ସତ୍ୟ ରଞ୍ଜନ ପଣ୍ଡା
କେନ୍ଦ୍ରାପଡ଼ା : ଦାଣ୍ଡିସାହି ସ୍ଥିତ ବ୍ରାହ୍ମଣୀ ମହାବିଦ୍ୟାଳୟରେ ୨୦୧୮ ମସିହାରେ ପ୍ରକାଶିତ ବିଜ୍ଞାପନ ପାଇ ୧୩ ଜଣ ଅସ୍ଥାୟୀ ଶିକ୍ଷକ ଓ ଶିକ୍ଷୟତ୍ରୀ ମହାବିଦ୍ୟାଳୟରେ ବିଭିନ୍ନ ପଦ ପଦବୀରେ ଯୋଗଦାନ କରି ଶିକ୍ଷକତା କରିଆସୁଥିଲେ । ୨୦୨୧/ ୨୨ ମସିହାରେ ଉକ୍ତ ମହାବିଦ୍ୟାଳୟରେ ନବ ନିଯୁକ୍ତ ଅଧ୍ୟକ୍ଷ ସେମାନଙ୍କୁ ବିନା ନୋଟିସରେ କାର୍ଯ୍ୟରୁ ଅନ୍ତର ରଖିଥିଲେ । କୋରନା ପ୍ରଭାବରେ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ମହାବିଦ୍ୟାଳୟଟି ବନ୍ଦ ରହିଥିଲା । ଏହାର ପ୍ରତିବାଦରେ ୨୦୨୨ ମସିହାରେ ନିଲମ୍ବିତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଉପଜିଲ୍ଲାପାଳ ,କେନ୍ଦ୍ରାପଡା ବିଧାୟକ ଶସି ଭୂଷଣ ବେହେରା ଓ ଓଡ଼ିଶାର ଶିକ୍ଷାମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଏହା ପରେ ବିଭାଗୀୟ ଅଧିକାରୀଙ୍କ ଦ୍ଵାରା ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା ହେଲେ ତଦନ୍ତ ଆଜି ପର୍ଯ୍ୟନ୍ତ ତଦନ୍ତରେ ହିଁ ରହିଯାଇଛି ।
ଏହାକୁ ବିରୋଧ କରି କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ନିଲମ୍ବିତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ବସି ରହିଥିଲେ । ଯେ ପର୍ଯ୍ୟନ୍ତ ନ୍ୟାୟ ନମିଳିଛି ଅନଶନ ଜାରି ରହିବ ବୋଲି ନିଲମ୍ବିତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ କହିଛନ୍ତି । ବିଦ୍ୟାଳୟର ନିଲମ୍ବିତ କର୍ମଚାରୀ ହେଲେ ସୌଭାଗ୍ୟ ରାଉତ ,ପରେଶ ସାମଲ ,ସ୍ଵରାଜ ପ୍ରଧାନ ଓ ସୌଭାଗ୍ୟ ପ୍ରଧାନଙ୍କ ସହ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଅନଶନରେ ସାମିଲ ରହିଥିଲେ ।