଥିବା ଟ୍ରକର ଚାଳକ ଠାରୁ ଲୁଟ କରିବା ଉଦ୍ଦେଶ୍ୟରେ ଆସିଥିବା ଦୃବୁର୍ତ୍ତଙ୍କ ଛୁରା ମାଡ଼ରେ ଜଣେ ଟ୍ରକ ଚାଳକ ଗୁରୁତର ହୋଇଥିବା ନେଇ ବଡ଼ବିଲ ଥାନାରେ ଅଭିଯୋଗ ହୋଇଛି ।
ଅଭିଯୋଗ ଅନୁସାରେ, ଇଗଲ ମାଇନିଂ ନାମକ ଏକ ସଂସ୍ଥାରେ କାର୍ଯ୍ୟରତ ଟ୍ରକ ଚାଳକ ନକୁଲ କୁମାର ଗତ ରାତି ପ୍ରାୟ ୨ଟା ୩୦ ସମୟରେ ସ୍ଥାନୀୟ ଏକ ଖଣିରୁ ଖଣିଜ ପଦାର୍ଥ ବୋଝେଇ କରି ଝାଡ଼ଗାଁ ପେଟ୍ରୋଲ ପମ୍ପ ନିକଟରେ ଛିଡା କରିଥିଲେ । ଏହି ସମୟରେ କିଛି ଦୃବୁର୍ତ୍ତ ମାରଣାସ୍ତ୍ର ଦେଖାଇ ତାଙ୍କ ଠାରୁ ମୋବାଇଲ, ଟଙ୍କା ଓ ଗାଡିର ବ୍ୟାଟେରୀ ଲୁଟ କରିବାକୁ ପ୍ରୟାସ କରିଥିଲେ, କିନ୍ତୁ ଚାଳକ ତାଙ୍କୁ ବିରୋଧ କରିବାରୁ ଜଣେ ଦୃବୁର୍ତ୍ତ ତାଙ୍କ ଉପରକୁ ଛୁରୀ ସାହାଯ୍ୟରେ ମାରଣାନ୍ତକ ଆକ୍ରମଣ କରିଥିଲେ । ତେବେ ଏହି ସମୟରେ ସେ ଟ୍ରକ ଟିକୁ ଆଗକୁ ବଢାଇବାରେ ସଫଳ ହେବାରୁ ଦୃବୁର୍ତ୍ତ ମାନେ ଗାଡି ଉପରୁ ଡେଇଁ ଦୌଡ଼ି ପଳାଇଥିଲେ । ଟ୍ରକ ଚାଳକ କମ୍ପାନୀର ଜଣେ କର୍ମଚାରୀଙ୍କୁ ଫୋନ ଯୋଗେ ଡାକିବାରୁ ସେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଯାଇଥିଲେ । ତାଙ୍କର ହାତରେ ଛୁରା ମାଡ଼ ହୋଇଥିବା ବେଳେ ଏ ନେଇ ସେ ବଡ଼ବିଲ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ତେବେ ଦିନକୁ ଦିନ ବଡ଼ବିଲ ଥାନା କ୍ଷେତ୍ରରେ ଚୋରି, ଲୁଟ ଓ ଡକାୟତି ଭଳି ଘଟଣା ଘଟୁଥିବା ବେଳେ ଅପରାଧୀ ଅପରାଧ ଘଟାଇ ଅତି ସହଜରେ ଖସି ପଳାଇବାରେ ସକ୍ଷମ ହେଉଛନ୍ତି । ଏନେଇ ଲୋକେ ଆତଙ୍କିତ ଅବସ୍ଥାରେ ଥିବା ବେଳେ ବଡ଼ବିଲ ପୁଲିସ କଡା ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେବା ସହିତ ରାତ୍ରକାଳୀନ ପୁଲିସ ଗସ୍ତ (ପେଟ୍ରୋଲିଂ) ବଢାଇବାକୁ ଦାବି ହେଉଛି ।