ଭୁବନେଶ୍ଵର/ଢ଼େଙ୍କାନାଳ : ସିକ୍କିମ ବନ୍ୟାରେ ସହିଦ୍ ହୋଇଥିବା ବୀର ଯବାନ ସରୋଜ ଦାସଙ୍କ ମରଶରୀର ଆଜି ତାଙ୍କ ଗ୍ରାମ ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଦୀଘି ପଞ୍ଚାୟତର କେନ୍ଦୁଢ଼ିପ ଗ୍ରାମରେ ପହଞ୍ଚିବା ପରେ ସେଠାରେ ତାଙ୍କର ଶେଷ ଦର୍ଶନ କରିବେ ଅଞ୍ଚଳବାସୀ ଓ ବନ୍ଧୁ ପରିଜନ । ଏହାପରେ ଗାଁ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ । ସହିଦ ଯବାନଙ୍କ ଶେଷ ଦର୍ଶନ କରିବା ପାଇଁ ଲୋକେ ଅପେକ୍ଷା କରି ରହିଛନ୍ତି । କେତେବେଳେ ଆସି ପହଞ୍ଚିବ ଗାଁର ବୀର ପୁଅ ସହିଦ ଯବାନ ସରୋଜଙ୍କ ପାର୍ଥିବ ଶରୀର, ତାକୁ କେବଳ ଅପେକ୍ଷା ।
ତାଙ୍କ ପାର୍ଥିବ ଶରୀର ଆଜି ଅପରାହ୍ନରେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯାଇଥିଲା । ସହିଦ ସରୋଜଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଅନ୍ୟ ବିଶିଷ୍ଟ ବ୍ୟକ୍ତି । ଏହାପରେ ତାଙ୍କ ମରଶରୀରକୁ ଶୋଭାଯାତ୍ରାରେ ଗାଁ କେନ୍ଦୁଢ଼ିପକୁ ନିଆଯାଉଛି ଏବଂ ସେଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ।