କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାର ପ୍ରସିଦ୍ଧ ମିଷ୍ଟାନ୍ନ ତଥା ବଳଦେବଜୀଉଙ୍କ ପ୍ରମୁଖ ପ୍ରସାଦ ରସାବଳୀକୁ ଜି.ଆଇ ଟ୍ୟାଗ ମିଳିବା ପରେ ଜିଲ୍ଲାର ସର୍ବତ୍ର ଖୁସିର ଲହରୀ ଖେଳିଯାଇଛି । ଏଥିପାଇଁ ଉଦ୍ୟମ ଓ ଆବେଦନ କରିଥିବା ରସାବଳୀ ମିଷ୍ଟାନ୍ନ ନିର୍ମାତା ସଂଘ କର୍ମକର୍ତାମାନଙ୍କୁ ଭେଟି ଜିଲ୍ଲାପାଳ ଅମୃତ ଋତୁରାଜ ଅଭିନନ୍ଦନ ଜଣାଇବା ସହ ରସାବଳୀର ବ୍ୟାପକ ପ୍ରଚାର ପ୍ରସାର ଓ ବ୍ୟବସାୟ ପାଇଁ ପ୍ରଶାସନିକ ସହଯୋଗ ରହିବ ବୋଲି ପ୍ରକାଶ କରିଥିଲେ । କେନ୍ଦ୍ରାପଡ଼ାର ଦୁହୁରିଆ ଠାରେ ଏକ ରସାବଳୀ ବଜାର(ହବ୍) ନିର୍ମାଣ କରାଯିବା ସହ ଏହାକୁ ରପ୍ତାନୀ ପାଇଁ ଆଧୁନିକ ପ୍ରଣାଳୀରେ ପ୍ୟାକିଂ କରିବା ତାଲିମ ଶିବିର ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଥିଲେ । ଏହା ସହ ଜି.ଆଇ ସାର୍ଟିଫିକେଟ୍ ମିଳିବା ପରେ ଏକ ଜିଲ୍ଲାସ୍ତରୀୟ ପ୍ରମାଣପତ୍ର ପ୍ରଦାନ ଉତ୍ସବ ଅନୁଷ୍ଠିତ ହେବବୋଲି ଆଲୋଚନା ପ୍ରସଙ୍ଗରେ ପ୍ରତିଶୃତି ଦେଇଥିଲେ । ଜିଲ୍ଲାପାଳଙ୍କ ଆବାସାିକ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ସାକ୍ଷାତ କାର୍ଯ୍ୟକ୍ରମରେ ରସାବଳୀ ନିର୍ମାତା ସଂଘର ସଭାପତି ସୈାରଚନ୍ଦ୍ର ସାହୁ, ସଂପାଦକ ଆଇନଜୀବି ବଳରାମ ସାହୁ, ସହ ସଂପାଦକ କରୁଣାକର ସାହୁ, ଆବାହକ ସମାଜସେବୀ ତଥା ସାହିତ୍ୟ ଏକାଡେମୀ ସଦସ୍ୟ ସରୋଜ କୁମାର ମହାନ୍ତି, ଉପ ସଭାପତି ବୈଷ୍ଣବ ପଣ୍ଡା ଓ କିଶୋର ସାହୁ ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିଥିଲେ ।